ଅଦାଲତରେ ଅପରାଧ ସ୍ବୀକାର କଲା ଅଫ୍‌ତାବ: ପୁଲିସ ରିମାଣ୍ଡ୍‌ ୪ ଦିନ ବଢ଼ିଲା

ଫରେନ୍ସିକ ଟିମ୍‌କୁ ଅଧିକ ପ୍ରମାଣ ମିଳିଲା, ପୁଲିସର ବୟାନକୁ ଅଫ୍‌ତାବର ଓକିଲଙ୍କ ଖଣ୍ଡନ, ନାର୍କୋ ଟେଷ୍ଟ ପ୍ରକ୍ରିୟା ଆରମ୍ଭ

ନୂଆଦିଲ୍ଲୀ: ଦିଲ୍ଲୀରେ ଶ୍ରଦ୍ଧା ୱାକର୍‌ଙ୍କୁ ହତ୍ୟା ମାମଲାରେ ଅଭିଯୁକ୍ତ ଅଫ୍‌ତାବ ଆମିନ ଆଜି ଅଦାଲତରେ ତା’ର ଅପରାଧ ସ୍ବୀକାର କରିଛି। ହଠାତ ଅତି ମାତ୍ରାରେ ଉତ୍ତେଜିତ ହୋଇ ସେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା ଅଦାଲତରେ କହିଛି। ଆଜି ଦିଲ୍ଲୀର ସାକେତ କୋର୍ଟରେ ଅଫ୍‌ତାବକୁ ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ହାଜର କରାଯାଇଥିଲା। କୋର୍ଟ ଆଜି ଅଫ୍‌ତାବର ପୁଲିସ ରିମାଣ୍ଡ୍‌ ମିଆଦକୁ ଆଉ ୪ ଦିନ ବଢ଼ାଇଛନ୍ତି। ଅଦାଲତରେ ଆଜି ଅଫ୍‌ତାବ କହିଛି ଯେ ପୁଲିସକୁ ଜେରା ସମୟରେ ସେ ଯାହାସବୁ କହିଛି ତାହା ସତ୍ୟ। ହଠାତ କ୍ରୋଧ ଆସିବାରୁ ସେ ଶ୍ରଦ୍ଧାଙ୍କୁ ହତ୍ୟା କରିଥିଲା ଏବଂ ଶବ ନଷ୍ଟ କରିବାକୁ ବିଭିନ୍ନ କୌଶଳ ଅବଲମ୍ବନ କରିଥିଲା । ୨୮ ବର୍ଷୀୟ ଅଫ୍‌ତାବ କହିଛି ଯେ ସେ ପୁଲିସକୁ ତଦନ୍ତରେ ସେହଯୋଗ କରୁଛି ଏବଂ ଯେଉଁ ସବୁ ଅଂଚଳରେ ଶ୍ରଦ୍ଧାଙ୍କ ଶରୀରର କଟା ଅଂଶ ଫୋପାଡ଼ିଥିଲା ସେହି ସ୍ଥାନ ସଂପର୍କରେ ସୂଚନା ଦେଇଛି । ତେବେ ତା’ର ବ୍ୟକ୍ତିଗତ ଜୀବନକୁ ନେଇ ଯେଉଁ ସବୁ ଅଭିଯୋଗ ହେଉଛି ତାହା ସଂପୂର୍ଣ୍ଣ ସତ୍ୟ ନୁହେଁ ବୋଲି ସେ କହିଛି । ଅନ୍ୟପକ୍ଷରେ ଅଫ୍‌ତାବର ଓକିଲ ଅବିନାଶ କୁମାର କହିଛନ୍ତି ଯେ ଅଫ୍‌ତାବ ଶ୍ରଦ୍ଧାଙ୍କୁ ହତ୍ୟା କରିଥିବା କୋର୍ଟରେ କହିନାହିଁ ଏବଂ ପୁଲିସ ଭିନ୍ନ ବ୍ୟାଖ୍ୟା କରୁଛି। ଏହାକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଥିବାରୁ ପୁଲିସ ଏ ବାବଦ ପ୍ରମାଣ ଜାରି କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ଅଫ୍‌ତାବ ଶ୍ରଦ୍ଧାଙ୍କ ଶରୀରକୁ ଖଣ୍ଡ ଖଣ୍ଡ କରି କାଟିବା ପରେ ତାହାକୁ ଯେଉଁସବୁ ସ୍ଥାନରେ ପକାଇଥିଲା ସେ ସଂପର୍କରେ କେତେକ ବିଭ୍ରାନ୍ତିକର ତଥ୍ୟ ଦେଇଥିବାରୁ ଅଧିକ ଜେରାର ଆବଶ୍ୟକ ରହିଛି ବୋଲି ପୁଲିସ ପକ୍ଷରୁ ଅଦାଲତରେ ନିବେଦନ କରାଯାଇଥିଲା। ଅନ୍ୟପକ୍ଷରେ ଅଫ୍‌ତାବର ଛତ୍ରପୁର ଫ୍ଲାଟ୍‌ରୁ ଆଜି ଫରେନ୍ସିକ ଟିମ୍‌କୁ ଅଧିକ ପ୍ରମାଣ ମିଳିଛି । ବାଥରୁମ୍‌ର ଟାଇଲ ଭଙ୍ଗାଯିବା ପରେ ସେଠାରେ ରକ୍ତ ଚିହ୍ନ ଦେଖିବାକୁ ମଳିଛି । ଏହି ଟାଇଲ୍‌ଗୁଡ଼ିକର ଡିଏନ୍‌ଏ ପରୀକ୍ଷା ପାଇଁ ପଠାଯାଇଛି । ଅନ୍ୟପକ୍ଷରେ ଗୁରୁଗ୍ରାମ ଜଙ୍ଗଲରୁ ମିଳିଥିବା ପ୍ରମାଣଗୁଡ଼ିକୁ ମଧ୍ୟ କେନ୍ଦ୍ରୀୟ ଫରେନ୍ସିକ ସାଇନ୍ସ ଲେବୋରେଟୋରିକୁ ପଠାଯାଇଛି । ଆଜି ସନ୍ଧ୍ୟାରେ ରୋହିଣୀ ଫରେନ୍ସିକ ଲ୍ୟାବ୍‌ରେ ଅଫ୍‌ତାବର ପଲିଗ୍ରାଫ୍‌ ଟେଷ୍ଟ୍‌ ପ୍ରକ୍ରିୟା ଆରମ୍ଭ ହୋଇଛି ।

ସମ୍ବନ୍ଧିତ ଖବର