ୱାସିଂଟନ: ଆମେରିକାର ଆଲାସ୍କା ଆକାଶରେ ଉଡ଼ୁଥିବା ଏକ ଛୋଟ କାର୍ ଆକୃତିର ଅଜଣା ବସ୍ତୁକୁ ରାଷ୍ଟ୍ରପତି ଜୋ ବାଇଡେନଙ୍କ ନିର୍ଦ୍ଦେଶରେ ଶୁକ୍ରବାର କ୍ଷେପଣାସ୍ତ୍ର ମାରି ଖସାଇ ଦିଆଯାଇଛି। ପୂର୍ବ ଶନିବାର ଆଟଲାଣ୍ଟିକ୍ ଉପରେ ଉଡ଼ିବା ବେଳେ ଆମେରିକା ବାୟୁସେନା ଦ୍ବାରା ଖସାଇ ଦିଆଯାଇଥିବା ଚୀନ୍ ଗୁପ୍ତଚର ବେଲୁନଠାରୁ ଏହା ଆକାରରେ ବହୁତ ଛୋଟ। ଉକ୍ତ କାର୍ ଆକୃତିର ବସ୍ତୁଟି ଉତ୍ତର ଆମେରିକାର ଆଲାସ୍କା ଆକାଶରେ ୪୦,୦୦୦ ଫୁଟ୍ ଉଚ୍ଚରେ ଉଡ଼ୁଥିଲା। ବେସାମରିକ ବିମାନ ଚଳାଚଳ ପ୍ରତି ଏହା ବିପଦ ସୃ‌ଷ୍ଟି କରୁଥିଲା। ତେବେ ଏହି ବସ୍ତୁଟି କ’ଣ, ତାକୁ କେଉଁ ଦେଶ କାହିଁକି ଆମେରିକା ଆକାଶରେ ଉଡ଼ାଉଥିଲା ତାହା ଏପର୍ଯ୍ୟନ୍ତ ଜଣାପଡ଼ିନି। ହ୍ବାଇଟ୍ ହାଉସ୍ ମୁଖପାତ୍ର ଜନ କିର୍ବି କହିଛନ୍ତି ଯେ ବସ୍ତୁଟିକୁ କୌଣସି ମଣିଷ ଉଡ଼ାଉ ନ ଥିଲା, ଅର୍ଥାତ୍ ଏହା ଥିଲା ମାନବରହିତ।

Advertisment

ଆଲାସ୍କାର ଜଏଣ୍ଟ ବେସ୍ ଏଲ୍‌ମେଣ୍ଡର୍ଫ-ରିଚାର୍ଡସନଠାରେ ଏକ ଏଫ୍‌-୨୨ ଯୁଦ୍ଧ ବିମାନ ସାହାଯ୍ୟରେ ଆକାଶରୁ ଆକାଶକୁ ନିକ୍ଷେପ କରାଯାଇପାରୁଥିବା ଏମ୍-୯ଏକ୍ସ ଛୋଟ କ୍ଷେପଣାସ୍ତ୍ର ଦ୍ବାରା କାର୍ ଆକୃତିର ବସ୍ତୁଟିକୁ ତଳକୁ ଖସାଇ ଦିଆଯାଇଥିଲା। ୩୦୦ ଲୋକସଂଖ୍ୟାବିଶିଷ୍ଟ ମରୁ ଅଞ୍ଚଳରେ ଏହା ଉଡ଼ୁଥିଲା। ଗୁରୁବାର ଆଲାସ୍କା ସମୟ ରାତି ୯ଟାରେ ଆମେରିକା ରାଡ଼ାର ଅଜଣା ବସ୍ତୁଟିକୁ ଠାବ କରିଥିଲା। ଏହା ଘଣ୍ଟା ପ୍ରତି ୧୦ରୁ ୨୦ ମାଇଲ୍ ବେଗରେ ଉଡ଼ୁଥିଲା। ଏହାକୁ ରକେଟ୍ ମାଡ଼କରି ଖସାଇବା ପୂର୍ବରୁ ୨୬ ବର୍ଗ କିମି ପରିଧି ଭିତରେ ସମସ୍ତ ବିମାନ ଉଡ଼ାଣକୁ ବନ୍ଦ କରାଯାଇଥିଲା। କାନାଡ଼ା ପ୍ରଧାନମନ୍ତ୍ରୀ ଜଷ୍ଟିନ୍ ଟ୍ରୁଡୋ ଶୁକ୍ରବାର ଏକ ଟ୍ବିଟ୍‌ରେ କହିଛନ୍ତି ଯେ ଆମେରିକା ସରକାରଙ୍କ ଏହି ପଦକ୍ଷେପକୁ ମୁଁ ସମର୍ଥନ କରୁଛନ୍ତି। ଗୁଳିକରି ଖସାଯିବା ପରେ କାର୍ ଆକୃତିର ବସ୍ତୁଟି ବରଫାୟିତ ଜଳଭାଗ ଉପରେ ପଡ଼ିଥିଲା। ନୌବାହିନୀ ପକ୍ଷରୁ କୁହାଯାଇଛି ଯେ ସେମାନେ ଏହାର ଧ୍ବଂସାବଶେଷ ଖୁବ୍‌ଶୀଘ୍ର ଉଦ୍ଧାର କରିବେ। ଏହାପରେ ସେଗୁଡ଼ିକୁ ପରୀକ୍ଷା କଲେ ବସ୍ତୁଟି ବିଷୟରେ ଅଧିକ ତଥ୍ୟ ମିଳିପାରିବ।