ନୂଆଦିଲ୍ଲୀ: ବିଭିନ୍ନ ଭେଷଜ କମ୍ପାନି ନିଜ ପ୍ରସ୍ତୁତ ଟିକାର ବଜାର ପ୍ରବେଶ ଉଦ୍ଦେଶ୍ୟରେ କୌଣସି ଦେଶରେ ଅନୁମତି ପାଇବା ପାଇଁ ନୈଦାନିକ ପରୀକ୍ଷଣ ଠାରୁ ଆରମ୍ଭ କରି ବିଭିନ୍ନ ଆନୁଷଙ୍ଗିକ ଔପଚାରିକତାର ସମ୍ମୁଖୀନ ହୋଇଥାନ୍ତି। ମାତ୍ର ଭାରତରେ ଦେଖା‌ଦେଇଥିବା ଟିକା ଅଭାବ ପରିସ୍ଥିତିରେ ବିଭିନ୍ନ କମ୍ପାନି ଏବେ ସରକାରଙ୍କୁ ସେଥିରେ ସାଲିସ କରିବା ପାଇଁ ବାଧ୍ୟ କରିଚାଲିଛନ୍ତି। ଏପରିକି ଟିକାର ପ୍ରତିକୂଳ ପାର୍ଶ୍ବ ପ୍ରତିକ୍ରିୟା ପାଇଁ ସଂପୃକ୍ତ କମ୍ପାନି ଆଇନଗତ ଲଢ଼େଇର ସମ୍ମୁଖୀନ ନହେବାକୁ ସୁରକ୍ଷା(ଇଣ୍ଡେମ୍ନିଟି) ପାଇଁ ମଧ୍ୟ ବାଜି ଖେଳୁଛନ୍ତି।

Advertisment

ଦେଶରେ ସମ୍ପ୍ରତି ମଡର୍ଣ୍ଣା ଓ ଫାଇଜର କମ୍ପାନି ପରେ ସିରମ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ମଧ୍ୟ ନିଜ କୋଭିସିଲ୍‌ଡ ଟିକା ପାଇଁ ଗୁରୁବାର ସରକାରଙ୍କ ପାଖରେ ଜୀବନ ହାନି ସୁରକ୍ଷା ବା ଇଣ୍ଡେମ୍ନିଟି ଗୋଟି ଚଳାଇବା ଚର୍ଚ୍ଚାର ବିଷୟ ହୋଇଛି। ଦେଶୀ ହୁଅନ୍ତୁ ବା ବିଦେଶୀ, ସମସ୍ତ ଟିକା ନିର୍ମାତାମାନଙ୍କୁ ଏପରି ହାନି ସୁରକ୍ଷା ଯୋଗାଇଦେବାକୁ ସିରମ୍‌ ପକ୍ଷରୁ ସରକାରଙ୍କୁ ଦାବି କରାଯାଇଛି। ସୂଚନା ଥାଉ କି, ବର୍ତ୍ତମାନ ସୁଦ୍ଧା ଭାରତରେ କୌଣସି ଟିକାକୁ ଏପରି ସରକାରୀ ସୁରକ୍ଷା ପ୍ରଦାନ କରାଯାଇନାହିଁ। ଅପରପକ୍ଷେ, ବିଦେଶୀ କମ୍ପାନି ଫାଇଜର ଓ ମଡର୍ଣ୍ଣାକୁ ତାହା ସରକାର ଯୋଗାଇଦେଲେ ସେମାନେ ଭାରତକୁ ଟିକା ଯୋଗାଇବେ ବୋଲି ସର୍ତ୍ତାରୋପ କରିଛନ୍ତି। ଅପରପକ୍ଷେ, ସେମାନଙ୍କ ଟିକା ୯୦ ପ୍ରତିଶତ ଫଳପ୍ରଦ ବୋଲି ପ୍ରମାଣିତ ହେବା ସହ ଆମେରିକା ଓ ବ୍ରିଟେନ ସମେତ ପ୍ରାୟ ୪୫ଟି ଦେଶରେ ଅନୁମୋଦନଲାଭ କରିଛି। ସମ୍ପ୍ରତି ଦେଶରେ ଟିକାର ଘୋର ଅଭାବ ପରିଲକ୍ଷିତ ହୋଇଥିବା ପରିପ୍ରେକ୍ଷୀରେ ସରକାର ସେମାନଙ୍କୁ ଅନୁମତି ଦେବାରେ କୋହଳ ନୀତି ଆପଣେଇଛନ୍ତି।