ଚୀନ ବିରୋଧରେ ଦମ୍ ଦେଖାଇଲା ତାଇଓ୍ବାନ, ଆରମ୍ଭ କଲା ସମରାଭ୍ୟାସ

ତାଇପେଇ : ଚୀନର ସମରାଭ୍ୟାସ ଶେଷ ହେବା ପରେ ତାଇଓ୍ବାନ ମଧ୍ୟ ନିଜର ଦମ୍ ଦେଖାଇବା ଆରମ୍ଭ କରିଛି । ତାଇଓ୍ବାନ ସାମରିକ ବାହିନୀ ପକ୍ଷରୁ ଆଜି ଲାଇଭ୍ ଫାୟାର ଡ୍ରିଲ ଆରମ୍ଭ କରାଯାଇଛି । ଲାଇଭ୍ ଫାୟାର ଡ୍ରିଲର ଅର୍ଥ ହେଉଛି ଯେଉଁ ସମରାଭ୍ୟାସରେ କାଳ୍ପନିକ ଟାର୍ଗେଟ୍ ଉପରେ ସତସତିକା ବୋମାବର୍ଷଣ କରାଯାଇଥାଏ ।

ଏହି ସମରାଭ୍ୟାସ ଅଧିନରେ ତାଇଓ୍ବାନର ଲଢୁଆ ବିମାନ ଉଡ଼ିବା ସହ ହାଓ୍ବିତଜର ତୋପରୁ ଗୋଳା ବର୍ଷଣ କରାଯାଇଛି । ପିଙ୍ଗଟନ୍ ଅଂଚଳରେ ଏହି ସମରାଭ୍ୟାସ କରାଯାଇଛି । ଏହି ସମରାଭ୍ୟାସ ମାଧ୍ୟମରେ ସମ୍ଭାବ୍ୟ ଚୀନ ଆକ୍ରମଣରୁ କିପରି ତାଇଓ୍ବାନକୁ ସୁରକ୍ଷା ଦିଆଯିବ, ସେ ନେଇ ପ୍ରସ୍ତୁତି କରାଯାଇଛି ।

ଗତ କାଲି ଚୀନ ପକ୍ଷରୁ ପ୍ରକାଶିତ ଏକ ଶ୍ବେତପତ୍ରରେ କୁହାଯାଇଥିଲା ଯେ, ଚୀନ ସହିତ ତାଇଓ୍ବାନର ଏକୀକରଣକୁ ଶାନ୍ତିପୂର୍ଣ୍ଣ ଉପାୟରେ ସାକାର କରିବା ଉପରେ ଚୀନ ସରକାର ଗୁରୁତ୍ବ ଦେଉଛନ୍ତି । ମାତ୍ର କେତେକ ବାହ୍ୟ ଶତ୍ରୁ ତାଇଓ୍ବାନକୁ ଚୀନ ବିରୋଧରେ ଉସୁକାଉଛନ୍ତି । ସେମାନଙ୍କୁ ବଳ ପ୍ରୟୋଗ କରି ଜବାବ ଦିଆଯିବ ।

ଏହାର ଜବାବରେ ତାଇଓ୍ବାନର ମେନଲାଣ୍ଡସ ଆଫାୟାର୍ସ କାଉନସିଲ ( ଚୀନ ଉପରେ ତାଇଓ୍ବାନର ସର୍ବୋଚ୍ଚ ନୀତି ନିର୍ଦ୍ଧାରଣକାରୀ ପରିଷଦ) ପକ୍ଷରୁ କୁହାଯାଇଛି ଯେ, ଉଭୟ ଚୀନ ଓ ତାଇଓ୍ବାନ କେହି କାହାର ଅନ୍ତର୍ଗତ ନୁହନ୍ତି । ଗୋଟିଏ ଦେଶ ଦୁଇଟି ବ୍ୟବସ୍ଥାକୁ ମଧ୍ୟ ତାଇଓ୍ବାନର ଏହି ପରିଷଦ ପ୍ରତ୍ୟାଖ୍ୟାନ କରିଦେଇଛି ।

 

ସମ୍ବନ୍ଧିତ ଖବର