ନୂଆଦିଲ୍ଲୀ: ରାଜସ୍ଥାନ ବିଧାନସଭା ନିର୍ବାଚନରେ ଶ୍ରୀଗଙ୍ଗାନଗର ଜିଲ୍ଲାର କରଣପୁରରୁ କଂଗ୍ରେସ ପ୍ରାର୍ଥୀ ଥିବା ଗୁରମିତ ସିଂହ କୁନ୍ନରଙ୍କ ପରଲୋକ ହୋଇଛି। ସୂଚନାଯୋଗ୍ୟ, ଅନେକ ଦିନ ହେବ ଗୁରୁମିତଙ୍କ କିଡନିରେ ଅସୁବିଧା ରହିଥିଲା। ଏହି କାରଣରୁ ସେ ଅସୁସ୍ଥ ହୋଇପଡ଼ିଥିଲେ। ତେବେ ନିର୍ବାଚନ ପ୍ରଚାର ସମୟରେ ହଠାତ୍ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ଏହାପରେ ତାଙ୍କୁ ଗତ ନଭେମ୍ବର ୧୨ ତାରିଖରେ ଚିକିତ୍ସା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ତାଙ୍କର ପରଲୋକ ହୋଇଥିବା ସୂଚନା ମିଳିଛି।
ଗୁରମିତଙ୍କ ପରଲୋକ ପରେ କଂଗ୍ରେସକୁ ଏକ ପ୍ରକାର ଝଟ୍କା ଲାଗିଛି। ଗୁରୁମିତ ଶ୍ରୀଗଙ୍ଗାନଗରର କରଣପୁର ବିଧାୟକ ଓ କଂଗ୍ରେସ ପ୍ରାର୍ଥୀ ଥିଲେ। ସେ ନିଜ ନିର୍ବାଚନମଣ୍ଡଳୀରେ ବିକାଶ କାର୍ଯ୍ୟ ପାଇଁ ସବୁବେଳେ ପ୍ରୟାସ କରୁଥିଲେ। କୁନ୍ନରଙ୍କ ନିଧନ କଂଗ୍ରେସ ପାର୍ଟି ଏବଂ ରାଜସ୍ଥାନ ରାଜନୀତି ପାଇଁ ଅପୂରଣୀୟ କ୍ଷତି ବୋଲି କୁହାଯାଉଛି। ୨୦୨୩ରେ ବିଧାନସଭା ନିର୍ବାଚନ ପାଇଁ ଗୁରମିତ କଂଗ୍ରେସ ପ୍ରାର୍ଥୀ ଭାବେ ନଭେମ୍ବର ୪ରେ ନାମାଙ୍କନପତ୍ର ଦାଖଲ କରିଥିଲେ। ନିର୍ବାଚନରେ ଗୁରମିତଙ୍କ ମୁକାବିଲା ଭାଜପା ପ୍ରାର୍ଥୀ ସୁରେନ୍ଦ୍ର ପାଲ ସିଂହ ଟିଟିଙ୍କ ସହିତ ହୋଇଥାଆନ୍ତା।