ଆଫଗାନିସ୍ତାନର ଭାଗ୍ୟ ବଦଳିବ, ଆମେରିକା-ତାଲିବାନ ଶାନ୍ତି ଚୁକ୍ତି ଖୁବ୍‌ଶୀଘ୍ର

୧୮ ବର୍ଷ ଧରି ଚାଲିଥିବା ଯୁଦ୍ଧର ପରିସମାପ୍ତି ପାଇଁ ବୁଝାମଣା

ଦୋହା: ଆଫଗାନିସ୍ତାନରେ ଦୀର୍ଘ ୧୮ ବର୍ଷ ଧରି ଚାଲିଥିବା ଯୁଦ୍ଧର ପରିସମାପ୍ତି ଘଟିବାକୁ ଯାଉଛି। ଆମେରିକା ଏବଂ ତାଲିବାନ ମଧ୍ୟରେ ଯୁଦ୍ଧ ପରିସମାପ୍ତି ପାଇଁ କଥାବାର୍ତ୍ତା ସଫଳ ହୋଇଥିବାରୁ ଖୁବ୍‌ଶୀଘ୍ର ଶାନ୍ତି ଚୁକ୍ତି ସ୍ବାକ୍ଷରିତ ହେବ ବୋଲି ଜଣାପଡ଼ିଛି। ଏ ବାବଦ ସମସ୍ତ ପ୍ରମୁଖ ସର୍ତ୍ତରେ ଉଭୟ ପକ୍ଷ ରାଜି ହୋଇଥିବା ଆମେରିକା ସେନାର ଜଣେ ବରିଷ୍ଠ ପ୍ରବକ୍ତା କହିଛନ୍ତି। ଆଫଗାନିସ୍ତାନରେ ଏବେ ମୁତୟନ ଥିବା ୧୩ ହଜାର ଆମେରିକୀୟ ସୈନିକଙ୍କ ମଧ୍ୟରୁ ପ୍ରାୟ ୮୦ ପ୍ରତିଶତ ଆମେରିକା ଫେରିଯିବେ ବୋଲି ଜଣାପଡ଼ିଛି। ସେନା ପ୍ରତ୍ୟାହାର ଆରମ୍ଭ ହେବା ସହିତ ଶାନ୍ତି ପାଇଁ ନୂଆ ରଣନୀତିରେ କାମ ହେବ ବୋଲି ଆଫଗାନ୍‌ର ସ୍ବତନ୍ତ୍ର ପ୍ରତିନିଧି ଜଲ୍ମାୟ ଖଲିଲ୍‌ଜାଦ୍‌ କହିଛନ୍ତି। ୧୧ ସେପ୍ଟେମ୍ବର, ୨୦୦୧ରେ ଅଲ୍‌ କାଏଦା ଦ୍ବାରା ଆମେରିକାରେ ଆତଙ୍କବାଦୀ ଆକ୍ରମଣ ପରେ ଆମେରିକା ଆଫଗାନିସ୍ତାନକୁ ସେନା ପଠାଇଥିଲା। ସ୍ଥିତି ସୁଧୁରିବା ପରେ ୨୦୧୮ରୁ ଯୁଦ୍ଧ ବନ୍ଦ କରିବା ପାଇଁ କଥାବାର୍ତ୍ତା ଚାଲିଥିବା ବେଳେ ଏବେ ଏହା ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଶାନ୍ତି ଚୁକ୍ତିରେ ତାଲିବାନ ପକ୍ଷରୁ ଏହାର ଉପ ମୁଖ୍ୟ ମୁଲ୍ଲା ଅବ୍‌ଦୁଲ ଗନି ବରାଦର ସ୍ବାକ୍ଷର କରିବେ ବୋଲି ଜଣାପଡ଼ିଛି।

ସମ୍ବନ୍ଧିତ ଖବର