ସୋନିଆଙ୍କୁ ଭେଟିବା ପରେ ଆଜାଦ କହିଲେ ଦଳ ଗୋଟିଏ, ଅଧ୍ୟକ୍ଷା ବି ଜଣେ

ନୂଆଦିଲ୍ଲୀ : କିଛି ଦିନ ତଳେ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ସରିଛି। କଂଗ୍ରେସର ଶୋଚନୀୟ ପରାଜୟ ଘଟିଥିବାରୁ ଦଳ ମୁଖ୍ୟଙ୍କ ଉପରେ ପ୍ରଶ୍ନ ଉଠିଛି। ଫଳରେ କଂଗ୍ରେସର ଆଭ୍ୟନ୍ତରୀଣ କନ୍ଦଳ ପଦାରେ ପଡିଛି। ଏହାକୁ ନେଇ ଅସନ୍ତୁଷ୍ଟ ଜି-୨୩ ନେତାଙ୍କ ବୈଠକ ପରେ ଏ ସଂକ୍ରାନ୍ତରେ କଂଗ୍ରେସର ବରିଷ୍ଠ ନେତା ଗୁଲାମ ନବୀ ଆଜାଦ ପାର୍ଟି ଅଧ୍ୟକ୍ଷ ସୋନିଆ ଗାନ୍ଧୀଙ୍କୁ ସାକ୍ଷାତ କରିଥିଲେ। ଜି-୨୩ ନେତାଙ୍କ ଉଦବେଗ ତାଙ୍କୁ ଅବଗତ କରାଇଥିଲେ। ଉଭୟଙ୍କ ଭିତରେ ଆଲୋଚନା ପରେ ଆଜାଦ କହିଥିଲେ ଯେ, କଂଗ୍ରେସ ନେତାମାନେ ଚାହାଁନ୍ତି ସୋନିଆ ହିଁ ପାର୍ଟି ଅଧ୍ୟକ୍ଷା ରୁହନ୍ତୁ। ଦଳ ଗୋଟିଏ, ଅଧ୍ୟକ୍ଷା ବି ଜଣେ।

ସୋନିଆଙ୍କୁ ସାକ୍ଷାତ କରି ବାହାରିବା ପରେ ସେ ଗଣମାଧ୍ୟମକୁ କହିଥିଲେ, ତାଙ୍କ ବିନା କଂଗ୍ରେସର ଦାୟିତ୍ବ ସମ୍ଭାଳିବା ଆଉ କାହା ପକ୍ଷରେ ସମ୍ଭବ ନୁହଁ। କେବଳ ଆମକୁ ଏକାଠି ହୋଇ ଲଢ଼ିବାକୁ ପଡିବ ବୋଲି ସେ କହିଥିଲେ। ସୋନିଆଙ୍କ ସହ ଆଲୋଚନା ପୂର୍ବରୁ ଜି-୨୩ ଗୋଷ୍ଠୀର ସଦସ୍ୟ ଭୁପେନ୍ଦ୍ର ସିଂହ ହୁଦା ପାର୍ଟିର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ସାକ୍ଷାତ କରି ଏ ସଂକ୍ରାନ୍ତରେ ଆଲୋଚନା କରିଥିଲେ। ମୁଖ୍ୟତଃ ବିଧାନସଭା ନିର୍ବାଚନରେ ପରାଜୟକୁ ନେଇ ଆଲୋଚନା ହୋଇଥିଲା।

ଉଲ୍ଲେଖଯୋଗ୍ୟ ଯେ, ଗତ ବୁଧବାର ଗୁଲାବ ନବୀ ଆଜାଦଙ୍କ ବାସଭବନରେ ଜି-୨୩ ନେତାମାନଙ୍କ ଏକ ବୈଠକ ହୋଇଥିଲା। ସାଂଗଠନିକ ପରିବର୍ତ୍ତନ ପାଇଁ ଉଣା ଅଧିକେ ଦାବି ଉଠିଥିଲା। ଏହି ଦାବି ଉଠିବା ପରେ ଶୁକ୍ରବାର ଗୁଲାମ ନବୀ ଆଜାଦ ସୋନିଆଙ୍କ ସହ ଆଲୋଚନା କରିବା ପରେ ଏଥିରେ ଆପାତତଃ ପୂର୍ଣ୍ଣଛେଦ ପଡ଼ିଛି।

ସମ୍ବନ୍ଧିତ ଖବର