କର୍ଣ୍ଣାଟକ ସଂକଟ: କଂଗ୍ରେସ ପରେ ଜେଡିଏସ୍‌ର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଲେ

ବେଙ୍ଗାଲୁର: କର୍ଣ୍ଣଟକରେ କଂଗ୍ରେସ-ଜେଡିଏସ୍‌ ମେଣ୍ଟ ସରକାରକୁ ସଂକଟ ମୁକ୍ତ କରିବା ପାଇଁ ବିଭିନ୍ନ ଆଡୁ ଉଦ୍ୟମ ଜାରି ରହିଛି। ପୂର୍ବରୁ ସରକାରକୁ ସୁରକ୍ଷିତ ରଖିବା ପାଇଁ କଂଗ୍ରେସର ୨୧ ଜଣ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇ ସାରିଥିବା ବେଳେ ଏବେ ଜେଡିଏସ୍‌ର ସମସ୍ତ ମନ୍ତ୍ରୀ ସେମାନଙ୍କ ପଦରୁ ଇସ୍ତଫା ଦେଇଥିବା ଜାଣିବାକୁ ମିଳିଛି। ଖୁବ ଶୀଘ୍ର କର୍ଣ୍ଣଟକରେ ମନ୍ତ୍ରିମଣ୍ଡଳ ପୁର୍ନଗଠନ କରାଯିବ ବୋଲି ଆଶା କରାଯାଉଛି।

ଜାଣିରଖନ୍ତୁ ଯେ, ଏହି ରାଜନୈତିକ ସଙ୍କଟ ହଟାଇବା ପାଇଁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ୍‌ଡି କୁମାରସ୍ୱାମୀ ରବିବାର ରାତିରେ ଗଠବନ୍ଧନ ନେତାମାନଙ୍କ ସହ ଯୋଗାଯୋଗ କରିଥିଲେ। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ କୁମାରସ୍ୱାମୀଙ୍କ ଶେଷ ଉଦ୍ୟମ ଫଳପ୍ରଦ ହେବାକୁ ଯାଉଛି।

ଜାଣିବାକୁ ମିଳିଛି ଯେ କୁମାରସ୍ୱାମୀଙ୍କ କହିବା ପରେ ଗଠବନ୍ଧନ ନେତାମାନେ ପୂର୍ବତନ ଜେଡିଏସ୍‌ ରାଜ୍ୟ ମୁଖ୍ୟ ଏଚ୍‌ ବିଶ୍ୱନାଥ ଓ ବିଧାୟକ ଗୋପାଲହ୍ୟାଙ୍କୁ ମନ୍ତ୍ରୀପଦ ପ୍ରଦାନ କରିବାକୁ ରାଜି ହୋଇଥିବା ବେଳେ ବୋର୍ଡ ଅଧ୍ୟକ୍ଷ ପଦ ନାରାୟଣ ଗୌଡ଼ାଙ୍କୁ ଦେବାକୁ ଚିନ୍ତା କରାଯାଇଛି।

Image Source: India Today

ଗତକାଲି ଅନେକ ବିଧାୟକ ବିଶ୍ୱନାଥଙ୍କ ଇସ୍ତଫା ପାଇଁ ପର୍ଯ୍ୟଟନ ମନ୍ତ୍ରୀ ସା ରା ମହେଶ ଦାୟୀ ବୋଲି କହିଥିଲେ। ମନ୍ତ୍ରିମଣ୍ଡଳରୁ ମନ୍ତ୍ରୀମାନେ ଇସ୍ତଫା ଦେବା ପରେ କର୍ଣ୍ଣାଟକ ମନ୍ତ୍ରିମଣ୍ଡଳ ଅଦଳବଦଳ କରାଯାଇ ଖୁବ୍‌ ଶୀଘ୍ର କ୍ୟାବିନେଟ୍‌ରେ ବିଦ୍ରୋହୀ ବିଧାୟକମାନଙ୍କୁ ସ୍ଥାନ ଦିଆଯାଇପାରେ ବୋଲି ଅନୁମାନ କରାଯାଉଛି।

ଉଲ୍ଲେଖଯୋଗ୍ୟ, ଏବେ ସୁଦ୍ଧା କଂଗ୍ରେସ ଓ ଜେଡିଏସ୍‌ର ସମୁଦାୟ ୧୨ ଜଣ ବିଧାୟକ ଇସ୍ତଫା ଦେବା ପରେ କର୍ଣ୍ଣାଟକର ମେଣ୍ଟ ସରକାର ଗତ ୩ ଦିନ ହେବ ସଂକଟ ଘେର ଭିତରେ ରହିଛି।

ସମ୍ବନ୍ଧିତ ଖବର