ନୂଆଦିଲ୍ଲୀ: ୬ସପ୍ତାହରେ ଶେଷ ହେଲା ଚତୁର୍ଥ ଲହର। ଦକ୍ଷିଣ ଆଫ୍ରିକାରେ ୬ସପ୍ତାହରେ ଚତୁର୍ଥ ଲହର ଶେଷ ହୋଇଥିବା କହିଛି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ। ଏକ ବିବୃତି ଜାରି କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ, ଦକ୍ଷିଣ ଆଫ୍ରିକାରେ ଓମିକ୍ରନ୍ ପ୍ରଜାତି ଯୋଗୁଁ ଆସିଥିବା କରୋନାର ଚତୁର୍ଥ ଲହର ପ୍ରାୟ ୬ ସପ୍ତାହର ଦ୍ରୁତ ସଂକ୍ରମଣ ପରେ କମିବା ଆରମ୍ଭ ହୋଇଛି । ୬ ସପ୍ତାହ ଧରି ଦେଶରେ ପ୍ରାୟ ୧ କୋଟି ଲୋକଙ୍କୁ ସଂକ୍ରମିତ କରିବା ପରେ ଏହା ଏକପ୍ରକାର କମିବା ସ୍ଥିତିକୁ ଆସିଯାଇଥିବା କହିଛନ୍ତି ଆଫ୍ରିକାରେ ଥିବା ଡବ୍ଲୁଏଚଓର ଆଞ୍ଚଳିକ ନିର୍ଦ୍ଦେଶକ ।

Advertisment

କରୋନାର ଓମିକ୍ରନ୍ ପ୍ରଜାତି ପ୍ରଥମେ ଦକ୍ଷିଣ ଆଫ୍ରିକାରେ ହିଁ ଚିହ୍ନଟ ହୋଇଥିଲା । ୨୦୨୧ ନଭେମ୍ବର ୨୪ ତାରିଖରେ ଏହାକୁ ଚିହ୍ନଟ କରି ଡବ୍ଲୁଏଚଓକୁ ଜଣାଇବା ପରେ ନଭେମ୍ବର ୨୬ରେ ଏହାକୁ ଭାରିଆଣ୍ଟ ଅଫ କନସର୍ଣ୍ଣ ଘୋଷଣା କରିଥିଲା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ।

ଜାନୁଆରି ୯ପରେ ଦକ୍ଷିଣ ଆଫ୍ରିକାରେ କରୋନା ସଂକ୍ରମଣ ହାର ୧୪ ପ୍ରତିଶତ କମ୍ ରହିଛି । ସେହିପରି ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ପ୍ରାୟ ୫ ହଜାର ୬ଶହ ଆଇସିୟୁ ବେଡରୁ ୯ ପ୍ରତିଶତ ଅକ୍ତିଆର ହୋଇଛି । କିନ୍ତୁ ପୂର୍ବ ସପ୍ତାହ ଅପେକ୍ଷା ମୃତ୍ୟୁ ହାର ୬୪ ପ୍ରତିଶତ ବଢିଛି । କାରଣ ଟିକା ନେଇନଥିବା ଓ ଜଟିଳ ରୋଗ ଥିବା ଅଧିକାଂଶ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି ।

COVID-19 Is Here To Stay': WHO Warns Coronavirus Won't Disappear But Will eventually Fade

ଦକ୍ଷିଣ ଆଫ୍ରିକାରେ କରୋନା ମାମଲା କମିଥିଲେ ମଧ୍ୟ ଚିନ୍ତା ଦୂର ହୋଇନାହିଁ । ତା’ର ବଡ କାରଣ ହେଲା ଦକ୍ଷିଣ ଆଫ୍ରିକାର ଧିମା ଟିକାକରଣ । ଏଠାରେ ମାତ୍ର ୧୦ ପ୍ରତିଶତ ଲୋକଙ୍କୁ କରୋନା ଟିକା ଦିଆଯାଇଛି । ତେଣୁ ଯେପର୍ଯ୍ୟନ୍ତ ଟିକାକରଣ ବ୍ୟାପକ ହୋଇନାହିଁ ସଂକ୍ରମଣ ବଢିଲେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ବଢିବାର ଆଶଙ୍କା ରହିଛି ।

ଏଥିରେ ସନ୍ଦେହ ନାହିଁ ଯେ, ଦକ୍ଷିଣ ଆଫ୍ରିକାରେ ଡେଲ୍ଟାର ସ୍ଥାନ ନେଇ ସାରିଛି ଓମିକ୍ରନ୍ ଭୂତାଣୁ । ବିଶେଷଜ୍ଞଙ୍କ ଅନୁସାରେ ମାତ୍ର ୨ ସପ୍ତାହରେ ଓମିକ୍ରନ ସାରା ଆଫ୍ରିକାରେ ଡେଲ୍ଟାର ସ୍ଥାନ ନେଇଗଲା ଏବଂ ୬ ସପ୍ତାହରେ ଏହା ଶୀର୍ଷକୁ ଛୁଇଁ ପୁଣି କମିଲା । ତେଣୁ ଏହା ସବୁଠାରୁ କମ୍ ସମୟରେ ଦକ୍ଷିଣ ଆଫ୍ରିକାରେ ଶୀର୍ଷରେ ପହଞ୍ଚି ପୁଣି ହ୍ରାସ ପାଇଛି । ସାରା ବିଶ୍ୱରେ ଓମିକ୍ରନ୍ ଭୂତାଣୁର ଏହି ଟ୍ରେଣ୍ଡ ଦେଖିବାକୁ ମିଳିବ ବୋଲି ଆକଳନ କରାଯାଉଛି ।