କାବୁଲ: ଆଫଗାନିସ୍ତାନ ଓ ପାକିସ୍ତାନ ମଧ୍ୟରେ ଶାନ୍ତି ଆଲୋଚନା ବିଫଳ ହୋଇଛି ଏବଂ ଆମେ ଯୁଦ୍ଧ ପାଇଁ ପ୍ରସ୍ତୁତ ବୋଲି ତାଲିବାନ ମୁଖପାତ୍ର ଜବିହୁଲ୍ଲା ମୁଜାହିଦ ଶନିବାର ‌କହିଛନ୍ତି। ମୁଜାହିଦ ଏଥିପାଇଁ ଇସଲାମାବାଦର ଅବାସ୍ତବ ଦାବିକୁ ଦାୟୀ କରିଛନ୍ତି। ଇସଲାମାବାଦ ଦାବି କରିଥିଲା ଯେ, ଆଫଗାନିସ୍ତାନ ପାକିସ୍ତାନର ଆଭ୍ୟନ୍ତରୀଣ ସୁରକ୍ଷା ପାଇଁ ଦାୟିତ୍ବ ଗ୍ରହଣ କରିବ। କିନ୍ତୁ ଏହା ଏପରି ଏକ ଅନୁରୋଧ ଯାହା କାବୁଲର କ୍ଷମତା ବାହାରେ ବୋଲି ମୁଜାହିଦ ବର୍ଣ୍ଣନା କରିଛନ୍ତି। 

Advertisment

ବିଫଳ ଆଲୋଚନା ସତ୍ତ୍ବେ ମୁଜାହିଦ ନିଶ୍ଚିତ କରିଛନ୍ତି ଯେ, ଅସ୍ତ୍ରବିରତି ଏପର୍ଯ୍ୟନ୍ତ ଆମେ ଉଲ୍ଲଂଘନ କରିନାହୁଁ ଏବଂ ଏହାକୁ ପାଳନ କରିବାକୁ ଚାହୁଛୁ। ଅନ୍ୟପକ୍ଷରେ ନଭେମ୍ବର ପହିଲାରେ ଶେଷ ହୋଇଥିବା ସପ୍ତାହରେ ପାକିସ୍ତାନରେ ଆଫଗାନିସ୍ତାନ ନାଗରିକଙ୍କ ଗିରଫଦାରୀ ୧୪୬ ପ୍ରତିଶତ ବୃଦ୍ଧି ପାଇଛି ବୋଲି ଜାତିସଂଘର ଶରଣାର୍ଥୀ ହାଇକମିସନର (ୟୁଏନ୍ଏଚ୍‌ସିଆର୍) ଏବଂ ଇଣ୍ଟରନ୍ୟାସନାଲ ଅର୍ଗାନାଇଜେସନ ଫର୍ ମାଇଗ୍ରେସନ (ଆଇଓଏମ୍)ଙ୍କ ମିଳିତ ରିପୋର୍ଟରେ କୁହାଯାଇଛି। ଏହି ସମୟ ମଧ୍ୟରେ ସମଗ୍ର ପାକିସ୍ତାନରେ ମୋଟ ୭,୭୬୪ ଆଫଗାନିସ୍ତାନ ନାଗରିକଙ୍କୁ ଅଟକ ରଖାଯାଇଥିଲା। ଅଧିକାଂଶ ଗିରଫଦାରୀ ବଲୁଚିସ୍ତାନରେ ହୋଇଥିଲା, ଯାହା ୮୬ ପ୍ରତିଶତ ଥିଲା। ଚମନ ଓ ତୋରଖମ୍ ପଏଣ୍ଟ ସମେତ ପ୍ରମୁଖ ସୀମା କ୍ରସିଂ ଖୋଲିବା ପରେ ଏହି କାର୍ଯ୍ୟାନୁଷ୍ଠାନ ତୀବ୍ର ହୋଇଥିଲା। ପ୍ରତ୍ୟାବର୍ତ୍ତନ ଓ ପ୍ରତ୍ୟର୍ପଣ ସଂଖ୍ୟା ମଧ୍ୟ ଯଥେଷ୍ଟ ବୃଦ୍ଧି ପାଇଛି। ସେପ୍ଟେମ୍ବର ୨୦୨୩ ପରଠାରୁ ୧.୬ ନିୟୁତରୁ ଅଧିକ ଲୋକ ଆଫଗାନିସ୍ତାନକୁ ଫେରିଛନ୍ତି।