ଅମରାବତୀକୁ ପରିତ୍ୟାଗ କରିବାର ୧୪ ମାସ ପରେ ପୁଣି ତାହାକୁ ବିକଶିତ କରିବାକୁ ନିଷ୍ପତ୍ତି ନେଲେ ଜଗନ ସରକାର

ହାଇଦ୍ରାବାଦ: ଶୁକ୍ରବାର ଦିନ ଆନ୍ଧ୍ରପ୍ରଦେଶ ଉଚ୍ଚ ନ୍ୟାୟାଳୟ ରାଜ୍ୟର ଏକ୍ଜିକ୍ୟୁଟିଭ୍ କ୍ୟାପିଟାଲ୍‌ ଅମରାବତୀରୁ ବିଶାଖାପଟନମ୍ ସ୍ଥାନାନ୍ତର ଉପରେ ଅଗଷ୍ଟ ୨୭ ତାରିଖଯାଏଁ ସ୍ଥିତାବସ୍ଥା ବୃଦ୍ଧି କରିବା ପରେ ଅମରାବତୀର ଅସମ୍ପୂର୍ଣ୍ଣ କାର୍ଯ୍ୟ ଶେଷ କରି ତାହାକୁ ମେଟ୍ରୋପଲିଟାନ୍‌ ଅଞ୍ଚଳ ଭାବେ ବିକାଶ କରିବାକୁ ଜଗନମୋହନ ରେଡ୍ଡୀ ସରକାର ପ୍ରସ୍ତାବ ଆଣିଛନ୍ତି।

୨୦୧୯ ମସିହା ମେ ୩୦ ତାରିଖ ଦିନ ଜଗନ ମୁଖ୍ୟମନ୍ତ୍ରୀ ହେବା ପରେ ଅମରାବତୀରେ ବିଭିନ୍ନ ପର୍ଯ୍ୟାୟରେ ଚାଲିଥିବା ହଜାର ହଜାର କୋଟିର ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଯାଇଥିଲା। ରାଜପଥକୁ ଅମରାବତୀ ସହ ‌ସଂଯୁକ୍ତ କରୁଥିବା ଆଠ‌ ଲେନ୍‌ବିଶିଷ୍ଟ ସିଡ୍ ରୋଡ୍‌, ଇଣ୍ଟର୍‌ନାଲ୍‌ ରୋଡ୍‌, ଟ୍ରଙ୍କ୍‌ ଲାଇନ୍, କଲ୍‌ଭର୍ଟ ନିର୍ମାଣ, ସଚିବାଳୟ, ବିଧାନସଭା ଓ ହାଇକୋର୍ଟ କମ୍ପ୍ଲେକ୍ସ ଭବନ, ବିଚାରପତି, ବିଧାୟକ, ମନ୍ତ୍ରୀ, ଅଲ୍‌-ଇଣ୍ଡିଆ ସର୍ଭିସ୍‌ ଅଫିସର୍, ରାଜ୍ୟ ସରକାରଙ୍କ କର୍ମଚାରୀଙ୍କ ନିମନ୍ତେ ଆବାସିକ କ୍ବାର୍ଟର୍ସ ଏବଂ ସ୍ଥାୟୀ ସରକାରୀ ଭବନ।

ଏକ୍‌ଜିକ୍ୟୁଟିଭ୍ କ୍ୟାପିଟାଲ୍‌ ବିଶାଖାପାଟଣା, ଜୁଡିସିଆଲ୍ କ୍ୟାପିଟାଲ୍‌ କୁର୍ଣ୍ଣୂଲ୍‌ ଏବଂ ଅମରାବତୀକୁ କେବଳ ଲେଜିସ୍‌ଲେଟିଭ୍ କ୍ୟାପିଟାଲ୍ କରି ସମୁଦାୟ ତିନିଟି କ୍ୟାପିଟାଲ୍‌ ସିଟି ଲାଗି ଜଗନ ପ୍ରସ୍ତାବ ଦେଇଥିଲେ।

Image Courtesy of Hindustan Times

ରାଜଧାନୀ ନଗରୀ ଲାଗି ପ୍ରାୟ ୩୪, ୦୦୦ ଏକର ଜମି ଦେଇଥିବା ଅମରାବତୀର କୃଷକମାନେ ଜଗନ ସରକାରଙ୍କ ତିନି ରାଜଧାନୀ ଯୋଜନାକୁ ହାଇକୋର୍ଟରେ ଚାଲେଞ୍ଜ୍‌ କରିଥିଲେ। ଅଗଷ୍ଟ ୪ ତାରିଖ ଦିନ ହାଇକୋର୍ଟ ଅମରାବତୀ ଉପରେ ଶୁକ୍ରବାରଯାଏଁ ସ୍ଥିତାବସ୍ଥା ଜାରି କରିଥିଲେ। ଏବଂ ଶୁକ୍ରବାର ଦିନ ପୁନର୍ବାର ଅଗଷ୍ଟ ୨୭ ତାରିଖଯାଏଁ ସ୍ଥିତାବସ୍ଥା ଜାରି କରିଛନ୍ତି।

ବୁଧବାର ଦିନ ଜଗନ ଅମରାବତୀ ମେଟ୍ରୋପଲିଟାନ୍‌ ରିଜନ୍ ଡେଭ୍‌ଲପ୍‌ମେଣ୍ଟ୍‌ ଅଥରିଟିଙ୍କ ସହ ଉଚ୍ଚସ୍ତରୀୟ ବୈଠକ ଡକାଇ ବନ୍ଦ ଥିବା କାମ ସମ୍ପୂର୍ଣ୍ଣ କରିବାକୁ ଯୋଜନା କରିଛନ୍ତି। ସମସ୍ତ କାର୍ଯ୍ୟ ପୂର୍ଣ୍ଣାଙ୍ଗ ହେବାକୁ ୧୪ ରୁ ୧୫ ହଜାର କୋଟି ଟଙ୍କା ଆବଶ୍ୟକ ହେବ ବୋଲି ‘ଏଏମ୍ଆର୍‌ଡିଏ’ କର୍ତ୍ତୃପକ୍ଷମାନେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଥିଲେ।

ଉଚ୍ଚ ନ୍ୟାୟାଳୟଙ୍କ ରହିତାଦେଶ ସତ୍ତ୍ବେ ଆଜି ୭୪ତମ ସ୍ବାଧୀନତା ଦିବସ ଅବସରରେ ବିଜୟୱାଡାସ୍ଥିତ ଇନ୍ଦିରା ଗାନ୍ଧୀ ମୁନିସିପାଲ୍‌ ଷ୍ଟାଡ଼ିୟମ୍‌ରେ ଜାତୀୟ ପତାକା ଉତ୍ତୋଳନ କରି ମୁଖ୍ୟମନ୍ତ୍ରୀ ଜଗନ ଘୋଷଣା କରିଛନ୍ତି ଯେ, ଖୁବ୍‌ ଶୀଘ୍ର ବିଶାଖାପାଟଣାରେ ଏକ୍ଜିକ୍ୟୁଟିଭ୍ କ୍ୟାପିଟାଲ୍‌ ଏବଂ କୁର୍ଣ୍ଣୂଲରେ ଜୁଡିସିଆଲ୍‌ କ୍ୟାପିଟାଲ୍‌ ନିମନ୍ତେ ଶିଳାନ୍ୟାସ ହେବ।

 

ସମ୍ବନ୍ଧିତ ଖବର