ଜାମିନ ଦେବା ପରେ ଆଗାମୀ ସପ୍ତାହରେ ଥାନାରେ ହାଜର ହେବାକୁ ମନ୍ତ୍ରୀ ନାରାୟଣ ରାଣେଙ୍କୁ ନିର୍ଦେଶ ଦେଲେ ଅଦାଲତ

ମୁମ୍ବାଇ: ‘ଉଦ୍ଧବ ଠାକ୍‌ରେଙ୍କୁ ଚଟକଣା’ ମନ୍ତବ୍ୟ ଯୋଗୁଁ ଗତକାଲି ଗରିଫ ହୋଇଥିବା କେନ୍ଦ୍ରମନ୍ତ୍ରୀ ନାରାୟଣ ରାଣେଙ୍କୁ ୮ ଘଣ୍ଟା ମଧ୍ୟରେ ଜାମିନ ମିଳିଥିଲେ ସୁଦ୍ଧା ସେପ୍ଟେମ୍ବର ୨ ତାରିଖ ଦିନ ନାଶିକରେ ପୁଲିସ ଆଗରେ ହାଜର ହେବା ଲାଗି ତାଙ୍କୁ ନିର୍ଦେଶ ଦିଆଯାଇଛି।

ନାରାୟଣ ରାଣେଙ୍କ ବିରୋଧରେ ଦିଆଯାଇଥିବା ୪ଟି ‘ଏଫ୍‌ଆଇଆର୍‌’ରୁ ଗୋଟିଏ ନାଶିକରେ ଦାଏର ହୋଇଛି। ଆଗାମୀ ଗରୁବାର ମଧ୍ୟାହ୍ନ ୧୨ଟାରେ ଥାନାରେ ହାଜର ହେବା ଲାଗି ଗତ ବିଳମ୍ବିତ ରାତ୍ରରେ ମନ୍ତ୍ରୀଙ୍କୁ ନୋଟିସ୍ ଜାରି କରାଯାଇଥିଲା।

ମଧ୍ୟାହ୍ନ ଭୋଜନ ଖାଉଥିବା ବେଳେ ଅଚାନକ ଗିରଫ କରାଯାଇଥିବା ମନ୍ତ୍ରୀ ରାଣେଙ୍କୁ ରାତି ପ୍ରାୟ ୯.୪୫ରେ ଜାମିନ ମଳିଥିଲା। ଉପଯୁକ୍ତ ନୋଟିସ୍ ବିନା ତାଙ୍କୁ ରାଜନୈତିକ ଅଭିସନ୍ଧି ରଖି ଗିରଫ କରାଯାଇଥିବା କଥା ସେ ରାୟଗଢ଼ ଅଦାଲତରେ ଯୁକ୍ତି ବାଢ଼ିଥିଲେ। ଏହାଛଡ଼ା ସେ ତାଙ୍କ ସ୍ବାସ୍ଥ୍ୟାବସ୍ଥା କଥା ଏବଂ ସେ ଜଣେ କ୍ୟାବିନେଟ୍‌ ମନ୍ତ୍ରୀ ବୋଲି ଅଦାଲତଙ୍କୁ ଅବଗତ କରାଇଥିଲେ।

Image Courtesy of Mint

କେନ୍ଦ୍ରମନ୍ତ୍ରୀ ରାଣେଙ୍କୁ ୧୫,୦୦୦ ଟଙ୍କା ମୁଚାଲିକାରେ ମୁକ୍ତ କରାଯାଇ ଅଗଷ୍ଟ ୩୧ ଏବଂ ସେପ୍ଟେମ୍ବର ୧୩ ତାରିଖରେ ପୁଲିସ ନିକଟରେ ହାଜର ହେବାକୁ ନିର୍ଦେଶ ଦିଆଯାଇଥିଲା।

ଗିରଫଦାରୀ ଯୁକ୍ତିଯୁକ୍ତ ବୋଲି ରାୟଗଢ଼ ‌ଅଦାଲତଙ୍କର ହୃଦ୍‌ବୋଧ ହୋଇଥିଲା। ରାଣେ ଆଉ ଏଭଳି ଅପରାଧ ନ କରିବା ଉଚିତ ବୋଲି ଅଦାଲତ ଜାମିନ ଆଦେଶରେ ଉଲ୍ଲେଖ କରିଥିଲେ। ଉପରୋକ୍ତ ମନ୍ତବ୍ୟ ସଂକ୍ରାନ୍ତ କୌଣସି ପ୍ରମାଣର ଜାଲିଆତି ନ କରିବାକୁ ମଧ୍ୟ ଅଦାଲତ ରାଣେଙ୍କୁ ନିର୍ଦେଶ ଦେଇଛନ୍ତି।

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କ ଖ୍ୟାତିକୁ ବିଗାଡ଼ିବା ପାଇଁ କୌଣସି ଷଡ଼ଯନ୍ତ୍ର ଚାଲିଛି କି, ନାହିଁ ତାହାର ସତ୍ୟାସତ୍ୟ ଜାଣିବା ଲାଗି ୬୯ ବର୍ଷିୟ ବିଜେପି ନେତା ରାଣେଙ୍କୁ ପୁଲିସ ୭ ଦିନ ପାଇଁ ହାଜତକୁ ନେବାକୁ ଚାହିଁଥିଲା।

ସମ୍ବନ୍ଧିତ ଖବର