ଆଫଗାନିସ୍ତାନରେ ଅର୍ଥନୈତିକ ସଂକଟ: ଦରିଦ୍ରତାରୁ ପିଲା ବିକ୍ରି ଉଦ୍ୟମ

କାବୁଲ: ଆଫଗାନିସ୍ତାନରେ ଅର୍ଥନୈତିକ ସଂକଟ ସୀମା ଟପିଛି। ଦରିଦ୍ରତାରୁ ମୁକୁଳି ବଂଚିବା ପାଇଁ ପିଲା ବିକ୍ରି ଉଦ୍ୟମ ଭଳି ଘଟଣା ଘଟିଛି। ଶନିବାର ବାଖ ଅଞ୍ଚଳରେ ଜଣେ ମହିଳା ନିଜ ୨ବର୍ଷର ଛୁଆକୁ ବିକିବା ପାଇଁ ଚେଷ୍ଟା କରୁଥିବା ଟୋଲୋ ନ୍ୟୁଜ ପ୍ରକାଶ କରିଛି। ଏହା ଜଣାପଡ଼ିବା ପରେ ସ୍ଥାନୀୟ ଲୋକେ ତାଙ୍କ ପରିବାରକୁ ଖାଦ୍ୟ ସହିତ ଅନ୍ୟାନ୍ୟ ସାମଗ୍ରୀ ପ୍ରଦାନ କରିଛନ୍ତି। ବଖର ଉପ ରାଜ୍ୟପାଳ ନୁରୁଲୁ ହାଦି ଆବୁ ଇଦରିସ କହିଛନ୍ତି ଯେ, ଦାରିଦ୍ର୍ୟତାକୁ ପ୍ରସମିତ କରିବା ପାଇଁ ରେଡ କ୍ରସ ସଂସ୍ଥା ସହିତ ଏକ ବୈଠକ କରାଯାଇଥିଲା।

ଲୋକଙ୍କୁ ଏଭଳି କାର୍ଯ୍ୟରୁ ବିରତ ରହିବାକୁ ସଚେତନ କରିବା ନେଇ ଆଲୋଚନା ହୋଇଥିଲା। କିନ୍ତୁ ଟୋଲ ନ୍ୟୁଜର ସୂଚନା ଅନୁଯାୟୀ ନସରିନ ନାମ୍ନୀ ଜନୈକା ମହିଳା ନିଜ ୨ବର୍ଷର ଛୁଆକୁ ବିକ୍ରି କରିବାକୁ ଉଦ୍ୟମ କରିଥିଲେ। ମହିଳା ଜଣଙ୍କ କହିଥିଲେ ଯେ, ଖାଇବାକୁ କିଛି ନାହିଁ। କିରୋସିନ ଟିକେ ଦୀପ ଜାଳିବାକୁ ନାହିଁ। ଏଭଳି ସ୍ଥିତିରେ ପ୍ରବଳ ଶୀତ ଅନୁଭୂତ ହେଉଛି। ତେଣୁ ଏଥିରୁ ମୁକୁଳିବା ପାଇଁ ୨ବର୍ଷର ଛୁଆକୁ ବିକ୍ରି କରିଛି। ତେବେ ଏଭଳି ଗରିବ ସ୍ଥିତିରୁ ମୁକୁଳିବା ପାଇଁ ପ୍ରଶାସନକୁ ବାରମ୍ବାର ଜଣାଇଲେ ସୁଦ୍ଧା କୌଣସି ସହାୟତା ମିଳିନଥିଲା। ଛୁଆ ବିକ୍ର କରିବା ପାଇଁ ବାଧ୍ୟ ହୋଇଥିଲି। ସୂଚନା ଯୋଗ୍ୟ ଯେ, ବାଖ ଅଞ୍ଚଳରେ ଗରିବୀ ସୀମା ଟପିଛି। ଆଫଗାନିସ୍ତାନକୁ ତାଲିବାନ ନିଜ ଅଧିନକୁ ନେବା ପରେ ଲୋକମାନେ ମୌଳିକ ସୁବିଧା ପାଇବାରୁ ବଂଚିତ ହୋଇଛନ୍ତି। ଲୋକଙ୍କ ପାଖରେ ଅର୍ଥର ଅଭାବ ଦେଖାଦେବା ସହ ଖାଦ୍ୟାଭାବ ଶୀର୍ଷ ଛୁଇଁଛ।

ସମ୍ବନ୍ଧିତ ଖବର