ନୂଆଦିଲ୍ଲୀ: ଦିଲ୍ଲୀର ଶ୍ରଦ୍ଧା ୱାକର ହତ୍ୟା ମାମଲାର ଅଭିଯୁକ୍ତ ଅଫ୍ତାବ ଆମିନି ପୁନାୱାଲା ନାର୍କୋ ଟେଷ୍ଟ୍ରେ ତା’ର ଅପରାଧ ସ୍ବୀକାର କରିଛି। ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ସେ ସ୍ବୀକାର କରିବା ସହ ପୁଲିସର ସମସ୍ତ ପ୍ରଶ୍ନର ଜବାବ ଦେଇଛି। ଶ୍ରଦ୍ଧାଙ୍କୁ ହତ୍ୟା କରିବା ପାଇଁ ସେ ନିଜେ ହିଁ ସବୁ ଯୋଜନା କରିଥିଲା ଏବଂ ହତ୍ୟା ପରେ ଶବକୁ ଖଣ୍ଡ ଖଣ୍ଡ କରି ଫ୍ରିଜ୍ରେ ରଖିବା ସହ ପରେ ଜଙ୍ଗଲରେ ନେଇ ଫୋପାଡ଼ିଥିବା କହିଛି। ଏହା ପୂର୍ବରୁ ପଲିଗ୍ରାଫ୍ ଟେଷ୍ଟ୍ରେ ମଧ୍ୟ ଅଫ୍ତାବ ଅପରାଧ ସ୍ବୀକାର କରିଥିଲା।
ତେବେ ଆଇନ ବିଶେଷଜ୍ଞମାନେ କହିଛନ୍ତି ଯେ ଅଫ୍ତାବ ପଲିଗ୍ରାଫ୍ ଏବଂ ନାର୍କୋ ଟେଷ୍ଟ୍ରେ ଯେଉଁସବୁ ସ୍ବୀକାରୋକ୍ତି ଦେଇଛି ତାହା ପ୍ରଚଳିତ ଆଇନ ବ୍ୟବସ୍ଥାରେ କୌଣସି ନିର୍ଣ୍ଣାୟକ ତଥା ବୈଧ ପ୍ରମାଣ ଭାବେ ଗ୍ରହଣ ହେବନାହିଁ। ପୁଲିସକୁ ଅନେକ ବଳିଷ୍ଠ ପ୍ରମାଣ ଉପସ୍ଥାପନ କରିବାକୁ ପଡ଼ିବ ଏବଂ ଡିଏନ୍ଏ ରିପୋର୍ଟଗୁଡ଼ିକ ଏ କ୍ଷେତ୍ରରେ ନିର୍ଣ୍ଣାୟକ ହେବ। ଅନ୍ୟପକ୍ଷରେ ପୁଲିସ ଅଫ୍ତାବର ସ୍ବୀକାରୋକ୍ତିକୁ ଯେଭଳି ଗୁରୁତ୍ବ ଦେଉଛି ପ୍ରମାଣ ହାସଲରେ ସେଭଳି ତତ୍ପରତା ଦେଖାଇନଥିବାରୁ ଅଫ୍ତାବକୁ ଦୋଷୀ ସାବ୍ୟସ୍ତ କରିବାରେ ସମସ୍ୟା ଆସିପାରେ ବୋଲି କୁହାଯାଉଛି।
ଶ୍ରଦ୍ଧାଙ୍କୁ ହତ୍ୟା ପରେ ଅଫ୍ତାବ ତା’ର ମୋବାଇଲ ଫୋନ୍ ଓଏଲ୍ଏକ୍ସରେ ବିକ୍ରି କରିଦେଇଥିଲା। ପୁଲିସ ଏବେ ଉକ୍ତ ଫୋନ୍କୁ ହାସଲ କରିବାରେ ସକ୍ଷମ ହୋଇଛି। ଦିଲ୍ଲୀର ଜଣେ ଯୁବକ ଏହାକୁ ଓଏଲ୍ଏକ୍ସରେ କିଣିଥିଲା। ଖୁବ୍ଶୀଘ୍ର ଏହି ମୋବାଇଲ୍କୁ ଫରେନ୍ସିକ ଯାଞ୍ଚ ପାଇଁ ପଠାଯିବ। ତେବେ ଏହି ଫୋନ୍ ଇତିମଧ୍ୟରେ ଅନେକ ଥର ଫର୍ମାଟ୍ ହୋଇସାରିଥିବା ଜଣାପଡ଼ିଛି।