ଭୁବନେଶ୍ବର: ବାହାନଗା ରେଳ ଦୁର୍ଘଟଣା ଯୋଗୁଁ ଧ୍ବସ୍ତବିଧ୍ବସ୍ତ ରେଳ ଲାଇନ ମରାମତି କାମ ଆଜି ସନ୍ଧ୍ୟାରେ ଶେଷ ହୋଇଛି। ଦୀର୍ଘ ୫୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ରେଳ ଧାରଣା ଏବଂ ଓଭର ହେଡ୍ ବିଦ୍ୟୁତ ସରବରାହ ସ୍ବାଭାବିକ ହୋଇଛି। ରାତି ପ୍ରାୟ ୧୦ଟା ପରେ ଉଭୟ ଅପ୍ ଏବଂ ଡାଉନ୍ ଲାଇନରେ ପରୀକ୍ଷାମୂଳକ ଭାବେ ମାଲଗାଡ଼ି ଚଳାଚଳ ଆରମ୍ଭ କରିଛି। ବୁଧବାର ସୁଦ୍ଧା ଏହି ରୁଟ୍ରେ ଟ୍ରେନ୍ ଚଳାଚଳ ସ୍ବାଭାବିକ କରିବାକୁ ଉଦ୍ୟମ ଜାରି ରଖିଛି ଦକ୍ଷିଣପୂର୍ବ ରେଳବାଇ। ଦୁର୍ଘଟଣାସ୍ଥଳରେ ଧ୍ବସ୍ତବିଧ୍ବସ୍ତ ଅବସ୍ଥାରେ ପଡ଼ିରହିଥିବା ଟ୍ରେନ୍ର ବଗିଗୁଡ଼ିକୁ ଟ୍ରାକରୁ ହଟାଇ ଦିଆଯାଇଛି। ଟ୍ରେନ୍ ଚଳାଇବା ଲାଗି ସମସ୍ତ ଯାଞ୍ଚ ପ୍ରକ୍ରିୟା ଜାରି ରହିଛି। ଚେନ୍ନାଇ-ହାଓଡ଼ା ଡାଉନ୍ ଟ୍ରାକ୍ର ମରାମତି କାମ ଶେଷ ହୋଇ ଯାଇଥିବାରୁ ଉକ୍ତ ଲାଇନ୍ରେ ପ୍ରଥମେ ପରୀକ୍ଷାମୂଳକ ଭାବେ (ଟ୍ରାଏଲ) ଟ୍ରେନ୍ ଚଳାଇବାକୁ ନିଷ୍ପତ୍ତି ହୋଇଥିଲା। ଶନିବାରଠାରୁ ଦୁର୍ଘଟଣାସ୍ଥଳରେ ଡେରା ପକାଇଥିବା କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ସହିତ ବରିଷ୍ଠ ରେଳ ପଦାଧିକାରୀ ପୁନରୁଦ୍ଧାର କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି।
ଆଜି ପୂର୍ବାହ୍ନ ୧୧ଟା ସୁଦ୍ଧା ଡାଉନ୍ ଟ୍ରାକ୍ ମରାମତି କାମ ଶେଷ ହେବାପରେ ବିଦ୍ୟୁତ୍ ଲାଇନ୍ କାମ କରାଯାଇଥିଲା। ପରେ ମୁଖ୍ୟ (ଅପ୍ ଲାଇନ୍) ରେଳଲାଇନ୍ ସଜାଡ଼ିବା କାମ ଆରମ୍ଭ ହୋଇଥିଲା। ଦକ୍ଷିଣ ପୂର୍ବ ରେଳପଥର ୧ ହଜାରରୁ ଅଧିକ କର୍ମଚାରୀ ଓ ଅଧିକାରୀ ଏହି କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ତେବେ ପ୍ରବଳ ଖରା ପାଇଁ କର୍ମଚାରୀମାନେ ନାକେଦମ ହୋଇଥିଲେ। ଯେଉଁଥି ପାଇଁ କାମ ବିଳମ୍ବିତ ହୋଇଥିବା କୁହାଯାଉଛି। ଆଜି ସକାଳେ ସ୍ଥିତି ଅନୁଦ୍ଧାନ କରିବା ପରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଥିଲେ, ରେଳଧାରଣାରୁ ସମସ୍ତ ୨୧ଟି ବଗିକୁ ଅପସାରଣ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଟ୍ରାକ୍ ମରାମତି ଓ ବିଦ୍ୟୁତ ତାରଟଣା କାମ ଚାଲିଛି। ଆଜି ରାତି ସୁଦ୍ଧା ଗୋଟିଏ ଟ୍ରାକ୍ କାର୍ଯ୍ୟ ଶେଷ ହେବ ଓ ୩ ନମ୍ବର ଟ୍ରାକ୍ରେ ଟ୍ରେନ୍ ଚଳାଚଳ କରିବ।
ବୁଧବାର ସୁଦ୍ଧା ଅନ୍ୟାନ୍ୟ ସମସ୍ତ ଟ୍ରାକ୍ କାମ ଶେଷ ହୋଇ ରେଳ ଚଳାଚଳ ସ୍ବାଭାବିକ ହେବ ବୋଲି କହିଛନ୍ତି ମନ୍ତ୍ରୀ ଶ୍ରୀ ବୈଷ୍ଣବ।ବିଶେଷସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାରେ ୪ଟି ଯାକ ଟ୍ରାକ୍ ପ୍ରଭାବିତ ହୋଇଛି। ଅପ୍ ଲାଇନ୍ (ହାଓଡ଼ା-ଚେନ୍ନାଇ) ପାଖାପାଖି ଗୋଟିଏ କିମି ପର୍ଯ୍ୟନ୍ତ ନଷ୍ଟ ହୋଇଛି। ଏହାର ମରାମତି ଲାଗି ୨ ହଜାର ସ୍ଲିପର୍ ସହ ଗୋଟିଏ କିଲୋମିଟର ରେଳ ଟ୍ରାକ୍ ବିଛାଯାଇଛି। ବହୁ ପରିମାଣର ବାଲାଷ୍ଟ (ଟ୍ରାକ୍ରେ ପଡ଼ିଥିବା ମେଟାଲ୍) ନଷ୍ଟ ହୋଇଛି। ତାହାକୁ ଭରଣା କରିବା ଏବେ କଷ୍ଟକର ହୋଇପଡ଼ିଛି। ତେଣୁ ଏହି ଲାଇନ୍ ମରାମତି ଶେଷ ହେବାକୁ ଆହୁରି ୨୪ ଘଣ୍ଟା ଲାଗିଯିବ ବୋଲି ରେଳ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି। ତେବେ ଡାଉନ୍ ଲାଇନ୍ ବିଶେଷ ପ୍ରଭାବିତ ହୋଇ ନ ଥିବାରୁ ଏହାର ମରାମତି ଶୀଘ୍ର ହୋଇଥିଲା।