ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ଏବେ ୱାସିଂଟନ୍‌ ଡି.ସି.ରେ ଉବେର୍‌ କାର୍‌ ଡ୍ରାଇଭର୍‌

ୱାସିଂଟନ୍‌ ଡିସି: ଆଫଗାନିସ୍ତାନର ପୂର୍ବତନ ଅର୍ଥମନ୍ତ୍ରୀ ୪୦ ବର୍ଷିୟ ଖଲିଦ୍‌ ପାଏଣ୍ଡା ୱାସିଂଟନ୍‌ ଡିସିରେ ଉବେର୍‌ କାର୍‌ ଚଳାଇ ଜୀବିକା ଅର୍ଜନ କରୁଛନ୍ତି। ତାଲିବାନ୍‌ କାବୁଲ୍‌ ଅଧିକାର କରିବାର ଏକ ସପ୍ତାହ ପୂର୍ବରୁ ସେ ଅର୍ଥମନ୍ତ୍ରୀ ପଦବୀରୁ ଇସ୍ତଫା ଦେଇସାରିଥିଲେ। ଆଫଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଅଶରଫ୍‌ ଗନିଙ୍କ ସହିତ ତାଙ୍କର ସୁସମ୍ପର୍କ ନ ରହିବାରୁ ସେ ଇସ୍ତଫା ଦେଇଥିବା ଖବର ପ୍ରକାଶ ପାଇଥିଲା।

ଦୈନିକ ଉପାର୍ଜନ ବିଷୟରେ କହିବା ବେଳେ ପାୟେଣ୍ଡା ‘ୱାସିଂଟନ୍‌ ପୋଷ୍ଟ୍‌’କୁ କହିଛନ୍ତି ଯେ, ଚଳିତ ସପ୍ତାହର ପ୍ରାରମ୍ଭର ଗୋଟିଏ ରାତିରେ ସେ ୬ ଘଣ୍ଟା କାମ କରି ୧୫୦ ଡଲାର୍‌ରୁ ସାମାନ୍ୟ ଅଧିକ ରୋଜଗାର କରିଥିଲେ। କିନ୍ତୁ, ଦିନେ ସେ ଆଫଗାନିସ୍ତାନରେ ଯୁକ୍ତରାଷ୍ଟ୍ର ଆମେରିକା ସମର୍ଥିତ ୬ ବିଲିୟନ୍‌ ଡଲାର୍‌ ବଜେଟ୍‌ର ତତ୍ତ୍ବାବଧାରକ ଥିଲେ।

Image Courtesy of HourlyHits

ଯୁକ୍ତରାଷ୍ଟ୍ର ଆମେରିକାକୁ ଆସିବା ପରେ ପାଏଣ୍ଡା ଓ ତାଙ୍କ ପରିବାରର ପୁନର୍ମିଳନ ହୋଇଥିଲା। ପରିବାର ଚଳାଇବାରେ ସହାୟତା କରିବାକୁ ସମର୍ଥ ହୋଇଥିବାରୁ ସେ ନିଜକୁ ଧନ୍ୟ ମଣୁଥିଲେ ବି କହିଛନ୍ତି, ଏବେ ମୋର ନିଜସ୍ବ ବାସ ନାହିଁ। ମୁଁ ଏଠାକାର ନୁହେଁ, କି ସେଠାକାର ନୁହେଁ। ଖୁବ୍‌ ହତାଶିଆ ଲାଗୁଛି।

ଏଥିସହ ପାଏଣ୍ଡା ‘ଜର୍ଜଟାଉନ୍‌ ବିଶ୍ବବିଦ୍ୟାଳୟ’ର ‘ୱଲ୍‌ସ୍‌ ସ୍କୁଲ୍‌ ଅଫ୍‌ ଫରେନ୍‌ ସର୍ଭିସ୍‌’ରେ ଜଣେ ଅତିରିକ୍ତ ପ୍ରଧ୍ୟାପକ ଭାବେ ମଧ୍ୟ କ‌ାର୍ଯ୍ୟ କରୁଛନ୍ତି।

ଆଫଗାନିସ୍ତାନର ମାନବୀୟ ଏବଂ ଅର୍ଥନୈତିକ ସଙ୍କଟ ବିଷୟରେ ପାଏଣ୍ଡା କହନ୍ତି, ମୁଁ ଗୁଡ଼ାଏ ଅପ୍ରୀତିକର କଥା ଦେଖୁଛି, ଆମେ ବିଫଳ ହୋଇଛୁ। ମୁଁ ମଧ୍ୟ ଏହି ଅସଫଳତାର ଅଂଶବିଶେଷ। ଲୋକମାନଙ୍କର ଦୁର୍ଦ୍ଦଶା ଦେଖିବା ଏବଂ ସେଥିପାଇଁ ଅପରାଧବୋଧ କରିବା ବଡ଼ କଷ୍ଟକର।

ସମ୍ବନ୍ଧିତ ଖବର