ବାଲାକୋଟ ଆକ୍ରମଣ ପରେ, ଜୈସ, ଲସ୍କର୍‌ କ୍ୟାମ୍ପ୍‌ ଆଫଗାନିସ୍ତାନକୁ ସ୍ଥାନାନ୍ତର

ନୂଆଦିଲ୍ଲୀ: ପାକିସ୍ତାନର ବାଲାକୋଟରେ ଆତଙ୍କବାଦୀ ସଂଗଠନ ଜୈସ୍‌ ଏ ମହମ୍ମଦର ତାଲିମ କେନ୍ଦ୍ରରେ ଭାରତୀୟ ବାୟୁସେନାର ବିମାନ ଆକ୍ରମଣ ପରେ ଏବେ ଜୈସ୍‌ ଏବଂ ଲସ୍କର ସେମାନଙ୍କ ଠିକଣା ବଦଳାଇଛନ୍ତି। ପାକିସ୍ତାନରୁ ଉଭୟ ସଂଗଠନର ସମସ୍ତ ବଡ଼ କ୍ୟାମ୍ପ୍‌ ଆଫଗାନିସ୍ତାନକୁ ସ୍ଥାନାନ୍ତର କରାଯାଇଛି। ବାଲାକୋଟ ଏୟାର ଷ୍ଟ୍ରାଇକ୍‌ରେ ପ୍ରାୟ ୩ ଶହ ଆତଙ୍କବାଦୀ ନିପାତ ହେବାପରେ ଜୈସ୍‌ ପାଇଁ ପାକିସ୍ତାନ ଆଉ ନିରାପଦ ହୋଇ ରହିନାହିଁ। ତେଣୁ ଆଫଗାନିସ୍ତାନର କୁନାର, ନଙ୍ଗରହାର, ନୁରିସ୍ତାନ ଏବଂ କାନ୍ଦାହାରରେ ନୂଆ ବେସ୍‌ କ୍ୟାମ୍ପ୍‌ ସ୍ଥାପନ କରି ସେଠାରେ ଲସ୍କର ଏବଂ ଜୈସ୍‌ ଆତଙ୍କବାଦୀଙ୍କୁ ତାଲିମ ଦିଆଯାଉଛି। ଏହି ଗୁଇନ୍ଦା ସୂଚନା ମିଳିବା ପରେ ଆଫଗାନିସ୍ତାନ ସ୍ଥିତ ଭାରତୀୟ ଦୂତାବାସ ଏବଂ ଅନ୍ୟ ଭାରତୀୟ ପ୍ରତିଷ୍ଠାନଗୁଡ଼ିକ ସର୍ବାଧିକ ସତର୍କତା ଅବଲମ୍ବନ କରିବାକୁ କୁହାଯାଇଛି । ଭାରତୀୟ ବାୟୁସେନାର ମିରାଜ ଜେଟ୍‌ ବାଲାକୋଟ କ୍ୟାମ୍ପ୍‌ ଉପରେ ସ୍ପାଇସ୍‌ ୨୦୦୦ ବୋମା ମାଡ଼ କରି ଆତଙ୍କବାଦୀଙ୍କୁ ମୂଳପୋଛ କରିଦେଇଥିଲା। ଭାରତର ଏହି କାର୍ଯ୍ୟାନୁଷ୍ଠାନ ପରେ ପାକିସ୍ତାନ ଉପରେ ଅନ୍ତର୍ଜାତୀୟ ଚାପ ମଧ୍ୟ ବୃଦ୍ଧି ପାଇଥିଲା। ଆତଙ୍କବାଦୀ ସଂଗଠନଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକଲେ କଠୋର ଆର୍ଥିକ କଟକଣାର ସମ୍ମୁଖୀନ ହେବାକୁ ଚେତାବନୀ ମିଳିବା ପରେ ଇମ୍ରାନ୍‌ ଖାନ୍‌ ସରକାରଙ୍କ ସମସ୍ୟା ବଢ଼ିଯାଇଥିଲା। ଏହାପରେ ଜୈସ୍‌ ଏବଂ ଲସ୍କରର୍‌ କେତେକ ପ୍ରମୁଖ ବେସ୍‌ କ୍ୟାମ୍ପ୍‌ ଏବେ ଆଫଗାନିସ୍ତାନକୁ ଉଠିଯାଇଛି।

ଆତଙ୍କବାଦୀଙ୍କୁ ଅର୍ଥ ଯୋଗାଣ ମାମଲାରେ ପାକିସ୍ତାନ କଠୋର ପଦକ୍ଷେପ ଗ୍ରହଣ କରୁନଥିବାରୁ ଏହାକୁ କଳା ତାଲିକାଭୁକ୍ତ କରିବା ପାଇଁ ଏଫ୍‌ଏଟିଏଫ୍‌ (ଫାଇନାନ୍‌ସିଆଲ ଆକ୍ସନ ଟାସ୍କ୍‌ ଫୋର୍ସ) ଚେତାବନୀ ଦେବାପରେ ଏବେ ପାକିସ୍ତାନ ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ୍‌ ହାଫିଜ୍‌ ସୟିଦ୍‌କୁ ଗିରଫ କରିବାକୁ ଘୋଷଣା କରିଛି। ତେବେ ଜମ୍ମୁ କଶ୍ମୀରରେ ଆତଙ୍କବାଦୀ କାର୍ଯ୍ୟକଳାପ ଜାରି ରଖିବା ପାଇଁ ଉଭୟ ଜୈସ୍‌ ଏବଂ ଲସ୍କର ଆତଙ୍କବାଦୀଙ୍କୁ ପାକ୍‌ ସେନା ଏବଂ ପାକ୍‌ ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇର ସମସ୍ତ ସମର୍ଥନ ଜାରି ରହିଛି। ସୀମାପାର ଆତଙ୍କବାଦ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାକିସ୍ତାନକୁ ବିଶ୍ବ ସମୁଦାୟରେ ଏକଘରିଆ କରିବାକୁ ପ୍ରୟାସ ଜାରି ରଖିଛନ୍ତି।

ସମ୍ବନ୍ଧିତ ଖବର