ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ନାଗପୁରସ୍ଥିତ ରାଷ୍ଟ୍ରୀୟ ସ୍ବୟଂ ସେବକ (ଆର୍ଏସ୍ଏସ୍) ମୁଖ୍ୟାଳୟକୁ ଯାଇଥିଲେ। ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତ ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଛି। ଶିବସେନା (ୟୁବିଟି) ନେତା ସଞ୍ଜୟ ରାଉତ ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ଆଜି ମନ୍ତବ୍ୟ ରଖିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀ ଆସନ୍ତା ସେପ୍ଟେମ୍ବରରେ ଅବସର ନେବା ପାଇଁ ଯୋଜନା କରିଛନ୍ତି। ସେଥିପାଇଁ ସେ ଆର୍ଏସ୍ଏସ୍ ମୁଖ୍ୟାଳୟ ଯାଇ ଆଲୋଚନା କରିଛନ୍ତି।
ଟା-ଟା, ବାଏ ବାଏ ପାଇଁ ଯାଇଥିଲେ: ରାଉତ
୨୦୨୯ରେ ବି ମୋଦୀ ନେତୃତ୍ବ ନେବେ: ଫଡ଼ନାବିସ
ମୋଦୀ ଗତ ୧୦-୧୧ ବର୍ଷ ମଧ୍ୟରେ ଆରଏସ୍ଏସ୍ ମୁଖ୍ୟାଳୟ ଯାଇନଥିଲେ। କିନ୍ତୁ ଏବେ ସେ ସଂଘର ମୁଖ୍ୟ ମୋହନ ଭାଗବତଙ୍କୁ ଟା-ଟା, ବାଏ ବାଏ କହିବା ପାଇଁ ଯାଇଛନ୍ତି। ସେ ତାଙ୍କ ଅବସର ଆବେଦନ ଦାଖଲ କରିବା ପାଇଁ ଯାଇଥିଲେ ବୋଲି ରାଉତ କହିଛନ୍ତି। ଏପରିକି ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ମହାରାଷ୍ଟ୍ରରୁ ହେବେ ବୋଲି ରାଉତ କହିଛନ୍ତି। ଜଣେ କଂଗ୍ରେସ ନେତା ମଧ୍ୟ ରାଉତଙ୍କ ଏପ୍ରକାର ମନ୍ତବ୍ୟକୁ ସମର୍ଥନ କରିଛନ୍ତି। ସେ କହିଛନ୍ତି ବିଜେପିର ଯେଉଁ ନେତାଙ୍କୁ ୭୫ ବର୍ଷ ଟପୁଛି ଦଳ ସେମାନଙ୍କୁ ଅବସର ଦେଉଛି। ପ୍ରଧାନମନ୍ତ୍ରୀ ମୋଦୀଙ୍କ ବୟସ ମଧ୍ୟ ବଢ଼ୁଛି। ତେଣୁ ସେମାନେ ମୋଦୀଙ୍କର ଅବସର ଚିନ୍ତା କରୁଥାଇ ପାରନ୍ତି। ସାମ୍ବାଦିକମାନଙ୍କୁ ରାଉତ କହିଛନ୍ତି, ମୁଁ ଏହା ବୁଝୁଛି ଯେ ସମଗ୍ର ସଂଘ ପରିବାର ଦେଶର ନେତୃତ୍ବରେ ଏକ ପରିବର୍ତ୍ତନ ଚାହେ। ପ୍ରଧାନମନ୍ତ୍ରୀଙ୍କ ସମୟ ଶେଷ ହୋଇଗଲା। ସେମାନେ ପରବର୍ତ୍ତୀ ବିଜେପି ମୁଖ୍ୟ ବାଛିବାକୁ ଚାହାନ୍ତି ବୋଲି ସେ କହିଛନ୍ତି।
ଅନ୍ୟପକ୍ଷେ ବରିଷ୍ଠ ବିଜେପି ନେତା ତଥା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ଶ୍ରୀ ରାଉତଙ୍କ ଦାବିକୁ ଦୃଢ଼ଭାବେ ଖଣ୍ଡନ କରିଛନ୍ତି। ଫଡ଼ନାବିସ କହିଛନ୍ତି, ମୋଦୀ ଅନେକ ବର୍ଷ ଧରି ଦେଶର ନେତୃତ୍ବ ନେବେ। ୨୦୨୯ରେ ଆମେ ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଦେଖିବାକୁ ଚାହୁ । ମୋଦୀ ଆମର ନେତା ଏବଂ ଏହା ଜାରି ରହୁ। ଆମ ସଂସ୍କୃତିରେ ବାପା ବଞ୍ଚିଥିଲେ ଉତ୍ତରାଧିକାରୀ କଥା କହିବା ଅନୁଚିତ। ତାହା ମୋଗଲ ସଂସ୍କୃତି। ବର୍ତ୍ତମାନ ଏ ସମ୍ପର୍କରେ ଆଲୋଚନା କରିବାର ସମୟ ନୁହେଁ ବୋଲି ଫଡ଼ନାବିସ କହିଛନ୍ତି।