ମୁମ୍ବାଇ: ଜୁଲାଇ ୧୨ ତାରିଖ ଦିନ ଚଳନ୍ତା ରେଳଗାଡ଼ିରୁ ଓହ୍ଲାଇବା ବେଳେ ଦୁଇ ଗୋଡ଼ ହରାଇଥିବା ୨୪ ବର୍ଷୀୟ ଦକ୍ଷିଣ ସୁଦାନୀୟ ଛାତ୍ରୀ ଜୋଓ୍ଵାହିର୍ ଅବ୍ଦଲ୍ଲାଙ୍କର ଏକାଧିକ ଅଙ୍ଗ ଅକାମୀ ହୋଇ ଯିବାରୁ ବୁଧବାର ଦିନ ସିଓନ୍ ହସ୍ପିଟାଲ୍ରେ ତାଙ୍କର ମୃତ୍ୟୁ ଘଟିଛି।
ତାଙ୍କର ଘନିଷ୍ଠ ବନ୍ଧୁମାନେ କହିଛନ୍ତି କି, ରେଳବାଇ ଦୂରଗାମୀ ଟ୍ରେନ୍ଗୁଡ଼ିକର ରହଣି ସମୟ ବୃଦ୍ଧି କରିବା ଉଚିତ। ଫଳରେ ଜୀବନକୁ ବିପନ୍ନ ନ କରି ଯାତ୍ରୀମାନେ ଓହ୍ଲାଇ ପାରିବେ। ବିମାନ ଯୋଗେ ତାଙ୍କର ଶବ ସୁଦାନକୁ ଫେରାଇ ନ ନେଇ ସେହି ଦିନ ସନ୍ଧ୍ୟାରେ ଚନ୍ଦନଓ୍ଵାଡ଼ି ମଶାଣିରେ ପୋତି ପକାଇବାକୁ ତାଙ୍କ ପରିବାର ନିଷ୍ପତ୍ତି ଗ୍ରହଣ କରିଥିଲେ।
ଦାଦର ଯାଏଁ ଯିବା ଲାଗି ଅବ୍ଦଲ୍ଲା ଏବଂ ତାଙ୍କର ପାଞ୍ଚ ଜଣ ବନ୍ଧୁ ମିରଜ ଠାରୁ କୋଣ୍ୟା ଏକ୍ସ୍ପ୍ରେସ୍ରେ ଚଢ଼ିଥିଲେ। ସେଠାରୁ ସେମାନେ ବିମାନ ଯୋଗେ ଘରକୁ ଫେରି ଆସିଥାଆନ୍ତେ। ଚାରି ବର୍ଷ ପରେ ଅବଦଲ୍ଲା ନିଜ ପରିବାରକୁ ଭେଟିବାକୁ ଦକ୍ଷିଣ ସୁଦାନ ଯାତ୍ରା କରିଥାଆନ୍ତା।
ଦୁର୍ଘଟଣା ପରେ ଅବ୍ଦଲ୍ଲା ବ୍ଲାଡର୍ରେ କ୍ଷତ ହେବା ସହ, କଟି ହାଡ଼ ଚଡ଼କି ଯାଇଥିଲ। ଏହାଛଡ଼ା ତାଙ୍କର ଦୁଇ ଗୋଡ଼ ମଧ୍ୟ କଟା ଯାଇଥିଲା। ସେଥିଯୋଗୁଁ ପଲିଟ୍ରମା ପରେ ପରେ ସେପ୍ଟିସେମିଆ ହୋଇ ସେ ରାତି ୧ଟା ୧୦ ମିନିଟ୍ ସମୟରେ ପ୍ରାଣ ହରାଇଥିଲେ ବୋଲି ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର ରାଜେଶ ଦେରେ କହିଛନ୍ତି।
ଛଅ ଭାଇଭଉଣୀଙ୍କ ମଧ୍ୟରେ ଅବ୍ଦଲ୍ଲା ଥିଲେ ସବୁଠୁ ସାନ। ଜଣେ ମେଧାବିନୀ ଛାତ୍ରୀ ହିସାବରେ ସେ ସରକାରଙ୍କ ପ୍ରାୟୋଜିତ ବୃତ୍ତି ହାସଲ କରି ସାଙ୍ଗଲି ଠାରେ ଥିବା ଏକ ପ୍ରଯୁକ୍ତି ବିଦ୍ୟା ପ୍ରତିଷ୍ଠାନରେ ଅଧ୍ୟୟନ କରୁଥିଲେ।
ଘଟଣାର ସତ୍ୟାସତ୍ୟ ଜାଣିବାକୁ ଅବ୍ଦଲ୍ଲାଙ୍କ ଡାକ୍ତର ଭଉଣୀ ମୁସ୍ତଫା ରେଳବାଇ ପୁଲିସକୁ ଦୁର୍ଘଟଣା ସଂକ୍ରାନ୍ତ ସିସିଟିଭି ଫୁଟେଜ୍ ମାଗିଛନ୍ତି। ଯଦି ସେମିତି କିଛି ସନ୍ଦେହଜନକ ଘଟଣା ଆଭାସ ମିଳେ ତେବେ ସେ ଚୁପ୍ ହୋଇ ବସିବେ ନାହିଁ ବୋଲି କହିଛନ୍ତି।