ଆଉ ଉଡିନପାରିଲେ ପୁରୁଣା ବିମାନ କଣ ହୁଏ? ଜାଣିଛନ୍ତି କି?

ନୂଆଦିଲ୍ଲୀ: ଦୂର ଦେଶ ହେଉ କି ଦୂର ଯାତ୍ରା ଆଜିର ସମୟରେ ବିମାନ ହେଉଛି ସବୁଠାରୁ ଭଲ ମାଧ୍ୟମ | ତେବେ ଅନେକ ଲୋକ ଭାବୁଥିବେ ଯେ ବିମାନଟିଏ ବହୁ ପୁରୁଣା ହେଲେ ବି କାର୍ଯ୍ୟକ୍ଷମ ହୋଇଥାଏ | କିନ୍ତୁ ଏହା ସତ୍ୟ ନୁହେଁ | ଯେଭଳି ଜଣେ କିଛି ବର୍ଷ ଚାକିରି କରିବା ପରେ ଅବସର ନେଇଥାଏ, ଠିକ ସେମିତି ବିମାନଟିଏ ମଧ୍ୟ କିଛି ନିର୍ଦ୍ଦିଷ୍ଟ ବର୍ଷ ସେବା ଯୋଗାଇବା ପରେ ଏହାକୁ ଅବ୍ୟାହତି ଦିଆଯାଏ | ସାଧାରଣତଃ ବିମାନର ହାରାହାରି ଆୟୁ ମାତ୍ର ୨୫ ବର୍ଷରୁ ୩୦ ବର୍ଷ ହୋଇଥାଏ | ଏକ ବିମାନର ବୟସ ସାଧାରଣତ ଚାପ ଚକ୍ର ଦ୍ୱାରା ମାପ କରାଯାଏ | ଯେତେବେଳେ ବିମାନଟି ଉଡ଼ିଥାଏ ଏହାର ପଙ୍ଖା ଓ ଡେଣା ଉପରେ ଚାପ ପକାଯାଇଥାଏ | ବିମାନ କମ୍ପାନୀମାନେ ଅନୁଧ୍ୟାନ କରନ୍ତି ଯେ ଏହି ଚାପ ଦ୍ୱାରା ବିମାନର କିଛି ଅଂଶ ନଷ୍ଟ ହୋଇଯାଇଛି କି? ତେବେ ସବୁ ବିମାନ ଯେ ୨୫ ବର୍ଷରୁ ୩୦ ବର୍ଷ ଯାଏଁ କାର୍ଯ୍ୟକ୍ଷମ ହୋଇ ରହିଥାଏ, ତାହା ସଠିକ ନୁହେଁ |

ଅଧିକାଂଶ ବିମାନ ୧୮ ବର୍ଷ ବୟସରେ ପହଞ୍ଚିବାବେଳକୁ ଅବ୍ୟାହତି ଦିଆଯାଇଥାଏ | ଏବେ ଆସନ୍ତୁ ଜାଣିବା ବିମାନକୁ ଅବ୍ୟାହତି ଦିଆଯିବା ପରେ କ’ଣ ହୁଏ? ଯେତେବେଳେ ଏକ ବିମାନକୁ ଅବ୍ୟାହତି ଦିଆଯାଏ,ଏହାକୁ ଷ୍ଟୋରେଜ୍ ବିମାନବନ୍ଦରକୁ ପଠାଯାଇଥାଏ | ଷ୍ଟୋରେଜ୍ ବିମାନବନ୍ଦର ବୋଲି ସେମିତି କିଛି ନଥାଏ | ବରଂ ଖୋଲା ଆକାଶ ତଳେ ବିମାନକୁ ରଖାଯାଇଥାଏ | ଷ୍ଟୋରେଜ୍ ବିମାନବନ୍ଦର ଦୁନିଆର ଅନେକ ସ୍ଥାନରେ ଉପଲବ୍ଧ | କିନ୍ତୁ ଏଥି ମଧ୍ୟରୁ ଅଧିକାଂଶ ଯୁକ୍ତରାଷ୍ଟ୍ରର ଦକ୍ଷିଣ-ପଶ୍ଚିମ ଦିଗରେ ରହିଛି |

ଏହାର କାରଣ ହେଉଛି ଏଠାରେ ଜମିର ଉପଲବ୍ଧତା ଅଧିକ ସହ ଏଠାରେ ବାୟୁ ବହୁତ ଶୁଷ୍କ ହୋଇଥିବାରୁ କଳଙ୍କି ହେବା ପ୍ରକ୍ରିୟା ବହୁତ ଧୀରେ ହୋଇଥାଏ | ଥରେ ବିମାନ ଏକ ଷ୍ଟୋରେଜ୍ ବିମାନବନ୍ଦରରେ ପହଞ୍ଚିବା ପରେ ଏହା ଉପରେ ଥିବା ଲବଣାକ୍ତ ଆବରଣକୁ ବାହାର କରିବା ପାଇଁ ଏହାକୁ ଭଲ ଭାବରେ ଧୋଇ ଦିଆଯାଏ | ଏହା ପରେ ଇନ୍ଧନ ଟାଙ୍କି ନିଷ୍କାସନ କରାଯାଏ ଏବଂ ଲୁବ୍ରିକାଣ୍ଟ ଲଗାଯାଏ | ଏହାର ଟାୟାରଗୁଡିକ ମଧ୍ୟ ସୁରକ୍ଷିତ ରଖାଯାଇଥାଏ | ଏବେ ଆପଣଙ୍କ ମନରେ ପ୍ରଶ୍ନ ଆସିବା ଯେ ଏଗୁଡ଼ିକୁ କାହିଁକି ସୁରକ୍ଷିତ କରି ରଖାଯାଏ ? ଏହାର ଉତ୍ତର ହେଉଛି ଯେ ହାରାହାରି, ପ୍ରତ୍ୟେକ ବିମାନ ୩୫୦,୦୦୦ ରୁ ଅଧିକ ଉପାଦାନ ବ୍ୟବହାର ହୋଇଥାଏ | ଏହାକୁ ଅବ୍ୟାହତି ଦିଆଯାଇଥିଲେ ବି ଏହାର ଅନେକ ଅଂଶ ଅନ୍ୟ ବିମାନରେ ବ୍ୟବହୃତ ହୁଏ |

ସମ୍ବନ୍ଧିତ ଖବର