ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ମାମଲାରେ ଜାମିନ ପାଇଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ଆପ୍ ନେତା ମନୀଷ ସିସୋଦିଆ ଗତକାଲି ଜେଲ୍ରୁ ମୁକୁଳିବାପରେ ଆଜି ପାର୍ଟି ଅଫିସରେ ଦଳୀୟ କର୍ମକର୍ତ୍ତାଙ୍କୁ ଉଦ୍ବୋଧନ ଦେଇଛନ୍ତି। ସିସୋଦିଆ କହିଛନ୍ତି, ତାଙ୍କୁ ୭ରୁ ୮ ମାସ ମଧ୍ୟରେ ନ୍ୟାୟ ମିଳିବ ବୋଲି ଆଶା ଥିଲା କିନ୍ତୁ ଏଥିପାଇଁ ୧୭ ମାସ ଲାଗିଗଲା। ଆପ୍ କର୍ମୀମାନଙ୍କୁ ଉଦବୋଧନ ଦେବା ଅବସରରେ ସିସୋଦିଆ ସୁପ୍ରିମକୋର୍ଟ ରାୟକୁ ପ୍ରଶଂସା କରି କହିଛନ୍ତି, ଏକଛତ୍ରବାଦକୁ ଶେଷ କରିବାପାଇଁ କୋର୍ଟ ସମ୍ବିଧାନର କ୍ଷମତାକୁ ବ୍ୟବହାର କରିଛନ୍ତି ଏବଂ ପରିଶେଷରେ ସତ୍ୟର ଜୟ ହେଲା।
ସେ କହିଛନ୍ତି, ଗତ ୧୭ ମାସର ଲୁହ ମୋତେ ବହୁତ ଶକ୍ତି ଦେଇଛି। ମୁଁ ଆଶା କରିଥିଲି ଯେ ୭/୮ ମାସ ମଧ୍ୟରେ ମତେ ନ୍ୟାୟ ମିଳିଯିବ। କିନ୍ତୁ ୧୭ ମାସ ବିତିଯାଇଥିଲେ ବି ସତ୍ୟର ଜୟ ହୋଇଛି। ବିଜେପି ଆପ୍ ନେତାଙ୍କୁ ମିଥ୍ୟା ମାମଲାରେ ଫସାଉଛି ବୋଲି ସିସୋଦିଆ ଅଭିଯୋଗ କରିଛନ୍ତି। ସେମାନେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ଅନ୍ୟମାନଙ୍କୁ ମଧ୍ୟ ମିଥ୍ୟା ମାମଲାରେ ଫସାଉଛନ୍ତି ଓ ଆତଙ୍କବାଦୀଙ୍କ ବିରୋଧରେ ଯେଭଳି କଡ଼ା ଆଇନ କାର୍ଯ୍ୟକାରୀ ହେଉଛି ସେସବୁ ଆମ ପ୍ରତି ବ୍ୟବହାର କରାଯାଉଛି। ଏବେ ଜେଲ୍ରେ ଥିବା କେଜ୍ରିୱାଲ ମଧ୍ୟ ଖୁବଶୀଘ୍ର ମୁକୁଳିବେ ବୋଲି ସିସୋଦିଆ ଆଶା ପ୍ରକଟ କରିଛନ୍ତି।