ମାର୍ଚ୍ଚ ୩୧ ପରେ ଅଚଳ ହୋଇଯାଇପାରେ ୧୭ କୋଟି ପାନକାର୍ଡ, ଚେତାବନୀ ଦେଲା ଆୟକର ବିଭାଗ

ନୂଆଦିଲ୍ଲୀ: ପାନକାର୍ଡଧାରୀଙ୍କ ପାଇଁ ବଡ ଖବର । ଯଦି ଆପଣଙ୍କ ପାଖରେ ପାନକାର୍ଡ ଅଛି ତେବେ ଏହି ଖବର ଆପଣଙ୍କ ପାଇଁ । ଦେଶର ୧୭ କୋଟି ପାନକାର୍ଡ ଉପରେ ଏବେ ସଂକଟର କଳାବାଦଲ ଘୂରି ବୁଲୁଛି । ତେବେ ଏହି ସଂକଟକୁ ଦୂର କରିବାକୁ ଆୟକର ବିଭାଗ ମାର୍ଚ୍ଚ ୩୧ ଯାଏଁ ଡେଡଲାଇନ ଦେଇଛି । ଅଥାର୍ତ ପାଖାପାଖି ଦେଢ ମାସର ସମୟ ଏବେ ଆପଣଙ୍କ ପାଖରେ ଅଛି । ଯଦି ମାର୍ଚ୍ଚ ୩୧ ସୁଦ୍ଧା ପାନକାର୍ଡ ସହ ଆଧାରକାର୍ଡ ଲିଙ୍କ୍ କରାନଯାଏ ତେବେ ଏହି ୧୭କୋଟି ପାନକାର୍ଡ ରଦ୍ଦ ହୋଇଯିବ । ଏନେଇ ଆଧାରକାର୍ଡ ସହ ଲିଙ୍କ୍ କରିନଥିବା ପାନକାର୍ଡଧାରୀଙ୍କୁ ଚେତାବନୀ ଦେଇଛି ଆୟକର ବିଭାଗ ।

ସିବିଡିଟି ମୁତାବକ ୨୭ ଜାନୁଆରୀ ୨୦୨୦ ପର୍ଯ୍ୟନ୍ତ ୩୦.୭୫ କୋଟି ପାନ କାର୍ଡକୁ ଆଧାର ସହ ଯୋଡାଯାଇଛି । କିନ୍ତୁ ଏବେ ମଧ୍ୟ ୧୭.୫୮ କୋଟି ପାନକାର୍ଡ ଆଧାର ସହ ଲିଙ୍କ୍ କରାଯାଇନାହିଁ । ଆୟକର ନିୟମର ଧାରା ୧୩୯ ଏଏ(୨) ଅନୁଯାୟୀ, ୧ ଜୁଲାଇ ୨୦୧୭ ପର୍ଯ୍ୟନ୍ତ ଯେଉଁମାନଙ୍କୁ ପାନକାର୍ଡ ଆବଣ୍ଟିତ କରାଯାଇଛି ସେମାନଙ୍କୁ ଆଧାର କାର୍ଡ ସହ ପାନକୁ ସଂଯୋଗ କରିବାକୁ ପଡିବ । ଆଉ ଏଥିପାଇଁ ମାର୍ଚ୍ଚ ୨୦ ଯାଏଁ ଡେଡଲାଇନ ଦିଆଯାଇଛି । ନଚେତ ଏହି ସମୟସୀମା ମଧ୍ୟରେ ପାନ୍ ସହ ଆଧାର ଲିଙ୍କ୍ ନ କରନ୍ତି ତେବେ ପାନକାର୍ଡ ବନ୍ଦ ହେବା ସହ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯିବ ।

୨୦୧୮ରେ ସୁପ୍ରିମକୋର୍ଟ ଦେଇଥିବା ରାୟ ଅନୁଯାୟୀ, ପାନକାର୍ଡ ସହ ଆଧାର ଲିଙ୍କ୍ କରିବା ଅପରିହାର୍ଯ୍ୟ ହୋଇପଡିଛି । ଏପରିକି ଏଥିପାଇଁ ବାରମ୍ବାର ଲୋକଙ୍କୁ ଡେଡଲାଇନ ଦିଆଯାଇଛି । ଏହାମଧ୍ୟରେ ପାନ୍ ସହ ଆଧାର ଲିଙ୍କର ସମୟସୀମାକୁ ୮ଥର ବଢାଇ ସାରିଲେଣି ଆୟକର ବିଭାଗ । କିନ୍ତୁ ପାନ୍ ସହ ଆଧାର ଲିଙ୍କ କରିବାକୁ ଏହା ଶେଷ ଡେଡଲାଇନ ବୋଲି ଆୟକର ବିଭାଗ ପକ୍ଷରୁ କୁହାଯାଇଛି ।
ତେବେ ଆଧାରକାର୍ଡ ସହ ପାନକାର୍ଡ କିଭଳି ଲିଙ୍କ୍ କରାଯାଏ ତାହା ଉପରେ ଥରେ ନଜର ପକାନ୍ତୁ ।

ସର୍ବପ୍ରଥମେ ଆୟକର ବିଭାଗ ୱେବସାଇଟ incometaxindiaefilling.gov.inରେ କ୍ଲିକ୍ କରନ୍ତୁ ।
– ଏଠାରେ ବାମ ପାଶ୍ୱର୍ରେ ଆଧାର ଲିଙ୍କ୍ କରିବାକୁ ବିକଳ୍ପ ଆସିବ ।
– ଏଠାରେ କ୍ଲିକ୍ କରିବା ପରେ ନୂଆ ପେଜ ଖୋଲିବ, ଯେଉଁଠାରେ ଉପରପାଶ୍ୱର୍ରେ ଲାଲରଙ୍ଗରେ click here ବିକଳ୍ପ ରହିବ ।
– ଏହାଛଡା ଯଦି ଆପଣ ପୂର୍ବରୁ ପାନ୍ ସହ ଆଧାର ଲିଙ୍କ୍ କରିଥାନ୍ତି ତେବେ ଏହାର ଷ୍ଟାଟସ ବିକଳ୍ପ ଉପରେ କ୍ଲିକ୍ କରି ଏହାକୁ ଭେରିପାଇ କରିପାରିବେ ।
– ଯଦି ଲିଙ୍କ୍ କରିନାହାନ୍ତି ତେବେ Click here ବିକଳ୍ପର ନିମ୍ନରେ ଦିଆଯାଇଥିବା ବକ୍ସରେ ପାନ୍, ଆଧାର ନମ୍ବର, ନିଜ ନାଁ ଓ ଦିଆଯାଇଥିବା କାପଚା୍ ଏଣ୍ଟର କରିବାକୁ ପଡିବ ।
– ଏହାପରେ Link Aadhar ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ । ଏହାସହ ଏହି ପ୍ରୋସେସ ପୂରା ହେବ ।
ଆୟକର ବିଭାଗ ମୁତାବକ, ୫୬୭୬୭୮ କିମ୍ବା ୫୬୧୬୧ ନମ୍ବରରେ ଏସଏମଏସ ପଠାଇ ଆଧାର-ପାନ୍ ଲିଙ୍କର ଷ୍ଟାଟସ କଣ ତାହା ଜାଣିପାରିବେ ଲୋକେ । ଆଧାର-ପାନ୍ ଲିଙ୍କ୍ କରିବାର ଡେଡଲାଇନ ସରିବା ପରେ ଆୟକର ବିଭାଗ ପକ୍ଷରୁ ଲିଙ୍କ୍ ହୋଇନଥିବା ସମସ୍ତ ପାନ୍ କାର୍ଡକୁ ଡିଆକ୍ଟିଭେଟ କରାଯିବ । ତେବେ ନୂଆ ପାନ୍ କାର୍ଡ ଆବେଦନ କରୁଥିଲେ ଆବେଦନକାରୀଙ୍କୁ ଆଧାର ନମ୍ବର ଦେବା ଅପରିହାର୍ଯ୍ୟ ।

ସମ୍ବନ୍ଧିତ ଖବର