ନୂଆଦିଲ୍ଲୀ: ବର୍ଷା ଏବଂ ବନ୍ୟା ସ୍ଥିତି ଛାଡିବା ପରେ ସବୁଠି ଜ୍ବର, ଝାଡ଼ା ଏବଂ ମ୍ୟାଲେରିଆର ଆଶଙ୍କା ଥାଏ । ଠିକ୍ ସେମିତି ବି ଦିଲ୍ଲୀରେ ଆଶଙ୍କା ବଢିଛି । ବନ୍ୟା ଛାଡ଼ିବା ପରେ ଦିଲ୍ଲୀରେ ବିଗୁଡୁଛି ସ୍ଥିତି । ଦେଶର ରାଜଧାନୀରେ ମଶା ଜନିତ ରୋଗର ଆଶଙ୍କା ବୃଦ୍ଧି ପାଇଛି । ଦିଲ୍ଲୀ, ଏନସିଆର ସମେତ ନୋଏଡା, ଗାଜିଆବାଦ ଏବଂ ଗୁରୁଗ୍ରାମ ଅଞ୍ଚଳରେ ଡେଙ୍ଗୁ, ଚିକୁନନଗୁନିଆ ମାମଲା ବଢ଼ିବାରେ ଲାଗିଛି ।
ଦିଲ୍ଲୀ ମ୍ୟୁନିସିପାଲ କର୍ପୋରେସନର ତଥ୍ୟ ଅନୁଯାୟୀ ରାଜଧାନୀ ଦିଲ୍ଲୀରେ ମଶା ଜନିତ ରୋଗ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ସେପ୍ଟେମ୍ବରର ପ୍ରଥମ ଦୁଇ ସପ୍ତାହରେ ମ୍ୟାଲେରିଆର ୬୨ଟି ମାମଲା ରିପୋର୍ଟ ହୋଇଛି । ଚଳିତ ବର୍ଷ ଏପର୍ଯ୍ୟନ୍ତ ମୋଟ ୨୯୭ଟି ମ୍ୟାଲେରିଆ ମାମଲା ରିପୋର୍ଟ ହେଲାଣି । ଯାହା ଗତ ୫ ବର୍ଷର ସମାନ ସମୟରେ ସବୁଠାରୁ ରେକର୍ଡ କରିଛି । ପାଞ୍ଚ ବର୍ଷର ଏହା ସର୍ବାଧିକ ହୋଇଥିବା ବେଳେ ୨୦୨୪ରେ ୨୭୧ଟି ମାମଲା, ୨୦୨୩ରେ ୨୧୦ଟି ମାମଲା, ୨୦୨୨ରେ ୬୩ଟି ମାମଲା ଏବଂ ୨୦୨୧ରେ ୬୮ଟି ମାମଲା ରିପୋର୍ଟ ହୋଇଥିଲା ।
ସେପଟେ ଦିଲ୍ଲୀକୁ ବି ଡରାଉଛି ଡେଙ୍ଗୁ । ଗତ ସପ୍ତାହରେ ୬୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ୬୨ ରୋଗୀ ସହ ଚଳିତ ମାସ ଡେଙ୍ଗୁ ରୋଗୀଙ୍କ ସଂଖ୍ଯା ୧୨୦ରେ ପହଞ୍ଚିଛି । ସେହିପରି ଚିକୁନଗୁନିଆର ମାମଲା ମଧ୍ୟ ବଢୁଛି ହୋଇଛି । ମଶା ଜନିତ ରୋଗର ପ୍ରାର୍ଦୁଭାବ ବଢୁଥିବା ବେଳେ ଏହାକୁ ଦୃଷ୍ଟିରେ ରଖି, ସ୍ୱାସ୍ଥ୍ୟ ବିଭାଗ ସତର୍କ ହୋଇଯାଇଛି । ବିଭିନ୍ନ ସ୍ଥାନରେ ମଶା ପ୍ରଜନନ ନିୟନ୍ତ୍ରଣ ପାଇଁ ପଦକ୍ଷେପକୁ ଜୋରଦାର କରାଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା ସ୍ଥିତି ଉପରେ ସମୀକ୍ଷା କରିବା ସହ ଏହାର ମୁକାବିଲା ପାଇଁ ଭିତ୍ତିଭୂମି ସୁଦୃଢ଼ କରିବାକୁ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
ଦିଲ୍ଲୀରେ ବଢ଼ିବାରେ ଲାଗିଛି ଡେଙ୍ଗୁ, ମ୍ୟାଲେରିଆ, ଚିକେନଗୁନିଆ ମାମଲା। ସପ୍ତାହକରେ ୬୨ଜଣ ଡେଙ୍ଗୁ ରୋଗୀ ଚିହ୍ନଟ। ଦିଲ୍ଲୀ କ୍ୟାଣ୍ଟନମେଣ୍ଟ ଅଞ୍ଚଳରେ ସର୍ବାଧିକ ୧୧ ରୋଗୀ। କାରୋଲ ବାଗ, ନଜଫଗଡ଼ ଏବଂ ଶାହଦରାରେ ୫ଟି ଲେଖାଏଁ ମାମଲା । ମଶା ଜନିତ ରୋଗ ମାମଲା ବଢ଼ୁଥିବା ବେଳେ ସତର୍କତାମୂଳକ ପଦକ୍ଷେପ ନେଉଛି ସ୍ବାସ୍ଥ୍ୟ ବିଭାଗ । ମଶା ପ୍ରଜନନ ନିୟନ୍ତ୍ରଣ ଉପରେ ପଦକ୍ଷେପ ସହ ରୋଗୀମାନଙ୍କୁ ସତର୍କତା ସ୍ୱରୂପ ରକ୍ତ ପରୀକ୍ଷା କରିବାକୁ ପରାମର୍ଶ ଦିଆଯାଇଛି ।