ଅଟକିଲା ୬୦ ହଜାର ଅବସରପ୍ରାପ୍ତ ସୈନିକଙ୍କ ପେନସନ, ସରକାରଙ୍କୁ ରାହୁଲଙ୍କ ଟାର୍ଗେଟ୍

ନୂଆଦିଲ୍ଲୀ : ଡିଜିଟାଲ ଲାଇଫ୍ ସାର୍ଟିଫିକେଟ୍ ଦାଖଲ କରିନଥିବାରୁ ପ୍ରାୟ ୬୦ ହଜାର ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପେନସନ ଅଟକି ରହିଛି । ଏହାକୁ ନେଇ ଅବସରପ୍ରାପ୍ତ ସେନା କର୍ମଚାରୀମାନେ ଅସନ୍ତୋଷ ପ୍ରକଟ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ ଡିଜିଟାଲ ଲାଇଫ ସାର୍ଟିଫିକେଟ୍ ଦେଇନଥିବାରୁ ପ୍ରାୟ ୫୮,୨୭୫ ଜଣ ଭେଟେରାନଙ୍କ ଏପ୍ରିଲ ମାସର ପେନସନ ଅଟକି ରହିଛି । ଏହି ଘଟଣାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏକ ଟୁଇଟ କରି ସେ ଲେଖିଛନ୍ତି, “ଓ୍ବାନ ରାଙ୍କ –ଓ୍ବାନ ପେନସନ ଠକେଇ ପରେ ମୋଦୀ ସରକାର ଅଲ ରାଙ୍କ ନୋ ପେନସନ ନୀତି ଗ୍ରହଣ କରିଛନ୍ତି । ସୈନିକଙ୍କ ଅପମାନ ଦେଶର ଅପମାନ । “

କିନ୍ତୁ ସବୁଆଡୁ ବିରୋଧ ହେବା ପରେ ଆଜି ଅର୍ଥାତ ମେ ୪ ତାରିଖଦିନ ସେମାନଙ୍କୁ ପେନସନ ପଠାଯାଇଥିବା ପ୍ରତିରକ୍ଷା ମନ୍ତ୍ରାଳୟ କହିଛି । ତେବେ ନିଜର ଲାଇଫ ସାର୍ଟିଫିକେଟ ଦେବାକୁ ସେମାନଙ୍କୁ ଆସନ୍ତା ମେ ୨୫ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି ।

ଅବସରପ୍ରାପ୍ତ କର୍ମଚାରୀମାନଙ୍କ ପେନସନ ଜାରି ରଖିବାକୁ ହେଲେ ସେମାନଙ୍କୁ ପ୍ରତିବର୍ଷ ଡିଜିଟାଲ ଲାଇଫ ସାର୍ଟିଫିକେଟ ଦେବାକୁ ହୁଏ । ଏହା ଦ୍ବାରା ସେମାନେ ଜୀବିତ ଅଛନ୍ତି ବୋଲି ପ୍ରମାଣିତ ହୁଏ । ପୂର୍ବରୁ ଏହା ମାନୁଆଲ ଉପାୟରେ ହେଉଥିବାବେଳେ ବିଗତ କିଛି ବର୍ଷ ହେଲା ଏହା ବାୟୋମେଟ୍ରିକ ବ୍ୟବହାର ମାଧ୍ୟମରେ କରାଯାଉଛି ।

 

 

ସମ୍ବନ୍ଧିତ ଖବର