ପ୍ରତିଶୋଧ ନେଲା ବିଏସ୍‌ଏଫ୍‌

୨ ପାକ୍‌ ଘାଟି ଧ୍ୱସ୍ତ, ୧୦ ସୈନିକଙ୍କ ମୃତ୍ୟୁ!

ଶ୍ରୀନଗର : ଜମ୍ମୁ କଶ୍ମୀରର ସାମ୍ବା ସେକ୍ଟରରେ ଗତକାଲି ପାକ୍‌ ସେନାର ଅସ୍ତ୍ରବିରତି ଉଲ୍ଲଂଘନରେ ଜଣେ ବିଏସଏଫ୍‌ ଯବାନ ସହିଦ ହେବାର ୨୪ ଘଣ୍ଟା ନ ପୂରୁଣୁ ଭାରତ ଏହାର କଡ଼ା ଜବାବ ଦେଇଛି। ଆଜି ବିଏସଏଫ କାର୍ଯ୍ୟାନୁଷ୍ଠାନରେ ପାକିସ୍ତାନର ୨ଟି ଗୁରୁତ୍ୱପୂର୍ଣ୍ଣ ଘାଟି ଛାରଖାର ହୋଇଯିବା ସହ ଏଥିରେ ୮ରୁ ୧୦ ଜଣ ପାକିସ୍ତାନୀ ରେଂଜର୍ସ ନିପାତ ହୋଇଥବା କେତେକ ସୂତ୍ରରୁ ଖବର ମିଳିଛି। ତେବେ ଭାରତୀୟ ସେନା ମୃତାହତଙ୍କ ସଂଖ୍ୟା ନେଇ କୌଣସି ତଥ୍ୟ ପ୍ରଦାନ କରିନାହିଁ। ପାକିସ୍ତାନର ୨ଟି ଆଗୁଆ ବଡ଼ ଘାଟି ଛାରଖାର ହୋଇଯିବାରୁ ସେଠାରେ ଥିବା ଭାରୀ ଯୁଦ୍ଧାସ୍ତ୍ର ମଧ୍ୟ ନଷ୍ଟ ହୋଇଯାଇଛି । ବିଏସ୍‌ଏଫ୍‌ର ଭୟଙ୍କର ଜବାବରେ ପାକିସ୍ତାନୀ ସେନା ଆଉ ୪ଟି ଘାଟିରୁ ଛତ୍ରଭଙ୍ଗ ଦେଇଛନ୍ତି।

ବିଏସଏଫ ଆଇଜି ରାମ ଅବତାର କହିଛନ୍ତି ଯେ ବିଏସ୍‌ଏଫ୍‌ର ୨ଟି ଘାଟି ମୂଳପୋଛ ହୋଇଯାଇଥିବା ବେଳେ ଆଉ ୨ଟି ଘାଟି ମଧ୍ୟ ଛାରଖାର ହୋଇଛି। ତେବେ ନିର୍ଦ୍ଦିଷ୍ଟ ଭାବେ କେତେଜଣ ପାକ୍‌ ସେନା ପ୍ରାଣ ହରାଇଛନ୍ତି ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଆଜି ପାକିସ୍ତାନ ପ୍ରଥମେ ସ୍ୱୟଂଚାଳିତ ବନ୍ଧୁକରୁ ଗୁଳି ଚାଳନା କରିବା ସହ ମୋର୍ଟାର ମାଡ଼ କରିଥିଲା। ଏହାର ଜବାବ୍‌ରେ ସୀମା ସୁରକ୍ଷା ବାହିନୀ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା। ଏଥିରେ ପାକିସ୍ତାନର ଅନେକ ଉପକରଣ, ସୋଲାର ପ୍ୟାନେଲ ଏବଂ ଭାରୀ ଯୁଦ୍ଧାସ୍ତ୍ର ଧ୍ୱଂସ ହୋଇଥିବା ଜଣାପଡ଼ିଛି । ସାମ୍ବା ସେକ୍ଟର ଅଂଚଳରେ ପାକ୍‌ ସେନାର ଦୁଇଟି ପୋଷ୍ଟ ଧ୍ୱସ୍ତ ହୋଇଯିବା ପରେ ଅନ୍ୟ କେତେକ ପୋଷ୍ଟ୍‍ ଛାଡ଼ି ମଧ୍ୟ ପାକ୍‌ ସେନା ଛତ୍ରଭଙ୍ଗ ଦେଇଛନ୍ତି।

ପାକିସ୍ତାନ ଗତବର୍ଷ ଭାରତୀୟ ସୀମାରେ ୮୮୨ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନରେ ଗତବର୍ଷ ୧୪ ଜଣ ଯବାନ, ୧୨ ସାଧାରଣ ନାଗରିକ ଏବଂ ୪ ବିଏସଏଫ ଯବାନ ପ୍ରାଣ ହରାଇଛନ୍ତି। ରାଜୌରି, ନୌସେରା ଓ ପୁଞ୍ଚ ସେକ୍ଟରରେ ସର୍ବାଧିକ ଅସ୍ତ୍ରବିରତି ଉଲ୍ଲଂଘନ ହୋଇଥିବା ରିପୋର୍ଟ ମିଳିଛି। ଅନ୍ୟପକ୍ଷରେ ସାମ୍ବା ଓ ଆର୍ନିଆ ସେକ୍ଟରେ ୪୦ରୁ ଅଧିକ ଥର ଅନୁପ୍ରବେଶ ଉଦ୍ୟମ ହୋଇଛି। ଆଜି ବିଏସ୍‌ଏଫ୍‌ କାର୍ଯ୍ୟାନୁଷ୍ଠାନ ପରେ ଏଲ୍‌ଓସି ସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବାରୁ ସୁରକ୍ଷା ବଢ଼ାଇ ଦିଆଯାଇଛି ।

ସୂଚନାଯୋଗ୍ୟ, ଗତକାଲି ପାକିସ୍ତାନ ବ୍ୟାଟ୍‌ ଟିମ୍‌ର ସ୍ନାଇପର ଆକ୍ରମଣରେ ସାମ୍ବା ସେକ୍ଟରରେ ମୁତୟନ ଥିବା ଜଣେ ବିଏସଏଫ ଯବାନ ତାଙ୍କ ଜନ୍ମଦିନରେ ସହିଦ ହୋଇଯାଇଥିଲେ।

ସମ୍ବନ୍ଧିତ ଖବର