ଆଜି ଏନଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ: ବୈଠକରେ ଟିଡିପି ଏବଂ ଜେଡିୟୁ ଯୋଗଦେବେ

ନୂଆଦିଲ୍ଲୀ: ଆଜି ଏନଡିଏର ଗୁରୁତ୍ୱପୂର୍ଣ୍ଣ ବୈଠକ । ଜୁନ୍ ୪ର ଜନାଦେଶ ପରେ ଏବେ ଅପେକ୍ଷା କିଏ କେତେ ବେଳେ ଶପଥ ଗ୍ରହଣ କରିବେ । ଆଜି ଏହା ଉପରେ ସାରା ଦେଶର ନଜର ରହିଛି । ଆଜି ଏନଡିଏର ବୈଠକ ବସିବ । ନୂଆଦିଲ୍ଲୀରେ ହେବାକୁ ଥିବା ଏହି ବୈଠକରେ ଆନ୍ଧ୍ରପ୍ରଦେଶର ବିଜୟୀ ଦଳ ଟିଡିପି ଏବଂ ବିଜେପିର ଗୁରୁତ୍ୱପୂର୍ଣ୍ଣ ସହଯୋଗୀ ଜେଡିୟୁ ଯୋଗଦେବେ । ଜାତୀୟ ଗଣମାଧ୍ୟମର ଚର୍ଚ୍ଚା ଅନୁସାରେ ଚନ୍ଦ୍ରବାବୁଙ୍କ ଟିଡିପି କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ବିଭାଗ ମାଗିପାରେ ।

କୁହାଯାଉଛି ଲୋକସଭା ବାଚସ୍ପତି ପଦକୁ ବାଦ୍ ଦେଇ କୌଣସି ଏକ ଗୁରୁତ୍ୱପୂର୍ଣ୍ଣ ବିଭାଗ ଦାବି କରିବାରେ ଟିଡିପି । ଶିକ୍ଷା, ସ୍ୱାସ୍ଥ୍ୟ, ସଡ଼କ ପରିବହନ, ଗ୍ରାମାଂଚଳ ବିକାଶ, କୃଷି କିମ୍ବା ସୂଚନା ଓ ପ୍ରସାରଣ ବିଭାଗକୁ ନିଜ ଅଧିନରେ ରଖିବାକୁ ଦାବି କରିପାରନ୍ତି ଚନ୍ଦ୍ରବାବୁ ନାଇଡୁ । କେନ୍ଦ୍ରରେ ମେଂଟ ସରକାରରେ ଆନ୍ଧ୍ରପ୍ରଦେଶ ରାଜନୀତିର ବଡ଼ ଚେହେରା ଚନ୍ଦ୍ରବାବୁ ନାଇଡୁଙ୍କ ବଡ଼ ଭୂମିକା ରହିବ । କାରଣ ଟିଡିପି ୧୬ଟି ଲୋକସଭା ଆସନରେ ବିଜୟୀ ହୋଇଛି । ଏହାସହ ଇଣ୍ଡିଆ ମେଂଟର ବୈଠକ ମଧ୍ୟ ଆଜି ବସିବ ।

ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ସହ ଇଣ୍ଡିଆ ମେଂଟ ଯୋଗାଯୋଗ କରୁଥିବା କୁହାଯାଉଛି । ଶରଦ ପାୱାର ଏଥିପାଇଁ ପ୍ରୟାସ କରୁଥିବା କୁହାଯାଉଛି । ସେହିପରି ଟିଡିପି ସୁପ୍ରିମୋ ଚନ୍ଦ୍ରବାବୁ ନାଇଡୁଙ୍କ ସହ ଯୋଗାଯୋଗ କରିବାକୁ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ପ୍ରୟାସ କରୁଥିବା କୁହାଯାଉଛି । କିନ୍ତୁ ଅମିତ ଶାହ ଉଭୟ ସହଯୋଗୀଙ୍କ ସହ କଥା ହୋଇସାରିଛନ୍ତି ।  ନୀତୀଶ ଓ ନାଇଡୁ ଏନଡିଏରେ ରହିବେ ଏବଂ ଆଜିର ବୈଠକରେ ଯୋଗଦେବେ ବୋଲି ଜଣାପଡିଛି ।

ସମ୍ବନ୍ଧିତ ଖବର