ଡାକ୍ତରଙ୍କ ସହ ଡେଟିଂ କରୁଥିଲା ଅଫତାବ୍‌, ସୋମବାର ନାର୍କୋ ଟେଷ୍ଟ୍‌

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବ ଆମିନ ପୁନାୱାଲାକୁ ଆଜି ଦିଲ୍ଲୀ କୋର୍ଟ ୧୩ ଦିନ ପାଇଁ ନ୍ୟାୟିକ ହାଜତ ପଠାଇଦେଇଛନ୍ତି। ଆସନ୍ତା ଡିସେମ୍ବର ୮ ପର୍ଯ୍ୟନ୍ତ ଅଫତାବ ତିହାର ଜେଲ୍‌ରେ ରହିବ। ଅନ୍ୟପକ୍ଷରେ ତଦନ୍ତକାରୀ ପୁଲିସ ଟିମ୍‌ ଆଜି ଅଫ୍‌ତାବ ସହ ସଂପର୍କରେ ଥିବା ଜଣେ ମହିଳା ଡାକ୍ତରଙ୍କୁ ଜେରା କରୁଛନ୍ତି। ସେ ଜଣେ ମନସ୍ତତ୍ତ୍ବବିତ୍‌ ବୋଲି ଜଣାପଡ଼ିଛି। ଅଫ୍‌ତାବ ଏହି ମହିଳାଙ୍କ ସହ ଏକ ଡେଟିଂ ଆପ୍‌ ମାଧ୍ୟମରେ ସଂପର୍କ ବଢ଼ାଇଥିଲା ଏବଂ ଶ୍ରଦ୍ଧାଙ୍କୁ ହତ୍ୟା ପରେ ନିଜ ଫ୍ଲାଟ୍‌କୁ ଅନେକ ଥର ଆଣିଥିଲା। ଆଜି ପୁଲିସ ଏହି ମହିଳାଙ୍କୁ ଜେରା କରିଛି ଏବଂ ଆଗକୁ ଅଧିକ ଜେରା ହେବ ବୋଲି ଜଣାପଡ଼ିଛି।

ଅଫତାବର ମେଡିକାଲ ଚେକ୍‌ ଅପ୍‌ ପାଇଁ ଆଜି ତାକୁ ଆମ୍ବେଦକର ହସ୍ପିଟାଲ୍ ନିଆଯାଇଥିବା ବେଳେ ହସ୍ପିଟାଲ୍‌ର ଏକ ରୁମ୍‌ରୁ ପୁଲିସ ତାକୁ ଭିଡିଓ କନଫରେନ୍ସ ମାଧ୍ୟମରେ ଦିଲ୍ଲୀ ସାକେତ ଜିଲ୍ଲା କୋର୍ଟରେ ହାଜର କରାଇଛି। କୋର୍ଟ ଆସନ୍ତା ଡିସେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ଅଫତାବକୁ ଜେଲ୍‌ ପଠାଇ ଦେଇଛନ୍ତି। ଅଫତାବର ଏବେ ମାରାଥନ ପଲିଗ୍ରାଫ୍‌ ଟେଷ୍ଟ୍‌ ଚାଲିଥିବା ବେଳେ ଆସନ୍ତା ସୋମବାର ଦିନ ତା’ର ନା‌ର୍କୋ ଟେଷ୍ଟ୍‌ ହେବ। ଅନ୍ୟପକ୍ଷେ ଅଫତାବକୁ ପଲିଗ୍ରାଫ ଟେଷ୍ଟ୍‌ ସମୟରେ କେଉଁ ପ୍ରଶ୍ନ କରାଯିବ ତାହା ସେ ପୂର୍ବାନୁମାନ କରିଥିଲା ଏବଂ ଏନେଇ ସେ ପୂର୍ବରୁ ରିହର୍ସାଲ କରିଥିବା ଜଣାପଡ଼ିଛି ବୋଲି ତଦନ୍ତକାରୀ ଅଧିକାରୀମାନେ କହିଛନ୍ତି। ଅଫତାବକୁ ଜେରା କରିବା ସମୟ‌‌ରେ ସେ ଅତି ସ୍ପଷ୍ଟ ଭାବେ ବିନା ଭୟରେ ମିଛ କହୁଥିଲା ବୋଲି ଫରେନ୍ସିକ ବିଶେଷଜ୍ଞମାନେ କହିଛନ୍ତି।

ସମ୍ବନ୍ଧିତ ଖବର