ଲାହୋର: ଇସଲାମାବାଦ ହାଇକୋର୍ଟରୁ ବିଭିନ୍ନ ମାମଲାରେ ଜାମିନ ପାଇବା ପରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କୋର୍ଟରୁ ଲାହୋରର ଜମାନ ପାର୍କସ୍ଥିତ ନିଜ ବାସଭବନକୁ ଫେରିଛନ୍ତି। ଦୁଇଦିନର ଅଟକ ପରେ ଶନିବାର ଭୋର ସମୟରେ ଇମ୍ରାନ ସୁରକ୍ଷା କର୍ମୀମାନଙ୍କ ଗହଣରେ ଘରକୁ ଫେରିଛନ୍ତି। ଇମ୍ରାନ ସଡ଼କ ପଥ ଦେଇ ଘରକୁ ଫେରିବା ବେଳେ ପିଟିଆଇ କର୍ମୀ ଓ ସମର୍ଥକମାନଙ୍କ ଦ୍ବାରା ବାଟରେ ତାଙ୍କୁ ସ୍ବାଗତ କରାଯାଇଥିଲା। ଦୁର୍ନୀତି ମାମଲାରେ ଇସଲାମାବାଦ ହାଇକୋର୍ଟ ଶୁକ୍ରବାର ଇମ୍ରାନଙ୍କୁ ଦୁଇ ସପ୍ତାହ ପାଇଁ ସୁରକ୍ଷାତ୍ମକ ଜାମିନ ପ୍ରଦାନ କରିଛନ୍ତି। ସୋମବାର ପର୍ଯ୍ୟନ୍ତ କୌଣସି ବି ମାମଲାରେ ତାଙ୍କୁ ଗିରଫ ନ କରିବା ପାଇଁ ମଧ୍ୟ କୋର୍ଟ ପକ୍ଷରୁ ଆଦେଶ ଦିଆଯାଇଛି।

Advertisment

ଲାହୋର ଫେରିବା ବେଳେ ଇମ୍ରାନ କହିଥିଲେ, ଆଲ୍ଲାଙ୍କ ଦୟାରୁ ମୁଁ ଘରକୁ ଫେରୁଛି। ଇସଲାମାବାଦ ଆଇଜି ମୋତେ ସେଠାରେ ଅଟକ ରଖିବା ପାଇଁ ସର୍ବୋତ୍ତମ ଚେଷ୍ଟା କରିଥିଲେ। ସେ ମୋତେ ତିନି ଘଣ୍ଟା ଅଟକାଇଥିଲେ। ତୁମେ ମୋତେ ଅପହରଣ କରିଛ ଓ ଜବରଦସ୍ତ ଅଟକ ରଖିଛ ବୋଲି ମୁଁ ସାରା ପାକିସ୍ତାନକୁ କହିବି ବୋଲି ଯେତେବେଳେ କହିଲି, ସେତେବେଳେ ସେ ମୋତେ ଛାଡ଼ିଦେଲେ। ଜାମିନ ପାଇବା ପରେ ମଧ୍ୟ ଅନେକ ଘଣ୍ଟା ଧରି ଇମ୍ରାନଙ୍କୁ ଅଟକ ରଖାଯାଇଥିଲା। ତେବେ କୋର୍ଟ ତାଙ୍କୁ ଅଲ-କାଦିର ଟ୍ରଷ୍ଟ ଦୁର୍ନୀତି ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ମେ ୧୭ ପର୍ଯ୍ୟନ୍ତ କୌଣସି ବି ମାମଲ‌ାରେ ତାଙ୍କୁ ଗିରଫ ନ କରିବା ପାଇଁ ମଧ୍ୟ କୋର୍ଟ ଆଦେଶ ଦେଇଛନ୍ତି। ତେବେ ଜିଲେ ଶାହ ହତ୍ୟା ମାମଲାରେ ଇମ୍ରାନଙ୍କୁ ମେ ୨୨ ପର୍ଯ୍ୟନ୍ତ ଜାମିନ ମିଳିଛି। ତିନୋଟି ଆତଙ୍କବାଦୀ ମାମଲାରେ ଆଉ ଏକ ବେଞ୍ଚ ତାଙ୍କୁ ମେ ୧୫ ପର୍ଯ୍ୟନ୍ତ ଗିରଫ ନ କରିବାକୁ ଆଦେଶ ଦେଇଛନ୍ତି।

କୋର୍ଟଙ୍କ ଆଦେଶକୁ ସ୍ବାଗତ କରିବା ସହ ଇମ୍ରାନ କହିଛନ୍ତି ଯେ, ପାକିସ୍ତାନ ସରକାରଙ୍କ ଜଙ୍ଗଲରାଜ ବିରୋଧରେ ନ୍ୟାୟପାଳିକା ଏକମାତ୍ର ସୁରକ୍ଷାଦାତା। ଏବେ ନ୍ୟାୟପାଳିକା ତାଙ୍କର ଏକମାତ୍ର ଭରସା ବୋଲି କହିଛନ୍ତି ଇମ୍ରାନ। ଦେଶଦ୍ରୋହ, ଈଶନିନ୍ଦା, ଦୁର୍ନୀତି, ହିଂସାକୁ ଉସକାଇବା ଓ ଆତଙ୍କବାଦ ପ୍ରଭୃତି ଅଭିଯୋଗରେ ୧୨୦ଟି ମାମଲା ରହିଛି ଇମ୍ରାନ ଖାନଙ୍କ ବିରୋଧରେ।