ଆଫଗାନିସ୍ତାନକୁ ବିପଦରେ ପକାଇଲା ଆମେରିକା: ତାଲିବାନର ଉତ୍‌ଥାନ, ପତନ ଓ ଉତ୍‌ଥାନ

ମହମ୍ମଦ ହିଫ୍‌ଜୁର ‌ରହେମାନ୍

ଆଫଗାନିସ୍ତାନରେ ଆମେରିକା ବିପଜ୍ଜନକ ଖେଳ ଚଳାଇଛି। ନିଜର ସ୍ବାର୍ଥ ଲାଗି ସମଗ୍ର ଦକ୍ଷିଣ ଏସିଆକୁ ବିପଦରେ ପକାଇଛି। ନିର୍ବାଚିତ ସରକାରକୁ ହଟାଇ ତାଲିବାନ ସଂଗଠନ ଏବେ ଆଫଗାନିସ୍ତାନ ଦଖଲ କରି ନେଇଛି। ୨୦ ବର୍ଷ ତଳେ ଯେଉଁ ସଂଗଠନକୁ ଆତଙ୍କବାଦୀ ଘୋଷଣା କରି ସାମରିକ କାର୍ଯ୍ୟାନୁଷ୍ଠାନ ଜରିଆରେ ଛାରଖାର କରିଦେଇଥିଲା, ଆଜି ସେହି ସଂଗଠନ ହାତରେ ଆଫଗାନିସ୍ତାନର କ୍ଷମତା ଓ ଭାଗ୍ୟକୁ ସମର୍ପି ଦେଇଛି ଆମେରିକା। ତାଲିବାନ ସହିତ ଆମେରିକାର ଶତୃ-ମିତ୍ର ଖେଳ ସଂପୃକ୍ତ ଅଞ୍ଚଳ ପାଇଁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି କରିଛି। ଏହି ସଂଗଠନ ସୃଷ୍ଟି ପଛରେ ଆମେରିକାର ହାତ ରହିଛି। ପାକିସ୍ତାନ ଓ ସାଉଦି ଆରବର ପ୍ରତ୍ୟକ୍ଷ ପୃଷ୍ଠପୋଷକତାରେ ଲାଳନପାଳନ ହୋଇଥିବା ତାଲିବାନକୁ ଶକ୍ତିଶାଳୀ କରିବାରେ ଆମେରିକାର ଭୂମିକା ରହିଥିଲା।

Taliban sweep into Afghan capital after government collapses
AP News

୧୯୭୯ରେ ଆଫଗାନିସ୍ତାନରେ କମ୍ୟୁନିଷ୍ଟ ସରକାରକୁ ସମର୍ଥନ ଜଣାଇ ସୋଭିଏତ ସେନା କାବୁଲରେ ପଶିବା ପରେ ଆମେରିକା ତାର ଖେଳ ଆରମ୍ଭ କରିଥିଲା। ସୋଭିଏତ ସଂଘର ଏଭଳି କାର୍ଯ୍ୟାନୁଷ୍ଠାନର ମୁକାବିଲା ଲାଗି ଆମେରିକା, ପାକିସ୍ତାନ,ଚୀନ ଏବଂ ସାଉଦୀ ଆରବ ହାତ ମିଳାଇଥିଲେ। ସୋଭିଏତ ସେନା ସହ ଲଢ଼େଇ ପାଇଁ ଆଫଗାନିସ୍ତାନରେ ମୁଜାହିଦିନ ଗୋଷ୍ଠୀ ଗଠନ କରାଯାଇଥିଲା। ଏହାକୁ ଅର୍ଥ ସହିତ ସବୁ ପ୍ରକାର ଅସ୍ତ୍ରଶସ୍ତର ସହାୟତା ଦେଇଥିଲେ ଏହି ଦେଶମାନେ। ଏମାନଙ୍କ ମୁକାବିଲାରେ ବିଫଳ ହେବା ପରେ ୧୯୮୯ରେ ସୋଭିଏତ ସଂଘ ଏହାର ସେନା ପ୍ରତ୍ୟାହାର କରିନେଇଥିଲା।। ସୋଭିଏତ ସମର୍ଥିତ ସରକାରର ପତନ ପରେ ୪୦ଟି ମୁଜାହିଦିନ ଗୋଷ୍ଠୀ ସେଠାରେ ମିଳିତ ସରକାର ଗଠନ କରିଥିଲେ। କିନ୍ତୁ ନିଜ ଭିତରେ କନ୍ଦଳ ଯୋଗୁ ଦେଶରେ ଗୃହଯୁଦ୍ଧ ଆରମ୍ଭ ହୋଇଯାଇଥିଲା। ଏମାନଙ୍କୁ ନିୟନ୍ତ୍ରଣ କରିବାରେ ବିଫଳ ହେବାପରେ ପାକିସ୍ତାନର ଦୁର୍ଦାନ୍ତ ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ପାକିସ୍ତାନ ଓ ଆଫଗାନିସ୍ତାନ ସୀମାକୁ ଲାଗିଥିବା ବିଭିନ୍ନ ମଦ୍ରାସାର ଛାତ୍ରମାନଙ୍କୁ ଏକାଠି କରି ସେମାନଙ୍କୁ ସାମରିକ ତାଲିମ ଦେବାକୁଆରମ୍ଭ କରିଥି‌ଲା। ଏହି ଠାରୁ ହୋଇଥିଲା ତାଲିବାନର ଜନ୍ମ। ତାଲିବାନର ଅର୍ଥ ହେଉଛି ଛାତ୍ର ଗୋଷ୍ଠୀ। ଏହି ସଂଗଠନର ନେତୃତ୍ବ ନେଇଥିଲେ ମୁଲ୍ଲା ଓମାର। ତାଙ୍କ ନେତୃତ୍ବାଧୀନ ତାଲିବାନ ଗୋଷ୍ଠୀ ବିଭିନ୍ନ ପଟୁ ଆକ୍ରମଣ କରି ୧୯୯୪ରେ ପ୍ରଥମେ କାନ୍ଦାହାର ଦଖଲ କରିଥିଲା। ଏହାକୁ ସଂପୂର୍ଣ୍ଣ ରୂପେ ସହାୟତା ଯୋଗାଇଥିଲେ ପାକିସ୍ତାନ, ସାଉଦୀ ଆରବ ଏବଂ ଆମେରିକା। ଏମାନଙ୍କର ସହାୟତା ଏବଂ ସ୍ଥାନୀୟ ଲୋକଙ୍କ ସମର୍ଥନକୁ ନେଇ ତାଲିବାନ ଦୁଇ ବର୍ଷ ଭିତରେ ରାଜଧାନୀ କାବୁଲ ଦଖଲ କରିବାକୁ ସମର୍ଥ ହୋଇଥିଲା। ମୁଜାହିଦିନ ସରକାରକୁ ଗାଦିଚ୍ୟୁତ କରି ୧୯୯୬ରେ ତାଲିବାନ ସରକାର ଗଠନ ହୋଇଥିଲା। ଏହାର ନେତୃତ୍ବ ନେଇଥିଲେ ମୁଲ୍ଲା ଓମାର। ପାକିସ୍ତାନ, ସାଉଦୀ ଆରବ ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ଛଡ଼ା ଅନ୍ୟ କୌଣସି ଦେଶ ତାଲିବାନ ସରକାରକୁ ସ୍ବୀକୃତି ଦେଇନଥିଲେ। କିନ୍ତୁ ପାକିସ୍ତାନ ଜରିଆରେ ଏହାକୁ ନିରବ ସମର୍ଥ ଜଣାଇ ଚାଲିଥିଲା ଆମେରିକା।

ତେବେ ୨୦୦୧ରେ ସେପେଟମ୍ବର ୯ ତାରିଖରେ (୯/୧୧) ନ୍ୟୁୟର୍କରେ ବିଶ୍ବ ବାଣିଜ୍ୟ କେନ୍ଦ୍ର ଉପରେ ଆତଙ୍କବାଦୀ ଆକ୍ରମଣ ଆଫଗାନିସ୍ତାନର ଇତିହାସକୁ ବଦଳାଇଦେଇଥିଲା। ଆକ୍ରମଣରେ ୩ ହଜାର ଲୋକ ପ୍ରାଣ ହରାଇଥିଲେ। ଆକ୍ରମଣ ପାଇଁ ଅଲକ‌ାଏଦାକୁ ଦାୟୀ କରି ସଂଗଠନକୁ ଧ୍ବଂସ କରିବା ଲାଗି ଶପଥ ନେଇଥିଲା ଆମେରିକା। ସେତେବେଳେ ଅଲ କାଏଦା ମୁଖ୍ୟ ବିନ୍ ଲାଦେନ୍ ଆଫଗାନିସ୍ତାନରେ ଆଶ୍ରୟ ନେଇଥିଲା। ସଂଗଠନର ଅନେକ ନେତା ମଧ୍ୟ ଆଫଗାନିସ୍ତାନରେ ଆଶ୍ରୟ ନେଇଥିଲେ। ସେମାନଙ୍କୁ ଆତଙ୍କବାଦୀ ଘୋଷଣା କରିବା ସହିତ ତୁରନ୍ତ ହସ୍ତାନ୍ତର କରିବା ଲାଗି ଆମରେିକା ତାଲିବାନ ସରକାରକୁ କହିଥିଲା। କିନ୍ତୁ ତାଲିବାନ ଆମେରିକାର ଏହି ଦାବିକୁ ପ୍ରଥ୍ୟାଖ୍ୟାନ କରିଦେବାରୁ ଏଥିରେ କ୍ଷୁବ୍ଧ ହୋଇ ତାଲିବାନ ସରକାର ବିରୋଧରେ ଯୁଦ୍ଧ ଘୋଷଣା କରିଥିଲା ଆମେରିକା। ଆମେରିକା ଏବଂ ସହଯୋଗୀ ନାଟୋ ସେନା ଅକଟୋବର ମାସରେ ଆଫଗାନିସ୍ତାନରେ ଓହ୍ଲାଇ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଦେଇଥିଲେ। ସେମାନେ ତାଲିବାନର କ୍ଷମତା କେନ୍ଦ୍ର ଏବଂ ସାମରିକ ପ୍ରତିଷ୍ଠାନ ଉପରେ ପ୍ରଚଣ୍ଡ ଆକ୍ରମଣ କରି ଛାରଖାର କରିଦେଇଥିଲେ। ତାଲିବାନ ନେତା ଓ ସେମାନଙ୍କ ସଶସ୍ତ୍ର ଗୋଷ୍ଠୀ ଛତ୍ରଭଙ୍ଗ ଦେଇଥିଲେ। ମୁଲ୍ଲା ଓମାର ସମେତ ଅନେକ ନେତା ପାକିସ୍ତାନ ପଳାୟନ କରି ସେଠାର ଲୁଚିଥିଲେ। ଡିସେମ୍ବର ସୁଦ୍ଧା ତାଲିବାନ ସରକାରର ପତନ ଘଟିଥିଲା ଏବଂ ଆମେରିକା ସମର୍ଥିତ ହମିଦ କରଜାଇ ସରକାର ଦାୟିତ୍ବ ଗ୍ରହଣ କରିଥିଲା।

Timeline: The Taliban's rapid advance across Afghanistan | Reuters
Reuters

ତାଲିବାନ ସରକାରର ପତନ ଘଟିଥିଲେ ମଧ୍ୟ ଏହାର ସାମରିକ ‌େଗାଷ୍ଠୀ ବିଭିନ୍ନ ସ୍ଥାନରେ ଆଫଗାନ ସେନା ଏବଂ ଆମେରିକା ସେନା ସହିତ ମୁହାଁମୁହିଁ ହୋଇ ଏହାର ଉପସ୍ଥିତି ଜାହିର କରି ଚାଲିଥିଲା। ପରିସ୍ଥିତି ଶାନ୍ତ ହେଉଥିବା ଦେଖି ୨୦୧୪ରେ ଆମେରିକା ଘୋଷଣା କଲା ଯେ ଆଫଗାନିସ୍ତାନରୁ ଏହାର ସେନା ପ୍ରତ୍ୟାହାର କରିନେବ। ଏଥିରେ ଉତ୍ସାହିତ ହୋଇ ତାଲିବାନ ଗୋଷ୍ଠୀ ଧୀରେ ଧୀରେ ଆଫଗାନିସ୍ତାନର ଅନେକ ଅଞ୍ଚଳରେ ମାଡ଼ି ଚାଲିଲେ। ନିଜ ସେନା ଓ ନାଗରିକର ସୁରକ୍ଷା ପାଇଁ ଆମେରିକା ତାଲିବାନ ସହିତ ଆଲୋଚନା ଆରମ୍ଭ କରିଥିଲା। ୨୦୨୦ ଫେବୃ୍ଆରିରେ କତରର ଦୋହାରେ ତାଲିବାନ ଏବଂ ଅାମେରିକା ମଧ୍ୟରେ ଏକ ବୁଝାମଣା ସ୍ବାକ୍ଷରିତ ହୋଇଥିଲା। ବୁଝାମଣା ଅନୁଯାୟୀ ତାଲିବାନ ଆମେରିକା ସେନା ଉପରେ ଆକ୍ରମଣ କରିବ ନାହିଁ ଏବଂ ଅଲ କାଏଦା ଭଳି କୌଣସି ଆତଙ୍କବାଦୀ ସଂଗଠନ ସହିତ ସଂପର୍କ ରଖିବ ନାହିଁ। କିନ୍ତୁ ସବୁଠାରୁ ଉଦବେଗର ବିଷୟ ହେଉଛି ଯେ ସମଗ୍ର ପ୍ରକ୍ରିୟାରେ ଆଫଗାନିସ୍ତାନ ସରକାରକୁ ସାମିଲ କରାଯାଇନଥିଲା। ଆଫଗାନିସ୍ତାନ ସରକାର ସହିତ କ୍ଷମତା ବଣ୍ଟନ ସଂପର୍କରେ ମଧ୍ୟ କୌଣସି ଉଲ୍ଲେଖ ନଥିଲା। ଯାହାର ପରିଣତି ଆଜି ଦେଖିବାକୁ ମିଳୁଛି।

ଆମେରିକାର ଘୋଷଣା ପରେ ଆଫଗାନିସ୍ତାନରେ ତାଲିବାନ ଗୋଟିଏ ପରେ ଗୋଟିଏ ସହର ଦଖଲ କରିବାକୁ ଲାଗିଲା। ୨୦ ବର୍ଷ ଧରି ଆମରେିକା ଠାରୁ ଅସ୍ତ୍ରଶସ୍ତ୍ର ଓ ତାଲିମ ପାଇଥିବା ଆଫଗାନିସ୍ତାନ ସେନା ପରାଜୟର ସମ୍ମୁଖୀନ ‌େହାଇ ଆତ୍ମସମର୍ପଣ କରିବାକୁ ଲାଗିଲେ। କୌଣସି ସହର ବା ଅଞ୍ଚଳକୁ ସୁରକ୍ଷା ଦେଇପାରିଲେ ନାହିଁ ଏବଂ ଏପରିକି ରାଷ୍ଟ୍ରପତି ଅସରଫ ଗନି ମଧ୍ୟ ଦେଶ ଛାଡ଼ି ପଳାଇଲେ। ଶେଷରେ ଅଗଷ୍ଟ ୧୫ ତାରିଖରେ ରାଜଧାନୀ କାବୁଲ ଦଖଲ କରିନେଇଛି ତାଲିବାନ। ତେ‌େବ ଆଫଗାନିସ୍ତାନରୁ ଯେଉଁ ଢଙ୍ଗରେ ଆମେରିକା ତରବର ହୋଇ ‌େସନା ପ୍ରତ୍ୟାହାର କରିଛି ତାହା ବିଶ୍ବବାସୀ ଏବଂ ବିଶେଷ କରି ଏହାର ସହଯୋଗୀ ରାଷ୍ଟ୍ରଙ୍କୁ ବିସ୍ମିତ କରିଛି। ଆହୁରି ଉଦ୍‌ବେଗର ବିଷୟ ହେଉଛି ଯେ ଗଣତନ୍ତ୍ର, ମାନବାଧିକାର, ଆତଙ୍କବାଦ, ଧାର୍ମିକ ମୌଳବାଦ ଓ ନାରୀ ଅଧିକାର ସୁରକ୍ଷା ଭଳି ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆମେରିକାର ଅାଭିମୁଖ୍ୟ ଦୋହା ଚୁକ୍ତିରେ ପ୍ରତିଫଳିତ ହୋଇନାହିଁ। ମାନବାଧିକାର ଏବଂ ଧାର୍ମିକ ମୌଳବାଦ କ୍ଷେତ୍ରରେ ତାଲିବାନର ରେକର୍ଡ ଖରାପ ରହିଥିବାରୁ ସଂପୃକ୍ତ ଅଞ୍ଚଳରେ ଏହା ଅଶାନ୍ତି ସୃଷ୍ଟି କରିବାର ଆଶଙ୍କା ରହିଛି।

ସମ୍ବନ୍ଧିତ ଖବର