ନୂଆଦିଲ୍ଲୀ: ୧୨ ଘଣ୍ଟାର ମାରାଥନ ବିତର୍କ ପରେ ଗତରାତିରେ ଲୋକସଭାରେ ୱାକଫ୍ ସଂଶୋଧନ ବିଲ୍ ଗୃହୀତ ହେବା ଏନ୍‌ଡିଏର ସଫଳ ରଣନୀତିକୁ ପ୍ରତିପାଦିତ କରିଛି। ବିଲ୍‌ ସପକ୍ଷରେ ୨୮୮ ଓ ବିପକ୍ଷରେ ୨୩୨ ଭୋଟ ପଡ଼ିଥିଲା। ବିରୋଧୀ ସାଂସଦମାନେ ଆଣିଥିବା ସମସ୍ତ ସଂଶୋଧନକୁ ଧ୍ବନି ଭୋଟ୍‌ରେ ପ୍ରତ୍ୟାଖ୍ୟାନ କରାଯାଇଥିଲା। ନାଗରିକତା ସଂଶୋଧନ ଅଧିନିୟମ(ସିଏଏ) ଲାଗୁ ଏବଂ ତିନି ତଲାକ ଶେଷ କରିବା ଭଳି ପ୍ରଗତିଶୀଳ ପଦକ୍ଷେପ ପରେ ଏବେ ୱାକଫ୍‌ ବିଲ୍‌ ଏ କ୍ଷେତ୍ରରେ ଆଉ ଏକ ମାଷ୍ଟରଷ୍ଟ୍ରୋକ୍‌ ସାବ୍ୟସ୍ତ ହେବାକୁ ଯାଉଛି। ଲୋକସଭାରେ ବିଜେପିର ସହଯୋଗୀ ଦଳ ଜେଡିୟୁ, ତେଲୁଗୁ ଦେଶମ ପାର୍ଟି ଓ କେତେକ ଛୋଟ ଦଳର ସମର୍ଥନରେ ଏହି ବିଲ୍ ଗୃହୀତ ହୋଇଥିଲା। ଏହା ଏକ ଐତିହାସିକ ବିଲ୍, ଯାହା ୱକଫ୍ ବୋର୍ଡରେ ଦୁର୍ନୀତି ହ୍ରାସ କରିବ ଏବଂ ସ୍ବଚ୍ଛତା ଆଣିବ ବୋଲି ସରକାର କହିଛନ୍ତି।

Advertisment

ବିରୋଧୀ ଦଳ ଓ ଅନେକ ମୁସଲମାନ ସଂଗଠନ ଏହି ବିଲ୍‌କୁ ବିରୋଧ କରି ଅଭିଯୋଗ କରିଛନ୍ତି ଯେ ଏହା ୱକଫ୍ ବୋର୍ଡକୁ ନିୟନ୍ତ୍ରଣ କରିବାର ପ୍ରୟାସ। ଉଭୟ ଲୋକସଭା ଓ ରାଜ୍ୟସଭାରେ ଏହାକୁ ନେଇ ଘମାଘୋଟ ବିତର୍କ ହୋଇଛି।   ବିଜେପି ସମସ୍ତ ସହଯୋଗୀ ଦଳଙ୍କ ସମର୍ଥନ ହାସଲ କରିବା ଏହାର ସ୍ଥିତିକୁ ଅଧିକ ସୁଦୃଢ଼ କରିଛି। ସୂଚନାଯୋଗ୍ୟ,  ଗତ କିଛି ସପ୍ତାହ ଧରି ଦୁର୍ଗମ ଗାଁଗୁଡ଼ିକରେ ମଧ୍ୟ ଏକ ଅଭିଯାନ ଆରମ୍ଭ କରାଯାଇଥିଲା ଏବଂ ମୁସଲମାନମାନଙ୍କୁ କୁହାଯାଇଥିଲା ଯେ ସରକାର ମସଜିଦ ଓ କବରସ୍ଥାନ ସମେତ ସେମାନଙ୍କର ୱକଫ୍‌ ସମ୍ପତ୍ତି ଦଖଲ କରିବାକୁ ଚାହୁଛନ୍ତି। ତେବେ ଲୋକସଭାରେ କୌଣସି ବିରୋଧୀ ଦଳ ନେତା ସରକାର ଵକଫ୍ ସମ୍ପତ୍ତି ଦଖଲ କରିବେ ବୋଲି ଗୋଟିଏ ବି ପ୍ରମାଣ ଦେଖାଇ ପାରି ନ ଥିଲେ।

କଂଗ୍ରେସ, ତୃଣମୂଳ କଂଗ୍ରେସ, ରାଷ୍ଟ୍ରୀୟ ଜନତା ଦଳ ଓ ସମାଜବାଦୀ ପାର୍ଟି ମୁସଲମାନଙ୍କ ସ୍ବାର୍ଥ ପ୍ରସଙ୍ଗ ଉଠାଇ ସରକାରଙ୍କ ଯୋଜନାକୁ ପଣ୍ଡ କରିବେ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ।   ବିଜେପି ମୁସଲମାନଙ୍କ କଲ୍ୟାଣ ବିଷୟରେ କେମିତି କହିପାରିବ (?) ବୋଲି ପ୍ରଶ୍ନ କରାଯାଇଥିଲା ଏବଂ  ଯୁକ୍ତି ଦିଆଯାଇଥିଲା ଯେ ବିଜେପିର ଜଣେ ବି ମୁସଲମାନ ସାଂସଦ ନାହାନ୍ତି। ମୁସଲମାନଙ୍କ କଲ୍ୟାଣ ବିଷୟରେ କହିବାର ଅଧିକାର ଏହା କିପରି ଦାବି କରୁଛି ବୋଲି ବିରୋଧୀ ଦଳର ଅନେକ ନେତା ଲୋକସଭାରେ ପ୍ରଶ୍ନ କରିଥିଲେ। ତ‌େବେ ବିଜେପି ବିରୋଧରେ ଇଣ୍ଡି ମେଣ୍ଟ ନେତାଙ୍କ ଏହି ରଣନୀତି କାମ ଦେଲାନାହିଁ। ବିତର୍କ ସମୟରେ ଦିଆଯାଇଥିବା ଯୁକ୍ତି ଥିଲା ଯେ, ବିଜେପି ସରକାର ମୁସଲମାନମାନଙ୍କୁ ରାସ୍ତାରେ ନମାଜ ପଢ଼ିବାରୁ ବାରଣ କରନ୍ତି ଏବଂ କେନ୍ଦ୍ର ତିନି ତଲାକକୁ ଉଚ୍ଛେଦ କରିଥିଲା।  ଏହି ଵକଫ୍ ବିଲ୍‌ରେ ମଧ୍ୟ କିଛି ତ୍ରୁଟି ରହିଛି ବୋଲି କୁହାଯାଇଥିଲା। ବିରୋଧୀଙ୍କ ଯୁକ୍ତି ଥିଲା ଯେ ବିଜେପି ସରକାର ମହାକୁମ୍ଭ ମେଳା ଆୟୋଜନ ଏବଂ କାଶୀ ବିଶ୍ୱନାଥ ମନ୍ଦିର ଓ ଉଜ୍ଜୟିନୀର ମହାକାଳ ମନ୍ଦିର ଚାରିପାଖରେ କରିଡର ନିର୍ମାଣ କରିବାରେ ନିଜକୁ ସୀମିତ ରଖିବା ଉଚିତ। ମୁସ୍‌ଲିମଙ୍କ ସମ୍ପତ୍ତି ସଂପର୍କରେ ମୁଣ୍ଡ ଖେଳାଇବା ଅଧିକାର ବିଜେପିର ନାହିଁ ବୋଲି ଅନେକ ନେତା ଯୁକ୍ତି ରଖିଥିଲେ।

ଅନ୍ୟ କୌଣସି ପୂର୍ବ ସରକାର ମୁସଲମାନଙ୍କ ସମ୍ବନ୍ଧୀୟ ଆଇନରେ ଏଭଳି ବଡ଼ ପରିବର୍ତ୍ତନ କରିବାକୁ ସାହସ କରି ନ ଥିବା ବେଳେ  ନରେନ୍ଦ୍ର ମୋଦୀ ସରକାର ଏ କ୍ଷେତ୍ରରେ ଅନେକ ଚକିତକାରୀ ପଦକ୍ଷେପ ନେଛନ୍ତି। ମୁସ୍‌ଲିମ ଆଇନରେ ପରିବର୍ତ୍ତନ କଲେ ମୁସଲମାନଙ୍କ ଭୋଟ୍ ବ୍ୟାଙ୍କ ହରାଇବାର ଆଶଙ୍କା କରି ପୂର୍ବରୁ କଂଗ୍ରେସ ନେତୃତ୍ବାଧୀନ ସରକାର ଏଥିରୁ ଦୂରେଇ ରହୁଥିଲା ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।