ଯୋଶୀମଠ ପରେ ଜମ୍ମୁ- କଶ୍ମୀରର ଡୋଡା ଜିଲ୍ଲାରେ ଘରଗୁଡ଼ିକରେ ସୃଷ୍ଟି ହେଉଛି ଫାଟ

ଜମ୍ମୁ: ଉତ୍ତରାଖଣ୍ଡର ଯୋଶୀମଠ ପରି ଜମ୍ମୁ- କଶ୍ମୀରର ଡୋଡା ଜିଲ୍ଲାର ପ୍ରାୟ ୧୯ଟି ଘରେ ଫାଟ ସୃଷ୍ଟି ହୋଇଛି ଏବଂ ସଂପୃକ୍ତ ଅଞ୍ଚଳ ଦବିବାକୁ ଆରମ୍ଭ କରିଛି। ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଥିବା ବେଳେ ସରକାରୀ କର୍ତ୍ତୃପକ୍ଷ ସମାଧାନର ବାଟ ଖୋଜିବାକୁ ଆରମ୍ଭ କରୁଛନ୍ତି।

ଏହି ଘଟଣା ପରେ ଡୋଡା ଜିଲ୍ଲାର ଥାଥ୍ରି ସହରର ବସ୍ତି ଅଞ୍ଚଳର ବାସିନ୍ଦାମାନେ ସେମାନଙ୍କ ପଡ଼ୋଶୀ କିମ୍ବା ସମ୍ପର୍କୀୟଙ୍କ ସହ ରହିବାକୁ ନିଜ ଘରଦ୍ୱାର ଛାଡ଼ି ଚାଲି ଯାଉଛନ୍ତି। ଅନ୍ୟପକ୍ଷରେ ଭୂବିଜ୍ଞାନୀ ଏବଂ ବରିଷ୍ଠ ଜିଲ୍ଲା ଅଧିକାରୀଙ୍କ ଏକ ଦଳ ଫାଟ ପଛର କାରଣ ଜାଣିବା ପାଇଁ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

ରିପୋର୍ଟରୁ ପ୍ରକାଶ, ପ୍ରଥମେ ଡିସେମ୍ବରରେ ଡୋଡା ଜିଲ୍ଲାର ଏକ ଘରେ ଫାଟ ସୃଷ୍ଟି ହୋଇଥିଲା। ଗତକାଲି ପର୍ଯ୍ୟନ୍ତ ଛଅଟି କୋଠାରେ ଫାଟ ସୃଷ୍ଟି ହୋଇଥିଲା, କିନ୍ତୁ ବର୍ତ୍ତମାନ ଏହି ଫାଟ ବୃଦ୍ଧି ପାଇବାକୁ ଆରମ୍ଭ କରିଛି ଏବଂ ୧୯ଟି ଘରେ ଫାଟ ସୃଷ୍ଟି ହୋଇଛି। ଏଥିସହ ଏହି ଅଞ୍ଚଳ ଧୀରେ ଧୀରେ ଦବିବାକୁ ଆରମ୍ଭ କରିଛି। ସରକାର ଯଥାଶୀଘ୍ର ସମାଧାନ ଖୋଜିବାକୁ ଚେଷ୍ଟା କରୁଛନ୍ତି ବୋଲି ଡୋଡାର ସବ୍‌ ଡିଭିଜନାଲ୍‌ ମାଜିଷ୍ଟ୍ରେଟ୍‌ (ଏସ୍‌ଡିଏମ୍‌) ଅଥର ଅମିନ୍‌ ଜର୍ଗର କହିଛନ୍ତି।

ଜାନୁଆରୀ ୨୯ରେ, ଜମ୍ମୁ- କଶ୍ମୀରର ଏକ ଅଣ-ରାଜନୈତିକ ନାଗରିକ ସମାଜ ପକ୍ଷରୁ ସରକାରଙ୍କୁ କେନ୍ଦ୍ର ଶାସିତ ଅଞ୍ଚଳରେ ଜମି ଦବିବା ବିରୁଦ୍ଧରେ ପ୍ରତିଷେଧକ ରଣନୀତି ଏବଂ ଯୋଜନା ପ୍ରସ୍ତୁତ କରିବାକୁ ଅନୁରୋଧ କରାଯାଇଥିଲା। ମୁଖ୍ୟ ସଚିବ ଡକ୍ଟର ଏ କେ ମେହେଟ୍ଟାଙ୍କୁ ସମ୍ବୋଧିତ ଏକ ସ୍ମାରକପତ୍ରରେ ସମ୍ପୃକ୍ତ ନାଗରିକଗୋଷ୍ଠୀ (ଜିସିସି) ଜେ ଆଣ୍ଡ କେ ୟୁଟିର ବିଭିନ୍ନ ସ୍ଥାନରେ ଜମି ଦବିବାର ଆଶଙ୍କା ବୃଦ୍ଧି ପରିପ୍ରେକ୍ଷୀରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କୁହାଯାଇଥିଲା।

ସମ୍ବନ୍ଧିତ ଖବର