ଚଣ୍ଡିଗଡ଼: କ୍ଷମତାକୁ ଆସିବା ପରେ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ନେଲେ ବଡ଼ ନିଷ୍ପତ୍ତି। ଜେଲରେ ଚାଲିଥିବା ଭିଆଇପି ସେଲକୁ ନେଇ ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। ସେ ଏବେ ଜେଲରେ ଥିବା ଭିଆଇପି ସେଲକୁ ହଟାଇ ଦେଇଛନ୍ତି। ଭଗୱନ୍ତ ମାନ କହିଛନ୍ତି ଯେ ବର୍ତ୍ତମାନ ଜେଲ ଭିତରୁ କଳା ବ୍ୟବସାୟ ଚାଲିବ ନାହିଁ। ଏହି ପ୍ରସଙ୍ଗରେ ଅବହେଳା କରିଥିବା କିଛି ଅଧିକାରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଛି।
ପଞ୍ଜାବର ଜେଲରେ କ୍ରମାଗତ ତଦାରଖ ଅଭିଯାନ ଚାଲିଛି। ତଦାରଖ ଅଭିଯାନ ସମୟରେ ଏପର୍ଯ୍ୟନ୍ତ ୭୧୦ ମୋବାଇଲ ଜବତ କରାଯାଇଛି। ଭିଆଇପି ସେଲକୁ ହଟାଇ ଦିଆଯିବା ସହ ଏବେ କୌଣସି ପ୍ରକାରର ଅବହେଳାକୁ ବରଦାସ୍ତ କରାଯିବ ନାହିଁ। ଜେଲ୍ ବା ସୁଧାର ଗୃହକୁ ଆସି ଏବେ ସବୁ ଅପରାଧୀ ଅପରାଧ କରିବା ପରିବର୍ତ୍ତେ ସୁଧୁରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ।
ଏହାପୂର୍ବରୁ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ପଞ୍ଜାବୀ କଣ୍ଠଶିଳ୍ପୀମାନଙ୍କୁ କଡା ଚେତାବନୀ ଦେଇଥିଲେ। ବନ୍ଧୁକ ସଂସ୍କୃତି ଏବଂ ଗ୍ୟାଙ୍ଗଷ୍ଟର ସଂସ୍କୃତି କୌଣସି ଗୀତରେ ଗ୍ରହଣ କରାଯିବ ନାହିଁ ବୋଲି ସେ କହିଥିଲେ। ଏଭଳି କଲେ ଗାୟକ ଏବଂ ନିର୍ମାତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଚେତାବନୀ ଦେଇଥିଲେ ମୁଖ୍ୟମନ୍ତ୍ରୀ।
ଅନ୍ୟପକ୍ଷରେ, କଂଗ୍ରେସ ଶୃଙ୍ଖଳା କମିଟିଦ୍ବାରା ଲାଞ୍ଛିତ ହୋଇ ଆଜି ହଠାତ୍ ପଞ୍ଜାବର ପୂର୍ବତନ କଂଗ୍ରେସ ମୁଖ୍ୟ ସୁନୀଲ ଜାଖଡ଼ ଦଳ ଛାଡ଼ିଛନ୍ତି। ‘ମନ୍ କି ବାତ୍’ ଶିରୋନାମାରେ ‘ଫେସ୍ବୁକ୍ ଲାଇଭ୍ ଷ୍ଟ୍ରିମ୍’ କରି ସେ ‘ଚିର ବିଦାୟ ଓ ସୌଭାଗ୍ୟ ପ୍ରାପ୍ତ ହୁଅ କଂଗ୍ରେସ୍’ ବୋଲି କହି ଦଳ ତ୍ୟାଗ କରିଛନ୍ତି। ୩ ଥର ବିଧାୟକ ଓ ଥରେ ସାଂସଦ ହୋଇଥିବା ଜାଖଡ଼ ତାଙ୍କ ସାମାଜିକ ଗଣମାଧ୍ୟମ ହ୍ୟାଣ୍ଡଲ୍ରୁ ସମସ୍ତ ପାର୍ଟି ରେଫେରେନ୍ସ୍ ହଟାଇ ଦେଇଛନ୍ତି। ତାଙ୍କ ଟୁଇଟର୍ ବାୟୋରୁ ସେ କଂଗ୍ରେସ ହଟାଇ ଦେବା ସହ ଟୁଇଟର୍ ଆକାଉଣ୍ଟ୍ର ପୃଷ୍ଠଭୂମିରେ କଂଗ୍ରେସର ପତାକା ଚିତ୍ର ପରିବର୍ତ୍ତେ ଭାରତର ଜାତୀୟ ପତାକାର ଚିତ୍ର ରଖିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/t-17.jpg)