ଆକାଶମାର୍ଗରୁ ଭାରତର ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ୍‌ ପରେ ପାକ୍‌ ସେନା ଓ ସରକାର ଦୁଇଫାଳ!

ନୂଆଦିଲ୍ଲୀ: ପାକିସ୍ତାନର ଆଶଙ୍କା ଶେଷରେ ସତ୍ୟ ପ୍ରମାଣିତ ହୋଇଛି। ସୋମବାର ବିଳମ୍ବିତ ମଧ୍ୟରାତ୍ରରେ ଭାରତୀୟ ବାୟୁସେନା ପାକିସ୍ତାନ ସୀମାମଧ୍ୟରେ ପ୍ରବେଶ କରିବା ସହ ଆକାଶମାର୍ଗରୁ ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ୍‌ କରି ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ଗଢ଼ି ଉଠିଥିବା ଆତଙ୍କବାଦୀମାନଙ୍କର ସମସ୍ତ ଆଡ୍ଡା ଓ ଲଞ୍ଚପ୍ୟାଡ୍‌ ଉପରେ ବୋମା ପକାଇ ସେସବୁକୁ ମାଟିରେ ମିଶାଇ ଦେଇଛି।

ଭାରତର ଏପଦକ୍ଷେପ ପରେ ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହା ମହମ୍ମଦ କ୍ୟୁରେସୀ କରାଚି ଠାରେ ଏକ ଜରୁରିକାଳୀନ ବୈଠକ ଡକାଇ ପରିସ୍ଥିତିର ସମୀକ୍ଷା କରିଛନ୍ତି। ଅନ୍ୟପକ୍ଷରେ ଭାରତ ଯଦି କୌଣସି ପ୍ରକାରର ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରେ ତେବେ ପାକିସ୍ତାନ ତା’ର ପାଲଟା ଜବାବ ଦେବ ବୋଲି ଗତ ଦୁଇଦିନ ତଳେ ଏକ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଥିବା ପାକିସ୍ତାନ ସେନା ମେଜର ଅସିଫ୍‌ ଗଫୁର ଏବେ ଆକ୍ରମଣାତ୍ମକ ହେବା ପରିବର୍ତ୍ତେ ଆତ୍ମରକ୍ଷାତ୍ମକ ହୋଇ ପଡ଼ିଛନ୍ତି। ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ଆକାଶମାର୍ଗରୁ କରାଯାଇଥିବା ଦ୍ୱିତୀୟ ସର୍ଜିକାଲ ଷ୍ଟ୍ରାଇକ୍‌ ସଂପର୍କରେ କହିଛନ୍ତି ଯେ ଭାରତୀୟ ବାୟୁସେନାର କିଛି ବିମାନ ପିଓକେ ମଧ୍ୟକୁ ପଶି ଆସିଥିଲା। ଯାହାକୁ ଆମେ ଘଉଡ଼ାଇ ଦେଇଛୁ। ତେବେ ଭାରତୀୟ ବାୟୁସେନା ବିମାନରେ ଥିବା କିଛି ଭାରି ଜିନିଷ ତଳକୁ ଖସି ପଡ଼ିବା ଫଳରେ ପାକିସ୍ତାନ ସୀମା ମଧ୍ୟରେ ଥିବା ଗୋଟିଏ ଗଛର ଡାଳ ସହ ଗୋଟିଏ ପାଚେରିର କିଛି ଅଂଶ ଭାଙ୍ଗି ଯାଇଛି। ଏହାବାଦ୍‌ ଅନ୍ୟ କିଛି ବି କ୍ଷୟକ୍ଷତି ହୋଇନାହିଁ।


କିନ୍ତୁ, ପାକିସ୍ତାନ ସରକାରୀ ମୁଖପାତ୍ର କହିଛନ୍ତି ଯେ ଭାରତୀୟ ବାୟୁସେନାର ବିମାନ ପାକିସ୍ତାନ ଆକାଶ ସୀମା ମଧ୍ୟକୁ ପ୍ରବେଶ କରି ବାଲାକୋଟ ପର୍ଯ୍ୟନ୍ତ ପଶି ଆସିଥିଲା। ତେବେ, ଭାରତର ଏହି ସାମରିକ କାର୍ଯ୍ୟାନୁଷ୍ଠାନ ପରେ ପାକ୍‌ ସେନା ଓ ସରକାରଙ୍କ ମଧ୍ୟରେ ତାଳମେଳ ନଥିବା ବେଳେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଓ ପାକ୍‌ ସେନାମୁଖ୍ୟ ଜେନେରାଲ କମର ବାଜଓ୍ଵା ଏଯାବତ୍‌ ନିରବ ରହିଛନ୍ତି।

ସମ୍ବନ୍ଧିତ ଖବର