ଆସାମରୁ ହଟିବ ସ୍ବତନ୍ତ୍ର ସେନା ଆଇନ, ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା କହିଛନ୍ତି ଯେ ୨୦୨୩ ଶେଷ ସୁଦ୍ଧା ଆସାମରୁ ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର କ୍ଷମତା ଆଇନ (ଆଫସ୍ପା) ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ଲକ୍ଷ୍ୟ ରଖାଯାଇଛି ।

ସେ କହିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ରକ୍ଷା ଓ  ବିଚ୍ଛିନ୍ନତାବାଦୀଙ୍କ ମୁକାବିଲା ପାଇଁ ରାଜ୍ୟର  ପୁଲିସ ବାହିନୀକୁ ସ୍ବତନ୍ତ୍ର ପ୍ରଶିକ୍ଷଣ ଦିଆଯିବ । ଏଥିପାଇଁ ପୂର୍ବତନ ସେନା କର୍ମଚାରୀଙ୍କୁ ମଧ୍ୟ ନିୟୋଜିତ କରାଯିବ । ଗତ ମାର୍ଚ୍ଚ ୩୦ତାରିଖରେ ଆସାମ ସରକାର ୮ଟି ଜିଲ୍ଲାରେ ଆଫସ୍ପାର ପରିସରକୁ ଆଉ ୬ ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଥିଲେ। ତେବେ ପୂର୍ବରୁ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଥର ଆଫସ୍ପା ଅଧୀନରେ ଥିବା ଅଞ୍ଚଳ ହ୍ରାସ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ଗତବର୍ଷ ଆସାମ ଏପ୍ରିଲରେ ୮ଟି ଜିଲ୍ଲାରୁ ଏବଂ ଅକ୍ଟୋବରରେ ୧ଟି ଜିଲ୍ଲାରୁ ଆଫସ୍ପା ହଟାଇଥିଲା।

୪୫ ବର୍ଷ ପୂର୍ବେ ଭାରତୀୟ ସଂସଦ ସଶସ୍ତ୍ର ବାହିନୀ ସ୍ୱତନ୍ତ୍ର ଶକ୍ତି ଆଇନ-୧୯୫୮ ପ୍ରଣୟନ କରିଥିଲା, ଯାହା ଏକ ସାମରିକ ଆଇନ ଯାହା “ଅଶାନ୍ତ” ଅଞ୍ଚଳରେ କାର୍ଯ୍ୟକାରୀ କରାଯାଏ । ଏହି ଆଇନ ସୁରକ୍ଷା ବାହିନୀ ଏବଂ ସେନାକୁ କିଛି ସ୍ୱତନ୍ତ୍ର କ୍ଷମତା ପ୍ରଦାନ କରିଥାଏ, ଯେପରିକି ବିନା ଓ୍ବାରେଣ୍ଟରେ ଗିରଫ କରିବା । ସେପ୍ଟେମ୍ବର ୧, ୧୯୫୮ରେ ଭାରତର ଉତ୍ତର-ପୂର୍ବ ରାଜ୍ୟଗୁଡ଼ିକରେ ଆଫସ୍ପା କାର୍ଯ୍ୟକାରୀ ହୋଇଥିଲା । ଉତ୍ତରପୂର୍ବ ରାଜ୍ୟଗୁଡ଼ିକରେ ହିଂସା ରୋକିବା ପାଇଁ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା । କିନ୍ତୁ ଯେଉଁସବୁ ସ୍ଥାନରେ ଏହି ଆଇନ ଲାଗୁ କରାଯାଉଛି ସେଠାକାର ଲୋକେ ଏହାକୁ ବିରୋଧ କରୁଛନ୍ତି ।

ସମ୍ବନ୍ଧିତ ଖବର