‘ବାୟୁବାହୀ’ ପରେ କୋଭିଡ୍‌-୧୯କୁ ନେଇ ମିଳିଲା ଆଉ ଏକ ବଡ଼ ପ୍ରମାଣ; ସଂକ୍ରମିତ ଗର୍ଭବତୀ ମହିଳାଙ୍କ ଗର୍ଭସ୍ଥ ଶିଶୁକୁ ମଧ୍ୟ ଆକ୍ରାନ୍ତ କରିଥାଏ ଭୂତାଣୁ!

ନୂଆଦିଲ୍ଲୀ: ସଂପ୍ରତି ସମଗ୍ର ବିଶ୍ୱ ପାଇଁ ଆତଙ୍କର କାରଣ ସାଜିଥିବା ନୋଭେଲ କରୋନାଭାଇରସ୍‌ ବା କୋଭିଡ୍‌-୧୯ ମହାମାରୀକୁ କେନ୍ଦ୍ରକରି ଏବେ ନୂଆ ନୂଆ ତଥ୍ୟ ଓ ପ୍ରମାଣ ସବୁ ସାମନାକୁ ଆସିବାରେ ଲାଗିଛି। କୋଭିଡ୍‌-୧୯ ଭୂତାଣୁ ବାୟୁବାହୀ ବା ବାୟୁ ମଣ୍ଡଳରେ ବିସ୍ତାରିତ ହୋଇ ମଧ୍ୟ ସଂକ୍ରମଣ ଘଟାଇପାରେ ବୋଲି ଗତ ଦୁଇଦିନ ତଳେ ଜଣାପଡ଼ିଥିବା ବେଳେ ଆଜି କୋଭିଡ୍‌-୧୯ ଭୂତାଣୁକୁ ନେଇ ସାମନାକୁ ଆସିଛି ଆଉ ଏକ ବଡ଼ ତଥ୍ୟ।

କୋଭିଡ୍‌-୧୯କୁ ନେଇ ମିଳିଥିବା ଏହି ନୂତନ ତଥ୍ୟରୁ ଜାଣିବାକୁ ମିଳିଛି ଯେ କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ହୋଇଥିବା ଗର୍ଭବତୀ ମହିଳାମାନଙ୍କର ଗର୍ଭସ୍ଥ ଶିଶୁ ମଧ୍ୟ କୋଭିଡ୍‌-୧୯ ଭୂତାଣୁ ଦ୍ୱାରା ଆକ୍ରାନ୍ତ ହୋଇଥାଏ। ଏବଂ ଏମାନଙ୍କ ଗର୍ଭରୁ ଜନ୍ମିତ ଶିଶୁ ମଧ୍ୟ କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ହୋଇଥାଏ। ଏନେଇ ଏବେ ଦୃଢ଼ ପ୍ରମାଣ ପାଇଛନ୍ତି କୋଭିଡ୍‌-୧୯ ଉପରେ ପରୀକ୍ଷା ନିରୀକ୍ଷା ଜାରି ରଖିଥିବା ଏକ ଗବେଷକ ଗୋଷ୍ଠୀ।

WHO

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍‌ଲ୍ୟୁଏଚ୍‌ଓ (ହୁ) ଗତ ମାସରେ କହଥିଲା ଯେ କୋଭିଡ୍‌-୧୯ ଦ୍ୱାରା ସଂକ୍ରମିତ ନୂତନ ମା’ ମାନେ ସ୍ତନ୍ୟପାନ ଜାରି ରଖିବା ଉଚିତ୍‌। ସେହପରି କୋଭିଡ୍‌-୧୯ ଭୂତାଣୁ ବାୟୁବାହୀ ନୁହେଁ ବୋଲି ମଧ୍ୟ ପୂର୍ବରୁ କହୁଥିଲା ହୁ। କିନ୍ତୁ, ଏବେ କୋଭିଡ୍‌-୧୯ ଭୂତାଣୁ ବାୟୁବାହୀ ଥିବା ସ୍ୱୀକାର କରୁଛି ହୁ।

ସେହିପରି ଏବେ କୋଭିଡ୍‌-୧୯ ଉପରେ ପରୀକ୍ଷା ନିରୀକ୍ଷା ଜାରି ରଖିଥିବା ଏକ ଗବେଷକ ଗୋଷ୍ଠୀ କୋଭିଡ୍‌-୧୯ ଆକ୍ରାନ୍ତ ଥିବା ଗର୍ଭବତୀ ମାତାମାନେ ସେମାନଙ୍କର ଜନ୍ମିତ ଶିଶୁଙ୍କୁ ମଧ୍ୟ କୋଭିଡ୍‌-୧୯ ସଂକ୍ରମିତ କରିପାରିବେ ବୋଲି ଦୃଢ଼ ପ୍ରମାଣ ପାଇଛନ୍ତି। ଏଥିସହ ମହାମାରୀ ସମୟରେ ଗର୍ଭବତୀ ମହିଳା ଓ ସେମାନଙ୍କ ନବଜାତକମାନଙ୍କୁ କିପରି ଏଥିରୁ ରକ୍ଷା କରାଯାଇ ପାରିବ ସେଥିନେଇ ଅଧିକ ଗବେଷଣା ଜାରି ରଖିଛନ୍ତି। ଏବଂ ଏକ୍ଷେତ୍ରରେ ଗର୍ଭଧାରଣର ପ୍ରଥମ ପର୍ଯ୍ୟାୟରେ ରହିଥିବା ଗର୍ଭବତୀ ମହିଳାମାନଙ୍କର ବିଶେଷ ଧ୍ୟାନ ନେବାକୁ ପରାମର୍ଶ ଦେଇଛନ୍ତି ଏହି ଗବେଷକ ଗୋଷ୍ଠୀ।

ସମ୍ବନ୍ଧିତ ଖବର