ଫତ୍‌ଓ୍ଵା ପରେ ଝାଡ଼ଖଣ୍ଡର ମୁସଲମାନ ଯୋଗ ଶିକ୍ଷିକାଙ୍କ ଘର ସାମ୍ନାରେ ହଟ୍ଟଗୋଳ କଲେ ଉତ୍ତ୍ୟକ୍ତ ଜନତା

ନୂଆଦିଲ୍ଲୀ: ଫତ୍‌ଓ୍ଵା ଜାରି କରିବା ଯଥେଷ୍ଟ ନୁହେଁ ବିଚାରି ଦଳେ ଉତ୍ତ୍ୟକ୍ତ ଜନତା ଝାଡ଼ଖଣ୍ଡର ମୁସଲମାନ ଯୋଗ ଶିକ୍ଷିକା ରଫିଆ ନାଜ୍‌ଙ୍କ ଘର ସାମ୍ନାରେ ହଟ୍ଟଗୋଳ କରିଛନ୍ତି।

ନାଜ୍‌ ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତ୍‌କାରର ପ୍ରସାରଣ ଜଣେ ସ୍ଥାନୀୟ ମୌଲବି ଦେଖିବା ପରେ ହଟ୍ଟଗୋଳ ଆରମ୍ଭ ହୋଇଥିଲା। ସାକ୍ଷାତ୍‌କାର ଦେଖି ଅପମାନିତ ମନେ କରିଥିବା ମୌଲବି ଜଣକ ଉତ୍ତ୍ୟକ୍ତ ଜନତାଙ୍କ ସହ ରଫିଆଙ୍କ ଘର ଆଡ଼କୁ ଆସିଥିଲେ। ଉତ୍ତ୍ୟକ୍ତ ଜନତା ରଫିଆଙ୍କ ଘର ସାମ୍ନାରେ ଏକତ୍ର ହୋଇ ସ୍ଲୋଗାନ୍‌ ଦେବା ସହ ଟେକା ପକାଇଥିଲେ।

ରଫିଆଙ୍କ ସାକ୍ଷାତ୍‌କାରରେ କୁଆଡ଼େ ତାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଥିଲା ବୋଲି ସେ ମୌଲବି କହିଛନ୍ତି।
ଗୁରୁବାର ଦିନ ରଫିଆ କହିଥିଲେ କି ତାଙ୍କୁ ଅନେକ ଧମକ ଦିଆଯାଉଛି, କିନ୍ତୁ ସୁରକ୍ଷା ଯୋଗାଇ ଦେଇଥିବାରୁ ସେ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି। ଦୋରନ୍ଦାବାସିନୀ ରଫିଆ କହନ୍ତି ଯେ ଯୋଗ ଶିକ୍ଷା ଦେଉଥିବାରୁ ସେ ଆକ୍ରମଣର ଶିକାର ହୋଇଛନ୍ତି।

ସେ ଅଭିଯୋଗ କରିଛନ୍ତି କି, ମୌଳବାଦୀମାନେ ତାଙ୍କୁ ପ୍ରଥମେ ଫେସ୍‌ବୁକ୍‌ ଏବଂ ପରେ ମୋବାଇଲ୍‌ ଫୋନ୍‌ରେ ଧମକ ଦେଇଥିଲେ। ସେମାନେ ତାଙ୍କ ଘର ଉପରକୁ ଟେକାପଥର ମଧ୍ୟ ଫିଙ୍ଗି ଥିଲେ। ପରିସ୍ଥିତି ଦୃଷ୍ଟିରୁ ଯୋଗ ଶିକ୍ଷିକାଙ୍କ ନିମନ୍ତେ ପୁଲିସ ଅଙ୍ଗରକ୍ଷୀ ମୁତୟନ କରିଛି।

ଧମକ ସତ୍ତ୍ୱେ ତାଙ୍କ କାର୍ଯ୍ୟ ଚାଲୁ ରଖିବେ ବୋଲି ବେଫିକର ରଫିଆ କହିଛନ୍ତି। ୨୦୧୫ ଜୁନ୍‌ରେ ତାଙ୍କୁ ପ୍ରଥମେ ଧମକ ମିଳିଥିଲା।

ଏହି ବିବାଦ ସଙ୍କ୍ରାନ୍ତରେ ବାବା ରାମଦେବ ମଧ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି: ଇରାକ୍‌, ଇରାନ୍‌, ଆଫଗାନିସ୍ତାନ, ପାକିସ୍ତାନରୁ ସାଉଦି ଯାଏ ଅନେକ ମୁସଲମାନ ଯୋଗାଭ୍ୟାସ କରୁଛନ୍ତି। ମାନସିକ ଏବଂ ଶାରୀରିକ ସୁସ୍ଥତା ପାଇଁ ଏହା ଏକ ବ୍ୟାୟାମ ହୋଇଥିବାରୁ ଧର୍ମକୁ ଏହା ମଧ୍ୟକୁ ଟାଣିବା ଅନୁଚିତ।

ସମ୍ବନ୍ଧିତ ଖବର