ନିଜ ପୂର୍ବତନ ସହକର୍ମୀମାନଙ୍କୁ ଟାର୍ଗେଟ କରୁଛନ୍ତି କି କେଜ୍ରିଓ୍ବାଲ ? କୁମାର ବିଶ୍ବାସଙ୍କ ପରେ ଅଳକା ଲାମ୍ବାଙ୍କୁ ପୁଲିସ ନୋଟିସ

ନୂଆଦିଲ୍ଲୀ : ଆମ ଆଦମି ପାର୍ଟି (ଆପ) ପକ୍ଷରୁ ଏବେ ନିଜର ପୂର୍ବତନ ଦଳୀୟ ସଦସ୍ୟମାନଙ୍କୁ ଟାର୍ଗେଟ୍ କରାଯାଉଥିବା ଅଭିଯୋଗ ହେଉଛି । ଯେଉଁମାନେ ପୂର୍ବରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରିଥିଲେ, ସେମାନଙ୍କ ବିରୋଧରେ ପଞ୍ଜାବ ପୁଲିସକୁ ଲଗାଇ ଦିଆଯାଇଛି ।

ପ୍ରଥମେ କୁମାର ବିଶ୍ବାସଙ୍କ ବିରୋଧରେ ପଞ୍ଜାବ ପୁଲିସ ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯିବା ପରେ ଏବେ ଆଉଜଣେ ପୂର୍ବତନ ଆପ ନେତା ତଥା ଏବେ କଂଗ୍ରେସରେ ଥିବା ଅଳକା ଲାମ୍ବାଙ୍କ ପାଳି । ପଞ୍ଜାବ ପୁଲିସ ତାଙ୍କ ଘରେ ପହଞ୍ଚି ଏକ ନୋଟିସ କାନ୍ଥରେ ଲଗାଇଛି । ଆସନ୍ତା ୨୬ ତାରିଖ ସୁଦ୍ଧା ପଞ୍ଜାବର ରୂପନଗର ଥାନାରେ ହାଜର ହେବାକୁ ତାଙ୍କୁ ପୁଲିସ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ଏହାର ପ୍ରତିକ୍ରିୟା ରଖି ଅଳକା କହିଛନ୍ତି ଯେ ସେ ଏହି ଧମକକୁ ଡରନ୍ତି ନାହିଁ । ସେ ବଡ଼ ସଂଘିଙ୍କୁ ଡରିନଥିଲେ, ଛୋଟ ସଂଘିମାନଙ୍କୁ ବି ଡରନ୍ତି ନାହିଁ ।

ଗତ ଫେବ୍ରୁଆରି ମାସରେ ଅଳକା ଲାମ୍ବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲଙ୍କୁ ସମାଲୋଚନା କରି କେତେକ ମନ୍ତବ୍ୟ ଦେଇଥିଲେ ।

ଏହା ପୂର୍ବରୁ କୁମାର ବିଶ୍ବାସଙ୍କ ବିରୋଧରେ ପଞ୍ଜାବରେ ଏକ ମାମଲା ରୁଜ୍ଜୁ କରାଯାଇଥିଲା । ସେ ପଂଜାବର ଶାନ୍ତି ଭଙ୍ଗ କରୁଥିବା ଅଭିଯୋଗ କରି ଏହି ମାମଲା ରୁଜ୍ଜୁ କରାଯାଇଛି । ଗତ ଫେବ୍ରୁଆରି ମାସରେ କୁମାର ବିଶ୍ବାସ ଅଭିଯୋଗ କରିଥିଲେ ଯେ ଖଲିସ୍ତାନୀମାନେ ଆପ ପଛରେ ଅଛନ୍ତି ।

 

 

ସମ୍ବନ୍ଧିତ ଖବର