ଗୁଳିମାଡ଼ଠୁ ଆରମ୍ଭ କରି ଏସିଡମାଡ଼ ପର୍ଯ୍ୟନ୍ତ; ତାଲିବାନ ବର୍ବରତାର ଶିକାର ହୋଇଥିବା ଦୁଇ ମହିଳା ବଖାଣିଲେ ଛାତିଥରା କାହାଣୀ

କାବୁଲ: ଆଫଗାନିସ୍ତାନରେ ମହିଳାଙ୍କ ଉପରେ ତାଲିବାନର ବର୍ବରତା କାହାକୁ ଅଛପା ନାହିଁ । ୨୦ ବର୍ଷ ପୂର୍ବରୁ ତାଲିବାନ ମହିଳାଙ୍କ ପ୍ରତି ଅମାନବୀୟ ଓ ଅମାନୁଷିକ ଅତ୍ୟାଚାର କରୁଥିଲା ସେଥିରେ ଟିକିଏ ବି ପରିବର୍ତ୍ତନ ଦେଖିବାକୁ ମିଳିନାହିଁ । ଏବେ ମଧ୍ୟ ତାଲିବାନ ମହିଳାଙ୍କୁ ବିନା କାରଣରେ ମାଡ଼ ମାରିବାଠାରୁ ଆରମ୍ଭ କରି ବିଭିନ୍ନ କ୍ଷେତ୍ରରେ କଟକଣା ଲଗାଇ ନିଜର ଅସଲ ରୂପ ଦେଖାଉଛି । ଆଉ ଏବେ ତାଲିବାନର ଅସଲ ଚରିତ୍ର ଓ ଅସଲ ରୂପ ଭାରତୀୟ ଜାତୀୟ ଗଣମାଧ୍ୟମରେ ସାମ୍ନାରେ ରଖିଛନ୍ତି ଆଫଗାନିସ୍ତାନର ମହିଳା । ଆଫଗାନିସ୍ତାନରେ ତାଲିବାନ କିଭଳି ମହିଳାଙ୍କ ପାଇଁ ବିପଦ ସାଜିଛନ୍ତି ତାହାର କାହାଣୀ ବଖାଣିଛନ୍ତି ଦୁଇ ମହିଳା ।

ଖାତିରା ହାସମି, ଆଫଗାନିସ୍ତାନର ପୁଲିସ ଫୋର୍ସରେ ଇନସପେକ୍ଟର ଭାବେ କାମ କରୁଥିବା ଏହି ମହିଳାଙ୍କ ଜୀବନ ୨୦୨୦ ଯାଏଁ ବେଶ ଭଲରେ ବିତିଥିଲା । କିନ୍ତୁ ୨୦୨୦ରେ ଯେତେବେଳେ ତାଲିବାନର ପ୍ରାର୍ଦୁଭାବ ବଢ଼ିବା ଆରମ୍ଭ ହେଲା ସେତେବେଳେ ତାଲିବାନ ପକ୍ଷରୁ ଖାତିରାଙ୍କୁ ଧମକ ମିଳିଲା । ଜଣେ ମହିଳା କିପରି ପୁଲିସ ଫୋର୍ସରେ କାମ କରିବ ଏହାକୁ ନେଇ ଖାତିରା ଓ ତାଙ୍କ ପରିବାରକୁ ଧମକ ଦେଲା ତାଲିବାନ । ଆଉ ବାରମ୍ବାର ତାଲିବାନର ଧମକ ପରେ ଖାତିରାଙ୍କୁ ପୁଲିସ ଫୋର୍ସରେ କାମ ନ କରିବାକୁ ରୋକିଥିଲେ ତାଙ୍କ ସ୍ୱାମୀ । କିନ୍ତୁ ଖାତିରା ଏହାକୁ ଖାତିର ନକରି ପୁଲିସରେ କାମ କରିଚାଲିଲେ, ଯାହା ତାଲିବାନକୁ ସହଜରେ ହଜମ ହେଲା ନାହିଁ । ଖାତିରାଙ୍କୁ ଗୁଳି ମାରି ତାଙ୍କ ଆଖି ଫୁଟାଇ ଦେଇଥିଲେ ନୃଶଂସ ତାଲିବାନ। ଏହା ସହ ଖାତିରାଙ୍କୁ ମରିଯାଇଥିବା ଭାବି ରାସ୍ତା ମଝିରେ ଫୋପାଡ଼ି ଦେଇଥିଲେ । ତେବେ ପରବର୍ତ୍ତୀ ସମୟରେ ଖାତିରାଙ୍କୁ ପୁଲିସ ଉଦ୍ଧାର କରିବା ସହ ହସ୍ପିଟାଲରେ ଭର୍ତ୍ତି କରିଥିଲା, ଯେଉଁଠି ଦୀର୍ଘଦିନ ଧରି ଖାତିରାଙ୍କ ଚିକିତ୍ସା ଚାଲିଥିଲା । ଜୀବନ ସିନା ବଞ୍ଚିଗଲା କିନ୍ତୁ ଖାତିରାଙ୍କ ପାଇଁ ଦୁନିଆ ସବୁଦିନ ଅନ୍ଧକାର ହୋଇଗଲା ।

www.indiatoday.in

ତାଲିବାନ ନୃଶଂସତାର ଶିକାର ହୋଇଥିବା ଆଉ ଜଣେ ମହିଳା ହେଉଛନ୍ତି ଶାହିନ ମହମ୍ମଦି, ଯିଏ ଏବେ ଭାରତରେ ଶରଣାର୍ଥୀ ଭାବେ ରହୁଛନ୍ତି । ଶାହିନ ଦୀର୍ଘ ବର୍ଷ ହେବ ଆମେରିକା ପାଇଁ କାମ କରୁଥିଲେ । ପେସାରେ ସାମ୍ବାଦିକା ଥିବା ଶାହିନଙ୍କର ଆମେରିକା ସେନା ସହ ଉତ୍ତମ ସର୍ମ୍ପକ ଥିଲା । କିନ୍ତୁ ଯେତେବେଳେ ତାଲିବାନ ଏକଥା ଜାଣିଲା ସେତେବେଳେ ଶାହିନଙ୍କୁ ମାଡ଼ ମାରିବା ସହ ଏସିଡ ପକାଇ ମୁହଁକୁ ନଷ୍ଟ କରିଦିଆଗଲା । ତେବେ  ପରବର୍ତ୍ତୀ ସମୟରେ ଶାହିନ ପ୍ଲାଷ୍ଟିକ ସର୍ଜରୀ କରି ନିଜ ଚେହେରାକୁ କିଛି ମାତ୍ରାରେ ଠିକ୍ କରିଥିଲେ । ଶାହିନଙ୍କ କହିବା ଅନୁଯାୟୀ, ଆମେରିକା ସହ ଯେଉଁମାନେ କାମ କରୁଥିଲେ କିମ୍ବା ଆମେରିକା ସେନାକୁ ସହଯୋଗ କରୁଥିଲେ ତାଲିବାନ ସେମାନଙ୍କ ପ୍ରତି ଅତି ନୃଶଂସ ପାଲଟି ଯାଉଥିଲା । ଏପରିକି କିଛି ଲୋକଙ୍କର ହାତ ମଧ୍ୟ କାଟି ଦେବା ସହ ଗରମ ତେଲ ପକାଇ ଦେଉଥିଲେ ତାଲିବାନୀ ଯୋଦ୍ଧା । ଉଭୟ ମହିଳା ଓ ପୁରୁଷ କାହା ପ୍ରତି ଦୟା ଦେଖାଉନଥିଲେ ତାଲିବାନୀ ।

ସମ୍ବନ୍ଧିତ ଖବର