‘ପଞ୍ଜଶୀରର ସିଂହ’ ଅହମ୍ମଦ ଶାହ ମାସୁଦଙ୍କ କବର ଭାଙ୍ଗିଲା ତାଲିବାନ, ଆଫଗାନିସ୍ତାନରେ ତୀବ୍ର ପ୍ରତିକ୍ରିୟା

କାବୁଲ : ତାଲିବାନର ଆଉ ଏକ ଘୃଣ୍ୟ ଚେହେରା ସାମନାକୁ ଆସିଛି । ପଞ୍ଜଶୀର ଘାଟି ଦଖଲ ପରେ ରକ୍ତମୁଖା ହୋଇପଡ଼ିଛନ୍ତି ତାଲିବାନୀମାନେ । ସେମାନେ ସ୍ଥାନୀୟ ଲୋକଙ୍କ ଉପରେ ଅକଥନୀୟ ଅତ୍ୟାଚାର କରୁଥିବାବେଳେ ଆଫଗାନିସ୍ତାନର ଜାତୀୟ ହିରୋ କୁହାଯାଉଥିବା ଅହମ୍ମଦ ଶାହ ମାସୁଦଙ୍କ କବରକୁ ନଷ୍ଟ କରିଦେଇଛନ୍ତି । ପଞ୍ଜଶୀରରେ ଥିବା ଏହି କବର ଭଙ୍ଗାଯିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ମାସୁଦଙ୍କୁ ସମଗ୍ର ଆଫଗାନିସ୍ତାନର ଲୋକମାନେ ନାୟକଭାବେ ଦେଖୁଥିବାରୁ ତାଲିବାନର ଏହି କାର୍ଯ୍ୟକୁ ନେଇ ଆଫଗାନିସ୍ତାନରେ ତୀବ୍ର ପ୍ରତିକ୍ରିୟା ଦେଖାଦେଇଛି ।

 

ଅହମ୍ମଦ ଶାହ ମାସୁଦ ପଞ୍ଜଶୀରର ସିଂହ ଭାବେ ମଧ୍ୟ ଜଣାଶୁଣା । ୧୯୯୬ରେ ଆଫଗାନିସ୍ତାନରେ ତାଲିବାନ ଶାସନ ଚାଲିଥିବାବେଳେ ମଧ୍ୟ ମାସୁଦ ତାଲିବାନକୁ କଡ଼ା ଟକ୍କର ଦେଇଥିଲେ । ଫଳରେ ସେତେବେଳେ ପଞ୍ଜଶୀର ତାଲିବାନ ଦଖଲକୁ ଆସିପାରିନଥିଲା । ମାତ୍ର ୨୦୨୧, ସେପ୍ଟେମ୍ବର ୯ରେ ତାଲିବାନ ପକ୍ଷରୁ ଏକ ଆତ୍ମଘାତି ବୋମା ବିସ୍ଫୋରଣ କରି ମାସୁଦଙ୍କୁ ହତ୍ୟା କରାଯାଇଥିଲା । ଏହି ଘଟଣାର ୨ ଦିନ ପରେ ଆମେରିକାରେ ୯/୧୧ ଆକ୍ରମଣ ହୋଇଥିଲା । ଚଳିତ ବର୍ଷ ତାଙ୍କ ମୃତ୍ୟୁର ୨୦ ବର୍ଷ ପୂର୍ତ୍ତି ପାଳନ କରାଯାଉଛି ।

ଏବେ ଅହମ୍ମଦ ଶାହ ମାସୁଦଙ୍କ ପୁଅ ଅହମ୍ମଦ ମାସୁଦ ପଞ୍ଜଶୀରରେ ତାଲିବାନ ବିରୋଧୀ ସଂଗ୍ରାମର ନେତୃତ୍ବ ନେଉଛନ୍ତି । ଶେଷ ରକ୍ତବିନ୍ଦୁ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି ।

ସମ୍ବନ୍ଧିତ ଖବର