ଆଫଗାନିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଅହମ୍ମଦ ଶାହା ଅହମ୍ମଦଜାଇଙ୍କ ୭୮ ବର୍ଷ ବୟସରେ ହେଲା ଦେହାନ୍ତ

ନୂଆଦିଲ୍ଲୀ: ଆଫଗାନିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଅହମ୍ମଦ ଶାହା ଅହମ୍ମଦଜାଇଙ୍କ ୭୮ ବର୍ଷ ବୟସରେ ଦେହାନ୍ତ ହୋଇଛି। ତାଙ୍କର ଦେହାନ୍ତ ହୋଇଥିବା ନେଇ ଜାତୀୟ ଗଣମାଧ୍ୟମ ପକ୍ଷରୁ ସୂଚନା ମିଳିଛି। ଅହମ୍ମଦ ଶାହା ଅହମ୍ମଦଜାଇ ୧୯୯୨ରୁ ୧୯୯୪ ପର୍ଯ୍ୟନ୍ତ ଆଫଗାନିସ୍ତାନ ସରକାରରେ ବିଭିନ୍ନ ପ୍ରମୁଖ ପଦବୀରେ କାର୍ଯ୍ୟ କରିଥିଲେ। ଏହା ପରେ ସେ ୧୯୯୫ରୁ ୧୯୯୬ପର୍ଯ୍ୟନ୍ତ ଆଫଗାନିସ୍ତାନର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱଭାର ସମ୍ଭାଳିଥିଲେ। ଏହା ପରେ ତାଲିବାନ ଦେଶ ଦଖଲ କଲା ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀଙ୍କୁ ଦେଶ ଛାଡିବାକୁ ପଡିଲା। ଭାରତରେ ରହୁଥିବା ଅହମ୍ମଦ ଶାହା ଅହମ୍ମଦଜାଇ ଚଳିତ ମାସରେ ଭାରତରୁ ଆଫଗାନିସ୍ତାନକୁ ଫେରିଥିଲେ ବୋଲି ଜଣାପଡିଛି |

ଅହମ୍ମଦ ଶାହା ଅହମ୍ମଦଜାଇ କାବୁଲ ପ୍ରଦେଶର ଖାକି ଜବ୍ବାର ଜିଲ୍ଲାର ମଲଙ୍ଗରେ ଜନ୍ମଗ୍ରହଣ କରିଥିଲେ। ସେ କାବୁଲ ବିଶ୍ୱବିଦ୍ୟାଳୟରେ ଇଞ୍ଜିନିୟରିଂ ପଢ଼ିବା ପରେ କୃଷି ମନ୍ତ୍ରାଳୟରେ କାର୍ଯ୍ୟ କରିଥିଲେ। ୧୯୭୨ ମସିହାରେ, ତାଙ୍କୁ ଆମେରିକାର କଲୋରାଡୋ ଷ୍ଟେଟ ୟୁନିଭରସିଟିରେ ଅଧ୍ୟୟନ କରିବା ପାଇଁ ବୃତ୍ତି ମିଳିଥିଲା। ପାଠ ପଢା ସାରି ସେ ସାଉଦି ଆରବର କିଙ୍ଗ ଫୈସଲ ବିଶ୍ୱବିଦ୍ୟାଳୟରେ ପ୍ରଫେସର ହୋଇଥିଲେ। ହେଲେ ୧୯୭୮ରେ ଅହମ୍ମଦଜାଇ ଆଫଗାନିସ୍ତାନକୁ ଫେରି ମୁଜାହିଦ୍ଦିନରେ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର