ଆସାମ: ଆସାମର ଦିପାଲୀ ଭଟ୍ଟାଚାର୍ଯ୍ୟ ଅଳ୍ପ ଅର୍ଥ ବିନିଯୋଗ କରି ନିଜର ଘରୋଇ ବ୍ରାଣ୍ତ 'ପ୍ରକୃତି’ ନ‌ାଁରେ ଆଚାର ତିଆରି କରି ବିକିବା ଆରମ୍ଭ କରିଥି‌ଲେ। ତାଙ୍କ ସ୍ବାମୀଙ୍କ ମୃତ୍ୟୁ ପରେ ସେ ଧୈର୍ଯ୍ୟହରା ନ ହୋଇ ଅଳ୍ପ ଅର୍ଥ ଖର୍ଚ୍ଚ କରି ନିଜର ବ୍ୟବସାୟ ଆରମ୍ଭ କରିବା ସହ ଏଥିରେ ସଫଳ ମଧ୍ୟ ହୋଇଛନ୍ତି। ସୂଚନାନୁଯାୟୀ, ବର୍ତ୍ତମାନ ଦିପାଲୀ ଭଟ୍ଟାଚାର୍ଯ୍ୟ ଜଣେ ଦକ୍ଷ ମହିଳା  ଉଦ୍ୟୋଗୀ ଭାବେ ଅନ୍ୟଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସ୍ବାମୀଙ୍କ ମୃତ୍ୟୁ ପରେ ହାରି ନ ଯାଇ ଅଳ୍ପ ଅର୍ଥରେ ସେ ନିଜର ଆଚାର ବ୍ୟବସାୟ ଆରମ୍ଭ କରିଥିଲେ ଓ ତାଙ୍କ 'ପ୍ରକୃତି’ ବ୍ରାଣ୍ତ ଏବେ ବେଶ୍ ଲୋକପ୍ରିୟ ହୋଇଛି।
Advertisment
ପରେ ସେ ଆସାମର ପାରମ୍ପରିକ ସ୍ନାକ୍ସ‌ ‘ଟୋଷ୍ଟ ପିଠା’ ମଧ୍ୟ ତିଆରି କରିବା କାମ ଆରମ୍ଭ କରିଥିଲେ। ଏହି ସ୍ନାକ୍ସ‌କୁ ତେଲରେ ଛାଣିବା ପରି‌ବର୍ତ୍ତେ ସେ ଘରୋଇ ଉପାୟ ବିନିଯୋଗ କରି ସ୍ବାସ୍ଥ୍ୟକର ଭାବେ ସେ ବନାଇ ପ୍ରତିଦିନ ପ୍ରାୟ ୫୦ଟି ‌ଟୋଷ୍ଟ ପିଠା ନିକଟସ୍ଥ ମିଠା ଦୋକାନରେ ବିକିବାକୁ ଦେଇଥାନ୍ତି। ଧୀରେ ଧୀରେ ନିଜ ବ୍ୟବସାୟ ବଢ଼ାଇବା ପାଇଁ ସେ ପ୍ରାୟ ୨୫ ପ୍ରକାରର ଆଚାର ତିଆରି କ‌ଲେ। ଏହି ବ୍ୟବସାୟରେ ଦିପାଲୀଙ୍କ ଝିଅ ସୁଦିତ୍ରୀ ଦେଭ୍ୟ‌ା ତାଙ୍କୁ ସହଯୋଗ କରିଥାନ୍ତି। ମାସକୁ ପ୍ର‌ାୟ ୨ଶହ ବୋତଲ ଆଚାର ବିକିଥାନ୍ତି ଦିପାଲୀ। ଗୌହାଟି ସମେତ ବେଙ୍ଗାଲୁୁରୁ, ଦିଲ୍ଲୀ ଭଳି ଅନ୍ୟ ସହରମାନଙ୍କରେ ଏହା ବିକି ବର୍ଷକୁ ୫ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ଦିପାଲୀ ।

publive-image Dreamstime.com

ଏ ନେଇ ଦିପାଲୀ କହନ୍ତି, ''ପ୍ରକୃତି’ ନାମଟି ମୋ ସ୍ବାମୀଙ୍କୁ ପସନ୍ଦ ଥିଲା। ସେ ଥିବା ସମୟରେ ଆମେ ଘରୋଇ ବ୍ୟବସାୟ ବିଷୟରେ କଥା ହୋଇଥିଲୁ। ସେତେବେଳେ ସେ 'ପ୍ରକୃତି’ ରଖିବାକୁ କହିଥିଲେ। ଜୀବିତ ଥିବା ଅବସ୍ଥା‌ରେ ମୋ ସ୍ବାମୀ ମୋତେ ବ୍ୟବସାୟ ପାଇଁ ସମର୍ଥନ କରିଥିଲେ।  ହେଲେ କୌଣସି କାରଣ ପାଇଁ ସେହି ସମୟରେ ବ୍ୟବସାୟ ଆରମ୍ଭ କରି ପାରି ନଥିଲି। ୨୦୦୩ ମସିହାରେ ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିଲା। ସେ ପେସାରେ ଜଣେ ଶିକ୍ଷକ ଥିଲେ।  ସେ ଯିବା ପରେ ୨୦୧୫ ମସିହାରେ ବ୍ୟବସାୟ ପାଇଁ ରେଜିଷ୍ଟ୍ରେସନ କରିଥିଲି। ୧୦ ହଜାର ଟଙ୍କା ବିନିଯୋଗ କରି ଏହି ବ୍ୟବସାୟ ଆରମ୍ଭ କରିଥିଲି। ପ୍ରଥମେ ଆଚାର ତିଆରି ଆରମ୍ଭ କରି ବିକିଥିଲି ଏବଂ ଏହାକୁ ଲୋକେ ଖୁବ ପସନ୍ଦ କରିଥିଲେ। ପରେ ସ୍ନାକ୍ସ ବନେଇବା ଆ‌ରମ୍ଭ କଲି। ଏହି ବ୍ୟବସାୟ କରିବାରେ ମୋ ବାପାମା’ ‌ମୋତେ ପ୍ରେରଣା ଦେଇଥିଲେ। ବାପାଙ୍କର ମସଲା ବ୍ୟବସାୟ ରହିଛି। ବାପାଙ୍କ ମୃତ୍ୟୁ ପରେ ମୋ ମା’ ତାଙ୍କ ବ୍ୟବସା‌ୟକୁ ସମ୍ଭାଳୁଥିଲେ ଏବଂ ମା’ଙ୍କ ପରେ ମୋ ଭାଇ ଏହି ବ୍ୟବସାୟ ସମ୍ଭାଳୁଛନ୍ତି। ମୋ ମା’ଙ୍କ ଠାରୁ ଏହି ଆଚାର ବନେଇବା ପ୍ରଶାଳୀ ମୁଁ ଶିଖିଛି ବୋଲି କହିଛନ୍ତି ଦିପାଲୀ।
ସେ ଆହୁରି ମଧ୍ୟ କହିଛନ୍ତି, ପୂର୍ବରୁ ୧୯୯୮ ମସିହାରେ ଫୁଡ଼ ଡ଼େଲିଭରିର ଏକ ଛୋଟ ବ୍ୟବସାୟ ଆରମ୍ଭ କରିଥିଲି। ଫୁଡ଼ ଡ଼େଲିଭରିରେ ଦହିବରା, ଆଳୁଚପ, ସମ୍ବର-ବରା, ଇଡଲି ଇତ୍ୟାଦି ବିକୁଥିଲି ଏବଂ ଏହାକୁ ମଧ୍ୟ ଲୋକ ବହୁତ ପସନ୍ଦ କରିଥିଲେ। ଏହାସହ ମୁଁ ଅନେକ ରୋଷେଇ ପ୍ରତିଯୋଗିତାରେ ମଧ୍ୟ ଭାଗ ନେଇଥିଲି। ୨୦୦୫ ମସିହାରେ କୋକାନଟ୍‌ ଡ଼େଭଲପମେଣ୍ଟ ବୋର୍ଡ଼ (ସିଡ଼ିବି) ପକ୍ଷରୁ ଟ୍ରେନିଙ୍ଗ ପାଇଁ ୧୦ ଦିନ କେରଳ ମଧ୍ୟ ଯାଇଥିଲି। ସେଠାରେ ରହି କୋକାନଟ ସୁଇଟ, ଜାମ, ‌ଟଫି, କେକ୍‌, ଆଇସକ୍ରିମ ଓ ଆଚାର କରିବା ଶିଖିଲି। ଏହି ଟ୍ରେନିଙ୍ଗ ମଧ୍ୟରୁ ଟରମେରିକ୍‌ ‌କୋକାନଟ୍‌ ପିକିଲ(ଆଚାର) ଶିଖିବା ସହ ଏବେ ତାହାକୁ ତିଆରି କରୁଛି ଏବଂ ଏହାକୁ ଲୋକେ ଖୁବ ପସନ୍ଦ କରୁଛନ୍ତି। ଅଗାମୀ ଦିନରେ ନୂଆ ଭେରାଇଟିର ଆଚାର ଓ ବିିଭିନ୍ନ ଭେରାଇଟିର ସ୍ନାକ୍ସ କରିବା ପାଇଁ ବ୍ୟବସ୍ଥା ମଧ୍ୟ କରୁଛି।