ନୂଆଦିଲ୍ଲୀ: ଧନଖଡ଼ଙ୍କ ପରେ କିଏ ? କିଏ ହେବେ ପରିବର୍ତ୍ତୀ ଭାରତର ଉପରାଷ୍ଟ୍ରପତି ? ଜଗଦୀପ ଧନଖଡ଼ଙ୍କ ହଠାତ୍ ଇସ୍ତଫା ପରେ ଏବେ ଉପରାଷ୍ଟ୍ରପତି ପଦକୁ ନେଇ ଜୋରଦାର ଚର୍ଚ୍ଚା ଜାରି ରହିଥିବା ବେଳେ ଅନେକ ନାଁ ସାମ୍ନାକୁ ଆସୁଛି । ଯଦିଓ ବିଧିବଦ୍ଧ ଭାବେ କାହାରି ନାଁ ଘୋଷଣା ହୋଇନି ମାତ୍ର ଚର୍ଚ୍ଚା କରାଯାଉଛି ।
ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହିଁ ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି ଭାରତର ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ । ସୋମବାର, ଜୁଲାଇ ୨୧, ୨୦୨୫ରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିକଟକୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି । ଏହି ଅପ୍ରତ୍ୟାଶିତ ଇସ୍ତଫା ପରେ ଦେଶର ପରବର୍ତ୍ତୀ ଉପରାଷ୍ଟ୍ରପତି କିଏ ହେବେ ତାକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଇସ୍ତଫା ପଛର କାରଣ ବି ଏବେ ରାଜନୀତିର ହଟ୍ ଟପିକ ପାଲଟିଛି ।
ଯଦିଓ ବର୍ତ୍ତମାନ ସୁଦ୍ଧା କୌଣସି ନିର୍ଦ୍ଦିଷ୍ଟ ନାମ ସାମ୍ନାକୁ ଆସିନାହିଁ । ଶାସକ ବିଜେପି ନେତୃତ୍ୱାଧୀନ ଏନଡିଏ ମେଣ୍ଟ ଖୁବଶୀଘ୍ର ନିଜର ପ୍ରାର୍ଥୀ ଘୋଷଣା କରିବ ବୋଲି ଆଶା କରାଯାଉଛି । ତେବେ ରେସରେ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂଙ୍କ ନାମ ସମ୍ଭାବ୍ୟ ପ୍ରାର୍ଥୀ ଭାବେ ଚର୍ଚ୍ଚା ହେଉଥିବା ବେଳେ ନୂତନ ଉପରାଷ୍ଟ୍ରପତି ନିର୍ବାଚିତ ହେବା ପର୍ଯ୍ୟନ୍ତ ରାଜ୍ୟସଭାର ଉପାଧ୍ୟକ୍ଷ ହରିବଂଶ ନାରାୟଣ ସିଂ ରାଜ୍ୟସଭାର ଅଧ୍ୟକ୍ଷ ଭାବେ କାର୍ଯ୍ୟ କରିବେ ।
ସେପଟେ ହରିବଂଶ ନାରାୟଣଙ୍କ ନାଁ ସହ ମଧ୍ୟ ନୀତୀଶଙ୍କ ନାଁ ବି ଖୁବ୍ ଚର୍ଚ୍ଚା ହେଉଛି । କୁହାଯାଉଛି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ହୋଇପାରନ୍ତି ଭାରତର ପରବର୍ତ୍ତୀ ଉପରାଷ୍ଟ୍ରପତି । ବିହାର ରାଜନୀତିରୁ ବାହାରି ସେ ଏହି ଦାୟିତ୍ବ ତୁଲାଇପାରନ୍ତି । ତେବେ ଆଗକୁ ବିହାରରେ ନିର୍ବାଚନ ଥିବାରୁ ଏନଡିଏ ଖେଳିପାରେ ‘ନୀତୀଶ କାର୍ଡ’ ।
କାହିଁକି ନୀତୀଶଙ୍କ ନାଁ ଉଠୁଛି ?
-ବିହାରରେ ଆଗକୁ ନିର୍ବାଚନ ଥିବାରୁ ରାଜନୀତି ପାଣିପାଗ ଗରମ ଅଛି । କଂଗ୍ରେସ ଏବଂ ବିରୋଧୀ ମହାଗଠବନ୍ଧନ ଏନଡିଏ ସରକାରକୁ ବିଭିନ୍ନ ପ୍ରସଙ୍ଗରେ ଘେରୁଥିବା ବେଳେ ନୀତୀଶଙ୍କ ବୟସ ନେଇ ମଧ୍ଯ ଅସନ୍ତୋଷ ତୀବ୍ର ହେବାରେ ଲାଗିଛି । ଏଥର ବୟସ୍କ ନୀତୀଶ ନୁହଁ ବରଂ ରାଜ୍ୟୃବାସୀ ଆଉ ଜଣେ ଚେହେରା ଚାହୁଥିବା ଚର୍ଚ୍ଚା ହେଉଛି । ନୀତୀଶଙ୍କ କାର୍ଯ୍ଯଶୈଳୀ ବି ଅସନ୍ତୋଷର କାରଣ ସାଜିଥିବାରୁ ଏଥର ନୀତୀଶଙ୍କୁ ଉପରାଷ୍ଟ୍ରପତି କରାଇ ବିହାରକୁ ସରପ୍ରାଇଜ ଦେଇପାରେ ବିଜେପି ଆଉ ପୁଣିଥରେ ବିହାରରେ କମାଣ କଷିବାକୁ ଯୋଜନା ଚାଲିଥିବା କୁହାଯାଉଛି ।
ତେବେ ନୀତୀଶଙ୍କର ଉଭୟ କେନ୍ଦ୍ର ଏବଂ ରାଜ୍ୟ ରାଜନୀତିରେ ଗଭୀର ଅଭିଜ୍ଞତା ରହିଛି । ୨୦ ବର୍ଷ କାଳ ମୁଖ୍ୟମନ୍ତ୍ରୀ ଭାବେ ବିହାରର ସେବା କରୁଥିବା ନୀତୀଶ ଦେଶର ଜଣେ ଅନୁଭବୀ ନେତା । ଏହି ଦୃଷ୍ଟିରୁ ସେ ଏହି ପଦ ଠିକ୍ ଭାବେ ତୁଲାଇ ପାରିବେ ବୋଲି ଆଶା ରଖି ତାଙ୍କ ନାଁ ଉପରେ ବିଜେପି ଆସ୍ଥା ପ୍ରକଟ କରୁଥିବା ଚର୍ଚ୍ଚା ହେଉଛି । ସେପଟେ ଶଶୀ ଥରରୁଙ୍କ ନାଁ ମଧ୍ଯ ଚର୍ଚ୍ଚାରେ ରହିଛି । ଶଶୀ ଗତ କିଛି ମାସ ହେବ ବିଜେପି ପ୍ରେମରେ ପଡିଥିବା ବେଳେ ତାଙ୍କୁ ମଧ୍ଯ କିଛି ବିଜେପି ସରପ୍ରାଇଜ୍ ଦେଇପାରେ ବୋଲି ଶୁଣାଯାଉଛି ।