ଭୋପାଳ: ଜଣେ ଯୁବକ ନିଜ ପ୍ରେମିକାଙ୍କ ସହିତ ରହିବା ପାଇଁ ଲିଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ। ତାଙ୍କର ଚିକିତ୍ସା ମଧ୍ୟ ଚାଲିଥିଲା। ତେବେ ମାଆବାପା ବୁଝାଇବାରୁ ସେ ଚିକିତ୍ସାକୁ ଆଉ ଆଗକୁ ବଢାଇ ନଥିଲେ। ଏବେ ତାଙ୍କ ଶରୀରରେ ଉଭୟ ପୁରୁଷ ଓ ସ୍ତ୍ରୀଙ୍କ ହରମୋନ ଅଛି।
ଘରର ଏକମାତ୍ର ପୁଅ ଏହି ୩୨ ବର୍ଷୀୟ ଯୁବକ। ତାଙ୍କ ବାପା ପ୍ରଥମ ଶ୍ରେଣୀ(କ୍ଲାସ୍ ଓ୍ଵାନ୍)ର ଚାକିରି କରି ଅବସର ନେଇଛନ୍ତି। ଯୁବକ ଦିଲ୍ଲୀର ଏକ ବହୁରାଷ୍ଟ୍ରୀୟ କମ୍ପାନିରେ ଚାକିରି କରନ୍ତି। ସେହି କମ୍ପାନିର ଜଣେ କର୍ମଚାରୀଙ୍କ ସହ ତାଙ୍କ ପ୍ରେମ ହୋଇଯାଇଥିଲା ତେଣୁ ସେ ଲିଙ୍ଗ ପରିବର୍ତ୍ତନ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମେ ତାଙ୍କ ଶରୀରର ହର୍ମୋନରେ ପରିବର୍ତ୍ତନ ଆସିଥିଲା। ଏହାପରେ ସେ ଝିଅମାନଙ୍କ ପରି ବ୍ୟବହାର କରିବାକୁ ଆରମ୍ଭ କରିଥିଲେ। ହଠାତ୍ ତାଙ୍କ ବ୍ୟବହାରରେ ପରିବର୍ତ୍ତନ ଦେଖାଦେବା ପରେ ତାଙ୍କ ପରିବାର ଏହି ଘଟଣା ବିଷୟରେ ଜାଣିବାକୁ ପାଇଥିଲେ।
ଯୁବକଙ୍କ ମାତାପିତା ଭୋପାଳରେ ଜଣେ ଆଡଭୋକେଟଙ୍କ ଦ୍ଵାରା ଯୁବକ ଓ ମହିଳାଙ୍କ କାଉନସେଲିଂ କରାଇଥିଲେ। ଯୁବକର ମାତାପିତା କହିଛନ୍ତି, ପାଖାପାଖି ଦେଢମାସ ହେଲା ତାଙ୍କ ପୁଅ ନିକଟରେ ଯଥେଷ୍ଟ ପରିବର୍ତ୍ତନ ଦେଖା ଦେଇଛି। ସେ ଏକା କାନ୍ଦୁଥିଲା। କ୍ରୋଧିତ ହେଉଥିଲା ଓ କଥାକଥାରେ ଚିଡିଯାଉଥିଲା। କାଉନ୍ସେଲର ଓ ଆଡଭୋକେଟ ସରିତା ଯୁବକ ଓ ମହିଳାଙ୍କୁ କାଉନସେଲିଂ କରିଥିଲେ। ଏବେ ଯୁବକଙ୍କ ଲିଙ୍ଗ ପରିବର୍ତ୍ତନର ଚିକିତ୍ସା ରୋକି ଦିଆଯାଇଛି।
ଖବର ଅନୁସାରେ କାଉନସେଲିଂ ସମୟରେ ୩୨ ବର୍ଷୀୟ ଯୁବକ ଜଣକ କହିଥିଲେ, ତାଙ୍କ ସହିତ ଜଣେ ୩୦ ବର୍ଷୀୟ ମହିଳା ଚାକିରି କରୁଥିଲେ। ଦୁଇବର୍ଷ ପୂର୍ବରୁ କୋରନାରେ ତାଙ୍କ ସ୍ଵାମୀଙ୍କ ମୃତ୍ୟୁ ହୋଇଯାଇଥିଲା। ମହିଳାଙ୍କ ଏକ ଝିଅ ମଧ୍ୟ ଅଛି। ଯୁବକ ମହିଳାଙ୍କୁ ପାଖାପାଖି ୬ ମାସ ଆଗରୁ ହିଁ ପ୍ରଥମ ଥର ଭେଟିଥିଲେ। ସେ ଏକା ନିଜ ଝିଅ ସହ ରହୁଛନ୍ତି ଓ ନିଜ ଘରକୁ ଯିବାକୁ ଚାହୁଁନାହାନ୍ତି। ଏଠାରୁ ତାଙ୍କ ସହ ବନ୍ଧୁତା ସୃଷ୍ଟି ହୋଇଥିଲା ଓ ତାଙ୍କୁ ମହିଳାଙ୍କ ସହ ପ୍ରେମ ହୋଇଯାଇଥିଲା।
ଯୁବକ ମହିଳାଙ୍କୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ,ତେବେ ମହିଳା ମନା କରିଦେଇଥିଲେ। ସେ ତାଙ୍କୁ କହିଥିଲେ, ତାଙ୍କ ସ୍ଵାମୀ ତାଙ୍କୁ ଅତ୍ୟନ୍ତ ଭଲପାଉଥିଲେ ଓ ଯତ୍ନ ନେଉଥିଲେ। ସେ ତାଙ୍କ ବ୍ୟତୀତ ଆଉ କାହାକୁ ସ୍ଵାମୀ ଭାବେ ସ୍ଵୀକାର କରିବାକୁ ଚାହୁଁନାହାନ୍ତି। ଏହା ପରେ ଯୁବକ ଝିଅ ହେବାକୁ ନିଷ୍ପତ୍ତି ନେଇ ଡାକ୍ତରଙ୍କ ସହ ଯୋଗାଯୋଗ କରିଥିଲେ ଓ ପ୍ରଥମେ ହର୍ମୋନ ପରିବର୍ତ୍ତନ କରିବାର ଔଷଧ ଗ୍ରହଣ କରୁଥିଲେ। ସେ ପାଖାପାଖି ମାସେ ଔଷଧ ନେଇଥିଲେ। ଏଥିଯୋଗୁଁ ତାଙ୍କ ଶରୀରରେ ଅନେକ ପରିବର୍ତ୍ତନ ଦେଖାଦେଇଥିଲା।
କାଉନ୍ସିଲରଙ୍କୁ ମହିଳା କହିଛନ୍ତି, ଯୁବକ ତାଙ୍କୁ ଅତ୍ୟନ୍ତ ଭଲ ପାଉଥିଲେ। ଯୁବକ ନିଜ ନିଷ୍ପତ୍ତି ନେଇ କାହାର କଥା ଶୁଣିବାକୁ ପ୍ରସ୍ତୁତ ନାହାନ୍ତି। ସେ ମୋ କଥା ଶୁଣୁନାହାନ୍ତି। ମୁଁ ନିଜ ସ୍ଵାମୀଙ୍କୁ ହିଁ ସ୍ଵାମୀ ଭାବେ ସ୍ଵୀକାର କରୁଛି, ଯାହାଙ୍କ ଦେହାନ୍ତ ୨ ବର୍ଷ ପୂର୍ବରୁ ହୋଇଛି।
ଲିଙ୍ଗ ପରିବର୍ତ୍ତନର ଆରମ୍ଭ ହର୍ମୋନାଲ୍ ଚିକିତ୍ସା ଦ୍ଵାରା କରାଯାଇଥାଏ। ଅର୍ଥାତ୍ ଯେଉଁ ହର୍ମୋନଗୁଡିକ ଆବଶ୍ୟକତା ହୋଇଥାଏ ସେହି ହର୍ମୋନଗୁଡିକୁ ଔଷଧ ଓ ହର୍ମୋନ୍ ଦ୍ଵାରା ଶରୀରରେ ପ୍ରବେଶ କରାଯାଇଥାଏ। ଏହାପରେ ଅସ୍ତ୍ରପ୍ରଚାର ପାଇଁ ପ୍ରସ୍ତୁତି କରାଯାଇଥାଏ। ଅସ୍ତ୍ରପ୍ରଚାର ପାଇଁ ୫ରୁ ୬ ଘଣ୍ଟା ସମୟ ଲାଗିଥାଏ। ଏହି ସମୟରେ ସ୍ତନ୍ୟ, ଯୌନାଙ୍ଗ ଓ ମୁହଁ(ଚେହେରା) ଉପରେ କାମ କରାଯାଇଥାଏ। ଯେଉଁମାନଙ୍କ ଅସ୍ତ୍ରପ୍ରଚାର କରାଯାଏ ତାଙ୍କ ବୟସ ଅତିକମରେ ୨୦ ବର୍ଷ ହୋଇଥିବା ଆବଶ୍ୟକ। ଅସ୍ତ୍ରପ୍ରଚାର ପରେ ପାଖାପାଖି ଏକବର୍ଷ ପର୍ଯ୍ୟନ୍ତ ହର୍ମୋନାଲ୍ ଚିକିତ୍ସା ପଦ୍ଧତି ଚାଲୁରହିଥାଏ।