ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସର ପରାଜୟକୁ ନେଇ ଇଣ୍ଡି ମେଣ୍ଟରେ ଫାଟ ଦେଖାଦେଇଛି। କଂଗ୍ରେସକୁ ଉଦ୍ଧବ ଠାକରେଙ୍କ ନେତୃତ୍ୱାଧୀନ ଶିବସେନା (ୟୁବିଟି) ଓ ତୃଣମୂଳ କଂଗ୍ରେସ କଡ଼ା ସମାଲୋଚନା କରିଛନ୍ତି। କଂଗ୍ରେସର ପରାଜୟର ପ୍ରମୁଖ କାରଣ ଭାବେ ଦୁଇ ଦଳ ଅତ୍ୟଧିକ ଆତ୍ମବିଶ୍ୱାସ ଓ ଅହଂକାରକୁ ଦର୍ଶାଇଛନ୍ତି। ହରିୟାଣା ବିଧାନସଭା ନିର୍ବାଚନ ପାଇଁ ମଙ୍ଗଳବାର ସନ୍ଧ୍ୟାରେ ପ୍ରକାଶିତ ଫଳାଫଳ ଅନୁଯାୟୀ, ବିଜେପି ୪୮ଟି ଆସନ ହାସଲ କରିଛି, ଯାହା କି ପୂର୍ବ ନିର୍ବାଚନ ତୁଳନାରେ ଅଧିକ ଏବଂ ସରକାର ଗଠନ ପାଇଁ ସ୍ପଷ୍ଟ ଜନାଦେଶ। କଂଗ୍ରେସ ୩୭ଟି ଆସନ ହାସଲ କରିବାରେ ସଫଳ ହୋଇଛି। ଇଣ୍ଡିଆନ ନ୍ୟାସନାଲ ଲୋକଦଳ (ଆଇଏନଏଲଡି) ୨ଟି ଏବଂ ସ୍ୱାଧୀନ ପ୍ରାର୍ଥୀ ୩ଟି ଆସନରେ ବିଜୟୀ ହୋଇଛନ୍ତି।
ଉଦ୍ଧବ ସେନାର ମୁଖପତ୍ର ‘ସାମନା’ର ସମ୍ପାଦକୀୟରେ ମହାରାଷ୍ଟ୍ରର କଂଗ୍ରେସ ନେତାମାନଙ୍କୁ ହରିୟାଣାରେ କଂଗ୍ରେସର ପରାଜୟରୁ ଶିକ୍ଷା ନେବାକୁ ଚେତାବନୀ ଦିଆଯାଇଛି। ଏପରିକି ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ ମଧ୍ୟ ସମାନ ଘଟଣା ଘଟିଛି। କଂଗ୍ରେସ ଦଳ ଭିତରେ ଘୋର ଆଭ୍ୟନ୍ତରୀଣ କନ୍ଦଳ ଲାଗି ରହିଥିବାରୁ ଉଭୟ ରାଜ୍ୟରେ ଦଳ ପରାଜିତ ହୋଇଛି। ତୃଣମୂଳ କଂଗ୍ରେସ ସାଂସଦ ସାକେତ ଗୋଖଲେ କହିଛନ୍ତି ଯେ ଅହଂକାର ଓ ଆଞ୍ଚଳିକ ଦଳଗୁଡ଼ିକୁ ହେୟଜ୍ଞାନ କରିବା ହରିୟାଣାରେ କଂଗ୍ରେସ ବିପର୍ଯ୍ୟୟର କାରଣ। ଦିଲ୍ଲୀର ପୂର୍ବତନ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ କଂଗ୍ରେସ ନିର୍ବାଚନ ରଣନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି ଏବଂ କହିଛନ୍ତି ଯେ ବିଧାନସଭା ନିର୍ବାଚନ ଫଳାଫଳରୁ ସବୁଠାରୁ ବଡ ଶିକ୍ଷା ହେଉଛି ଯେ କେହି କେବେ ବି ଅତ୍ୟଧିକ ଆତ୍ମବିଶ୍ୱାସ ରଖିବା ଉଚିତ ନୁହେଁ। ହରିୟାଣାରେ ମେଣ୍ଟ କରିବା ପାଇଁ ଆପ୍ କଂଗ୍ରେସ ସହ ନିର୍ବାଚନ ପୂର୍ବରୁ ଆଲୋଚନା କରିଥିଲା। ତେବେ ଆସନ ବଣ୍ଟନକୁ ନେଇ ମତଭେଦ ଯୋଗୁଁ ଆଲୋଚନା ବିଫଳ ହୋଇଥିଲା। ଦିଲ୍ଲୀ ଓ ପଞ୍ଜାବରେ କ୍ଷମତାରେ ଥିବା ଏହି ଦଳ ଏକାକୀ ୮୯ଟି ଆସନରେ ଲଢ଼ି ମୋଟ ଭୋଟ୍ର ମାତ୍ର ୧.୫୩ ପ୍ରତିଶତ ହାସଲ କରିବାରେ ସଫଳ ହୋଇଛି। ଶିବସେନା ନେତାମାନେ କହିଛନ୍ତି ଯେ ବିଜେପି ସହ ସିଧାସଳଖ ଟକ୍କର ସ୍ଥିତିରେ କଂଗ୍ରେସର ଗ୍ରହଣୀୟତା କମି ଯାଉଛି।
ଉତ୍ତରପ୍ରଦେଶ, ଦିଲ୍ଲୀରେ କଂଗ୍ରେସର ହାତ ଛାଡ଼ିଲେ ମେଣ୍ଟ ସହଯୋଗୀ
ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ହାରିଯିବାପରେ ଏବେ ଏହାର ମେଣ୍ଟ ସହଯୋଗୀମାନେ ହାତ ଛାଡ଼ିବା ଆରମ୍ଭ କରିଛନ୍ତି। ଉତ୍ତରପ୍ରଦେଶରେ ଚଳିତ ବର୍ଷ ୧୦ଟି ଆସନରେ ଉପନିର୍ବାଚନ ଅଛି। ଏହି ୧୦ଟି ଆସନରୁ ଆଜି ୬ଟି ଆସନରେ ସମାଜବାଦୀ ପାର୍ଟି ପ୍ରାର୍ଥୀ ଘୋଷଣା କରିଛି। କଂଗ୍ରେସ ସହ କୌଣସି ଆଲୋଚନା ନକରି ସପା ସୁପ୍ରିମୋ ଅଖିଳେଶ ଯାଦବ ୬ଟି ଆସନରେ ପ୍ରାର୍ଥୀ ଘୋଷଣା କରିଛନ୍ତି। ତେବେ ଏହି ସଂଖ୍ୟା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। କାରଣ କଂଗ୍ରେସ ୧୦ଟି ଆସନ ମଧ୍ୟରୁ ୫ଟି ଆସନରେ ନିର୍ବାଚନ ଲଢ଼ିବାକୁ ଚାହୁଥିଲା। କିନ୍ତୁ ସପା ଏହାକୁ ପ୍ରତ୍ୟାଖ୍ୟାନ କରିଛି। ଆଜି ସପା ଜାରି କରିଥିବା ତାଲିକା ଦେଖି କଂଗ୍ରେସ ଚକିତ ହୋଇଯାଇଛି। ଦିଲ୍ଲୀରେ ମଧ୍ୟ ଆପ୍ କଂଗ୍ରେସ ସହ ବିଧାନସଭା ନିର୍ବାଚନ ପାଇଁ ମେଣ୍ଟ କରିବ ନାହିଁ ବୋଲି ସ୍ପଷ୍ଟ କରିଛି। ଆପ୍ ମୁଖ୍ୟ ମୁଖପାତ୍ର ପ୍ରିୟଙ୍କା କକ୍କର କହିଛନ୍ତି, କଂଗ୍ରେସ ହରିୟାଣାରେ ଆପ୍ ଓ ସମାଜବାଦୀ ପାର୍ଟିକୁ ସାମିଲ କରିନଥିଲା ଏବଂ ଆମେ ଦିଲ୍ଲୀରେ କଂଗ୍ରେସ ସହ ମେଣ୍ଟ କରିବୁ ନାହିଁ।