ଅଯୋଧ୍ୟା: ଅଯୋଧ୍ୟା ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ଦେଶରେ ଉତ୍ସବର ପରିବେଶ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ଏକ ନୂଆ ସମ୍ବାଦ ସାମ୍ନାକୁ ଆସିଛି। ଅଯୋଧ୍ୟାର ସରେଇଆସି ଗ୍ରାମର ‘ସୂର୍ଯ୍ୟବଂଶୀ ଠାକୁର’ ସଂପ୍ରଦାୟର ଲୋକଙ୍କ ଦୀର୍ଘ ୫୦୦ ବର୍ଷର ସ୍ବପ୍ନ ପୂରଣ ହୋଇଛି। ୫୦୦ ବର୍ଷ ପରେ ସୂର୍ଯ୍ୟବଂଶୀ ଠାକୁର ସଂପ୍ରଦାୟର ଲୋକେ ମୁଣ୍ଡରେ ପଗଡ଼ି ପିନ୍ଧିଛନ୍ତି। ରାମଲାଲାଙ୍କ ଜନ୍ମସ୍ଥାନରେ ରାମମନ୍ଦିର ପୁନଃନିର୍ମାଣ ନହେବା ପର୍ଯ୍ୟନ୍ତ ସେମାନେ ପଗଡ଼ି ପିନ୍ଧିବେ ନାହିଁ ବୋଲି ‌ଶପଥ ନେଇଥିଲେ। ସୂର୍ଯ୍ୟବଂଶୀମାନେ ରାଜପୁତ ବଂଶର। ଅର୍ଥାତ୍‌ ଯେଉଁମାନେ ଭଗବାନ ରାମଙ୍କ ପରିବାରର। ୧୫୨୮ ମସିହାରେ ବାବରଙ୍କ ଜେନେରାଲ ମିର ବକି ରାମ କୋଟ୍‌ ଅଞ୍ଚଳରେ ରାମ ମନ୍ଦିରକୁ ଭାଙ୍ଗି ବାବ୍ରି ମସଜିଦ ନିର୍ମାଣ କରିଥିଲେ। ଏଥିରେ ସୂର୍ଯ୍ୟବଂଶୀ ଠାକୁର ସଂପ୍ରଦାୟର ଲୋକମାନେ ପ୍ରଭାବିତ ହୋଇଥିଲେ ମଧ୍ୟ କିଛି କରିପାରି ନଥିଲେ। କିନ୍ତୁ ସେମାନେ ଶପଥ ନେଇଥିଲେ ଯେ ସେମାନଙ୍କ ସମ୍ମାନ ଓ ଗର୍ବର ପ୍ରତୀକ ପଗଡ଼ିକୁ ସେମାନେ ସେ ପର୍ଯ୍ୟନ୍ତ ପିନ୍ଧିବେ ନାହିଁ ଯେ ପର୍ଯ୍ୟନ୍ତ ବାବ୍ରି ମସଜିଦ ସ୍ଥଳରେ ରାମ ମନ୍ଦିର ପୁନଃନିର୍ମାଣ ନହୋଇଛି। ୧୯୯୨ ମସିହାରେ ବାବ୍ରି ମସଜିଦ ଭଙ୍ଗା ହୋଇଥିଲା। କିନ୍ତୁ ମୂଳ ରାମ ମନ୍ଦିର ଭଙ୍ଗାଯିବାର ପ୍ରାୟ ୫୦୦ ବର୍ଷ ପରେ ଏବେ ନୂଆ ରାମ ମନ୍ଦିର ନିର୍ମାଣ ହେଉଛି।