ନୂଆଦିଲ୍ଲୀ : ଏମ୍ସ ଦିଲ୍ଲୀ ରେସିଡେଣ୍ଟ ଡାକ୍ତର ସଂଘ ପକ୍ଷରୁ ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଥିବା ଧର୍ମଘଟକୁ ପ୍ରତ୍ୟାହାର କରିନିଆଯାଇଛି । କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖଲାଲ ମାଣ୍ଡଭିଅଙ୍କ ସହ ଆଲୋଚନା ପରେ ସଂଘ ପକ୍ଷରୁ ଧର୍ମଘଟକୁ ପ୍ରତ୍ୟାହାର କରିନିଆଯାଇଛି । ଏହା ଫଳରେ ଆସନ୍ତା କାଲିଠାରୁ ବିଭିନ୍ନ ଡାକ୍ତରୀ ସେବା ସ୍ବାଭାବିକଭାବେ ଜାରି ରହିବ ।

Advertisment

ଏହି ବୈଠକ ବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଆନ୍ଦୋଳନରତ ଡାକ୍ତରମାନଙ୍କ ଉପରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନିନ୍ଦା କରିଥିଲେ । ଅନ୍ୟପକ୍ଷରେ ସ୍ବାସ୍ଥ୍ୟମନ୍ତ୍ରୀ କହିଥିଲେ ଯେ  ଖୁବଶୀଘ୍ର ନିଟ୍-ପିଜି ୨୦୨୧ କାଉନସେଲିଂ ଆରମ୍ଭ କରାଯିବ । ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧିନ ରହିଥିବାରୁ ଏହି ପ୍ରକ୍ରିୟା ବିଳମ୍ବିତ ହେଉଛି ।

ଏହା ପୂର୍ବରୁ ରେସିଡେଣ୍ଟ ଡାକ୍ତର ମହାସଂଘ ଏକ ୧୨ ଜଣିଆ ପ୍ରତିନିଧିମଣ୍ଡଳ ସ୍ବାସ୍ଥ୍ୟମନ୍ତ୍ରୀଙ୍କୁ ଭେଟିଥିଲା । ଏହି ବୈଠକ ଅବସରରେ ଲୋକମାନଙ୍କର ସ୍ବାର୍ଥ ଦୃଷ୍ଟିରୁ ଧର୍ମଘଟ ପ୍ରତ୍ୟାହାର ପାଇଁ ସେ ଡାକ୍ତରମାନଙ୍କୁ ଅନୁରୋଧ କରିଥିଲେ । ତେବେ ପୁଲିସ ଅତ୍ୟାଚାର ବିରୋଧରେ ସରକାର ଲିଖିତ କ୍ଷମାପ୍ରାର୍ଥନା ନ କରିବା ପର୍ଯ୍ୟନ୍ତ ଧର୍ମଘଟ ଜାରି ରହିବ ବୋଲି ମହାସଂଘ ପକ୍ଷରୁ କୁହାଯାଇଛି ।