ନୂଆଦିଲ୍ଲୀ : ଆଫଗାନିସ୍ତାନରେ ଗତ କିଛି ସପ୍ତାହରେ ଶହ ଶହ ଆଇଏସ ଆତଙ୍କବାଦୀ ସୁରକ୍ଷାବଳ ହାତରେ ଧରା ପଡିଛନ୍ତି । ଏମାନଙ୍କ ମଧ୍ୟରେ ୧୩ ଜଣ ଭାରତୀୟ ଅଛନ୍ତି । ଏହି ଭାରତୀୟ ଆତଙ୍କବାଦୀମାନଙ୍କୁ ଭାରତ ସରକାରଙ୍କୁ ପ୍ରତ୍ୟାର୍ପଣ କରିବାକୁ ଆଫଗାନ ସରକାର ରାଜି ହୋଇଛନ୍ତି । ନିକଟରେ ଦୁଇ ଦେଶ ମଧ୍ୟରେ ହୋଇଥିବା ପ୍ରତ୍ୟାର୍ପଣ ଚୁକ୍ତି ପରେ ପ୍ରଥମ ଥର ପାଇଁ ଆତଙ୍କବାଦୀଙ୍କୁ ହସ୍ତାନ୍ତର କରିବ କାବୁଲ । ଆତଙ୍କବାଦ ବିରୋଧୀ ଯୁଦ୍ଧରେ ଏହା ଦୁଇ ଦେଶର ଦ୍ୱାରା ନିଆଯାଇଥିବା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି ।

Advertisment

ଗତ କିଛି ସପ୍ତାହ ମଧ୍ୟରେ ଶହ ଶହ ଆଇଏସ ଆତଙ୍କବାଦୀ ଆଫଗାନ ସେନା ଆଗରେ ଆତ୍ମସମର୍ପଣ କରିଛନ୍ତି । ସେମାନଙ୍କ ମଧ୍ୟରୁ ଅଧିକାଂଶ ପାକିସ୍ତାନୀ ବୋଲି ଆଫଗାନ ସେନା ସୁତ୍ରରୁ ଜଣାପଡିଛି । ଗତ ଦୁଇ ସପ୍ତାହ ମଧ୍ୟରେ ୨୪୩ ଜଣ ଆଇଏସ ଆତଙ୍କବାଦୀ ଆଫଗାନିସ୍ତାନର ନଗରନାର ରାଜ୍ୟରେ ଆତ୍ମସମର୍ପଣ କରିଥିଲେ । ଏହାର କିଛି ସପ୍ତାହ ପୂର୍ବରୁ ଅଚିନ ଜିଲ୍ଲାରେ ୩୦୦ ଆଇଏସ ସଦସ୍ୟ ଆତ୍ମସମର୍ପଣ କରିଥିଲେ । ଆଫଗାନିସ୍ତାନରେ ଆମେରିକା ସେନାର ପ୍ରତ୍ୟାବର୍ତ୍ତନ ଆରମ୍ଭ ହୋଇଯାଇଥିବାବେଳେ ତାଲିବାନ ପୁଣି ମୁଣ୍ଡ ଟେକୁଛି । ତାଲିବାନ ଭୟରେ ଆଇଏସ ଆତଙ୍କବାଦୀମାନେ ଆତ୍ମସମର୍ପଣ କରୁଥିବା କୁହାଯାଉଛି ।