ଆତଙ୍କର ବଳୟରେ ଆଫଗାନିସ୍ତାନ: ତାଲିବାନର ବିଶ୍ୱାସଘାତକତା

ଘରକୁ ଘର ବୁଲୁଛନ୍ତି ଆତଙ୍କବାଦୀ, ହିଟଲିଷ୍ଟ୍‌ରେ ସେନା, ପୁଲିସ ଓ ଗୁଇନ୍ଦା ଅଧିକାରୀ

ଗୁଇନ୍ଦା ରିପୋର୍ଟକୁ ଆମେରିକା ଅଣଦେଖା କରିଥିଲା
କାବୁଲ ବିମାନ ବନ୍ଦରରେ ୬ ହଜାର ଆମେରିକୀୟ ସୈନ୍ୟ
ସପ୍ତାହକରେ ୧୮ ହଜାର ଲୋକଙ୍କୁ ଖାଲି କରାଗଲାଣି

ନୂଆଦିଲ୍ଲୀ : ଆଫଗାନିସ୍ତାନର ଶାସନ ବ୍ୟବସ୍ଥା ନିଜ ନିୟନ୍ତ୍ରଣକୁ ନେଇଥିବା ତାଲିବାନ ଏବେ ବିରୋଧୀମାନଙ୍କୁ ଦମନ କରିବା ପାଇଁ ଅଭିଯାନ ଆରମ୍ଭ କରିଛି। ପୂର୍ବ ସରକାରରେ ସେନା, ପୁଲିସ ଓ ଗୁଇନ୍ଦା ବାହିନୀରେ ଥିବା ଅଧିକାରୀ ଏବଂ ବିଭିନ୍ନ ଅଂଚଳରେ ପୁଲିସ ଓ ସେନାକୁ ସହାୟତା କରୁଥିବା ଲୋକଙ୍କୁ ଟାର୍ଗେଟ୍‌ କରି ତାଲିବାନ ଆତଙ୍କବାଦୀମାନେ ଘରକୁ ଘର ବୁଲୁଛନ୍ତି। ସେମାନଙ୍କୁ ଠାବ କରିବା ମାତ୍ରେ ଆତଙ୍କବାଦୀମାନେ କୌଣସି ଅଜ୍ଞାତ ସ୍ଥାନକୁ ନେଇ ହତ୍ୟା କରୁଛନ୍ତି କିମ୍ବା ବନ୍ଦୀ ଶିବିରକୁ ନେଉଛନ୍ତି।

ଆମେରିକା ଏବଂ ନାଟୋ ବାହିନୀ ସହ କାର୍ଯ୍ୟ କରୁଥିବା ଆଫଗାନ୍‌ ଅଧିକାରୀଙ୍କୁ ତାଲିବାନ୍‌ମାନେ ଏବେ ସବୁ ଅଂଚଳରେ ଖୋଜିବା ଆରମ୍ଭ କରିଦେଇଥିବାରୁ ଆତଙ୍କର ବାତାବରଣ ଦେଖିବାକୁ ମିଳିଛି। ତାଲିବାନ୍‌ମାନେ ଘରକୁ ଘର ବୁଲି ସେମାନଙ୍କ ପରିବାର ସଦସ୍ୟଙ୍କୁ ଧମକ ଦେଉଛନ୍ତି। ଜାତିସଂଘର ଏକ ଗୁଇନ୍ଦା ରିପୋର୍ଟରୁ ଏହା ଜଣାପଡ଼ିଛି। ତାଲିବାନ୍‌ ଟାର୍ଗେଟ୍‌ରେ ପୂର୍ବ ସେନା, ପୁଲିସ ଏବଂ ଗୁଇନ୍ଦା ବିଭାଗରେ କାର୍ଯ୍ୟରତ ହଜାର ହଜାର ଲୋକ ରହିଥିବା ଜଣାପଡ଼ିଛି। ସେମାନେ ତୁରନ୍ତ ଆତ୍ମସମର୍ପଣ ନକଲେ‌ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ଦଣ୍ଡିତ କରାଯିବ ଏବଂ ବିଚାରଣ ଜାରି ରହିବ ବୋଲି ତାଲିବାନ ଘୋଷଣା କରିଛି। ତାଲିବାନ୍‌ ହିଟଲିଷ୍ଟ୍‌ରେ ଯେଉଁମାନେ ଅଛନ୍ତି ସେମାନଙ୍କ ପରିବାର ଏବେ ଖୁବ୍‌ ବିପଦରେ ଅଛନ୍ତି ବୋଲି ଜାତିସଂଘ ରିପୋର୍ଟରେ କୁହାଯାଇଛି। ଯେଉଁ ଅଧିକାରୀ, ପୁଲିସ କର୍ମଚାରୀ ଏବଂ ଖବରଦାତାଙ୍କୁ ତାଲିବାନ ଅଟକ ରଖିଛି ସେମାନଙ୍କୁ ଗଣଫାଶୀ ଦିଆଯାଇପାରେ ବୋଲି ସୂଚନା ମିଳିଛି।

ପୂର୍ବତନ ରାଷ୍ଟ୍ରପତି ଅସରଫ୍‌ ଘନିଙ୍କ ସହ ଯେଉଁମାନେ କାର୍ଯ୍ୟ କରୁଥିଲେ ସେମାନଙ୍କ ମଧ୍ୟରୁ ଅନେକ ଆତ୍ମଗୋପନ କରିଛନ୍ତି। ସମସ୍ତଙ୍କୁ ଠାବ କରି ଫାଶୀ ଖୁଣ୍ଟରେ ଝୁଲାଇବାକୁ ତାଲିବାନ ଯୋଜନା କରୁଥିବାରୁ ଆଗକୁ ଭୟାନକ ସ୍ଥିତି ଆସିବ ବୋଲି ଆଶଙ୍କା କରାଯାଉଛି। ତାଲିବାନର କାବୁଲ ଦଖଲ ଯୋଜନା ବାବଦରେ ବିଭିନ୍ନ ଗୁଇନ୍ଦା ସଂସ୍ଥା ଆଗୁଆ ସୂଚନା ଦେଇଥିଲେ ମଧ୍ୟ ରାଷ୍ଟ୍ରପତି ଜୋ ବାଇଡେନ୍‌ ଏବଂ ତାଙ୍କ ପ୍ରଶାସନ ଏହାକୁ ଅଣଦେଖା କରିଥିବା ଜଣାପଡ଼ିଛି। ଏଥିପାଇଁ ବାଇଡେନ୍‌ଙ୍କୁ ଏବେ ତୀବ୍ର ସମାଲୋଚନା କରାଯାଉଛି। ଆମେରିକା ଏବେ ନିଜ ନାଗରିକଙ୍କୁ ଆଫଗାନିସ୍ତାନରୁ ଖାଲି କରିବା ପ୍ରକ୍ରିୟା ତ୍ବରାନ୍ବିତ କରିଛି ଏବଂ ବିଗତ ୭ ଦିନରେ ଆମେରିକା ଓ ନାଟୋ ବାହିନୀ ୧୮ ହଜାର ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଛନ୍ତି। ଲୋକଙ୍କୁ ଖାଲି କରିବା ପ୍ରକ୍ରିୟା ସରିବା ପରେ ଆମେରିକା ସେନା ଆଫଗାନିସ୍ତାନ ଛାଡ଼ିବେ ଏବଂ ଏହି ସମୟକୁ ତାଲିବାନ ଅପେକ୍ଷା କରିଛି। ଏହାପରେ ତାଲିବାନ ନିଜର ଭୟାନକ ଯୋଜନାଗୁଡ଼ିକ କାର୍ଯ୍ୟକାରୀ କରିବ ବୋଲି କୁହାଯାଉଛି। କାବୁଲ ବିମାନ ବନ୍ଦରରେ ଏବେ ୬ ହଜାର ଆମେରିକୀୟ ସୈନ୍ୟ ଅଛନ୍ତି ।

ସାମ୍ବାଦିକଙ୍କୁ ନ ପାଇ ସମ୍ପର୍କୀୟଙ୍କୁ ହତ୍ୟା
ତାଲିବାନ୍‌ ଆତଙ୍କବାଦୀମାନେ ଆଫଗାନିସ୍ତାନରେ ଅାଜି ଜର୍ମାନୀର ଜଣେ ବରିଷ୍ଠ ସାମ୍ବାଦିକଙ୍କ ସମ୍ପର୍କୀୟଙ୍କୁ ହତ୍ୟା କରିଛନ୍ତି। ଉକ୍ତ ସାମ୍ବା‌ଦିକଙ୍କୁ ଘରେ ନପାଇ ପରିବାରର ଅନ୍ୟ ସଦସ୍ୟଙ୍କ ଉପରେ ଆତଙ୍କବାଦୀ ଗୁଳିମାଡ଼ କରିଥିଲେ। ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। ସାମ୍ବାଦିକ ଜଣଙ୍କ ଜର୍ମାନୀର ଗଣମାଧ୍ୟମ ସଂସ୍ଥା ‘ଡଚି ୱେଲେ’ରେ କାମ କରୁଛନ୍ତି। ବିଦେଶୀ ଗଣମାଧ୍ୟମ ପ୍ରତିନିଧିମାନେ ରହୁଥିବା ଘରଗୁଡ଼ିକୁ ଠାବ କରି ତାଲିବାନ ଚଢ଼ଉ ଆରମ୍ଭ କରିଦେଇଛି।

ପୂର୍ବତନ ପୁଲିସ ମୁଖ୍ୟଙ୍କୁ ନିର୍ମମ ହତ୍ୟା
ତାଲିବାନ ଆତଙ୍କବାଦୀ ପୂର୍ବତନ ପୁଲିସ ମୁଖ୍ୟ ହାଜିମୁଲ୍ଲା ଅଚକଜାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛନ୍ତି। ହେରାତ ନିକଟରେ ତାଙ୍କୁ ହତ୍ୟା କରାଯାଇଛି। ଏହାର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍‌ ହୋଇଛି। ପୁଲିସ ମୁଖ୍ୟଙ୍କ ହାତକୁ ବାନ୍ଧି ଦିଆଯିବା ସହ ତାଙ୍କ ଆଖିରେ କପଡ଼ା ବନ୍ଧା ଯାଇଛି। ଏହାପରେ ତାଲିବାନ୍‌ ଆତଙ୍କବାଦୀମାନେ ତାଙ୍କୁ ଚାରିପଟୁ ଘେରି ଗୁଳିମାଡ଼ କରୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର