ଭେଣ୍ଟିଲେଟରରୁ ବାହାରିଲେ ରୁଶଦି, କଥା କହିପାରୁଛନ୍ତି

ୱାସିଂଟନ: ନ୍ୟୁୟର୍କରେ ଏକ ସଭାରେ ଭାଷଣ ଦେବା ପୂର୍ବରୁ ଆତତାୟୀର ଛୁରାମାଡ଼ର ଶିକାର ହୋଇଥିବା ‘ଦ ସାଟାନିକ୍ ଭର୍ସେସ୍’ର ଭାରତ-ଜନ୍ମିତ ବ୍ରିଟିସ ଲେଖକ ସଲମାନ ରୁଶଦି ଶନିବାର ଭେଣ୍ଟିଲେଟରରୁ ବାହାରିଛନ୍ତି। ଏବେ ସେ କଥା କହିପାରୁଛନ୍ତି ବୋଲି ଜଣାପଡ଼ିଛି। ଗୁରୁତର ଆହତ ଅବସ୍ଥାରେ ତାଙ୍କୁ ଏକ ହେଲିକପ୍ଟର ସାହାଯ୍ୟରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଅନେକ ଘଣ୍ଟାର ଅପରେସନ ପରେ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। କିନ୍ତୁ ପରେ ତାଙ୍କ ସାଥୀ ଲେଖକ ଆତିସ ତସିର ଟ୍ବିଟ୍ କରି ତାଙ୍କ ସ୍ବାସ୍ଥ୍ୟରେ ଉନ୍ନତି ଘଟିଥିବା ଏବଂ ସେ ଭେଣ୍ଟିଲେଟରରୁ ବାହାରି କଥା କହିପାରୁଥିବା ଉଲ୍ଲେଖ କରିଛନ୍ତି। ରୁଶଦିଙ୍କ ଏଜେଣ୍ଟ ଆଣ୍ଡ୍ରୁ ୱିଲି ଏ ଖବର ସତ୍ୟ ବୋଲି ସୂଚନା ଦେଇଛନ୍ତି। ଏହା ପୂର୍ବରୁ ରୁଶଦିଙ୍କୁ ହତ୍ୟା ଉଦ୍ୟମ କରିଥିବା ହଦି ମାତାର କୋର୍ଟରେ ନିଜେ କରିଥିବା କାର୍ଯ୍ୟ ପାଇଁ ଅନୁତପ୍ତ ନୁହେଁ ବୋଲି ପ୍ରକାଶ କରିଛି ଏବଂ ସରକାରୀ ଓକିଲ ତାଙ୍କର ଏହି କାର୍ଯ୍ୟକୁ ଏକ ଯୋଜନାବଦ୍ଧ ଅପରାଧ ବୋଲି ଅଭିହିତ କରିଛନ୍ତି। ଜିଲ୍ଲା ଆଟର୍ଣ୍ଣି ଜାସନ ସ୍ମିଟ କହିଛନ୍ତି ଯେ ରୁଶଦିଙ୍କୁ ମାରିବା ପାଇଁ ୨୪ ବର୍ଷୀୟ ମାତାର ସୁଚିନ୍ତିତ ଯୋଜନା କରିଥିଲା। ରୁଶଦିଙ୍କ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ସେ ଆଗୁଆ ପାସ୍ ଯୋଗାଡ଼ କରିଥିଲା ଏବଂ ଏକ ନକଲି ପରିଚୟପତ୍ର ସାଙ୍ଗରେ ଆଣିଥିଲା।

ଏହି ଆକ୍ରମଣରେ ୭୫ ବର୍ଷୀୟ ରୁଶଦିଙ୍କ ଲିଭର କ୍ଷତିଗ୍ରସ୍ତ ହୋଇଥିବା ବେଳେ ତାଙ୍କ ଆଖି ଓ ଏକ ହାତର ସ୍ନାୟୁ କଟିଯାଇଛି। ସେ ଗୋଟିଏ ଆଖି ହରାଇବାର ଆଶଙ୍କା ଦେଖାଦେଇଛି। ତାଙ୍କ ପ୍ରତି ହୋଇଥିବା ଏହି ଆକ୍ରମଣକୁ ବିଶ୍ବସ୍ତରରେ ନିନ୍ଦା କରାଯାଇଥିବା ବେଳେ କେତେକ ମୁସଲିମ ସମ୍ପ୍ରଦାୟର ଲୋକ ଏଥିରେ ଖୁସି ବ୍ୟକ୍ତ କରିଛନ୍ତି। ଆମେରିକାର ରାଷ୍ଟ୍ରପତି ଦମ୍ପତି ଶନିବାର ରୁଶଦିଙ୍କ ଉପରେ ଆକ୍ରମଣକୁ ଘୋର ନିନ୍ଦା କରିଥିଲେ। ଜୀବନ ପ୍ରତି ବିପଦ ଥିବା ସତ୍ତ୍ବେ ରୁଶଦି ସ୍ବାଧୀନ ଭାବରେ ମତ ବ୍ୟକ୍ତ କରିବା ଓ ଲେଖିବା ବନ୍ଦ କରିନାହାନ୍ତି ଯାହା ତାଙ୍କର ସତ୍ୟନିଷ୍ଠା ଓ ସାହସିକତାର ପରିଚୟ ଦିଏ ବୋଲି ସେମାନେ କହିଛନ୍ତି।
ଶୁଣାଣି ସମୟରେ ଅଭିଯୁକ୍ତକୁ ଜାମିନ ନ ଦେବା ପାଇଁ ସରକାରୀ ଓକିଲ ଦାବି କରିଥିଲେ। ଅଭିଯୁକ୍ତ ମାତାର ନ୍ୟୁଜର୍ସିର ବାସିନ୍ଦା। ଆମେରିକାରେ ତା’ର ଜନ୍ମ। କିନ୍ତୁ ତା’ ବାପାମାଆ ଦକ୍ଷିଣ ଲେବାନନର ୟାରୋନରୁ ଆସିଥିଲେ ବୋଲି ତାଙ୍କ ଗାଁ ଅଲି ତେହଫେର ମେୟର କହିଛନ୍ତି। ଏହି ଗାଁରେ ଇରାନ-ସମର୍ଥିତ ସିଆ ଉଗ୍ରବାଦୀ ଗୋଷ୍ଠୀର ହେଜବୋଲ୍ଲାର ପତାକା ଦେଖିବାକୁ ମିଳେ। ଇରାନର ନେତା ହାସାନ ନାସରାଲ୍ଲାହ, ଖାମେନି, ଖୋମିନି ଓ ନିହତ ସୋଲେମାନିଙ୍କ ଫଟୋ ଗାଁରେ ଦେଖିବାକୁ ମିଳେ। ତେଣୁ ଆକ୍ରମଣକାରୀ ଖୋମିନିଙ୍କ ଫତୱାକୁ କାର୍ଯ୍ୟକାରୀ କରିଥିବା ଅନୁମାନ କରାଯାଉଛି।

ସମ୍ବନ୍ଧିତ ଖବର