ନୂଆଦିଲ୍ଲୀ: ଦେଶରେ ୧୫ରୁ ୧୮ ବର୍ଷ ବୟସର ପିଲାଙ୍କ ପାଇଁ ଟିକାକରଣ ଆସନ୍ତାବର୍ଷ ଜାନୁଆରି ୧୦ ତାରିଖରୁ ଆରମ୍ଭ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିକଟରେ ଏହି ଘୋଷଣା କରିଛନ୍ତି। ତେ‌ବେ ଉକ୍ତ ଟିକାକରଣ ପାଇଁ ପିଲାମାନେ ଆସନ୍ତା ନୂଆବର୍ଷ (୧ ତାରିଖ)ରୁ କୋୱିନ୍‌ ଆପ୍‌ରେ ପଞ୍ଜୀକରଣ କରିବା ସୁବିଧା ପାଇବେ। କୋୱିନ ପ୍ଲାଟଫର୍ମ ମୁଖ୍ୟ ଡ ଆରଏସ ଶର୍ମା ଆଜି ଏହି ସୂଚନା ଦେଇଛନ୍ତି। ପିଲାମାନେ ସେମାନଙ୍କ ଛାତ୍ର ପରିଚୟପତ୍ର ଜରିଆରେ ବି ଏଥିପାଇଁ ପଞ୍ଜୀକରଣ କରିପାରିବେ। କୋୱିନ ପୋର୍ଟାଲରେ ଅତିରିକ୍ତ ପରିଚୟପତ୍ର ଭାବେ ଛାତ୍ର ପରିଚୟପତ୍ରକୁ ସାମିଲ କରାଯାଇଛି। ଯେଉଁ ପିଲାମାନଙ୍କର ଆଧାର କିମ୍ବା ଅନ୍ୟ ପରିଚୟପତ୍ର ନାହିଁ ସେମାନେ ଛାତ୍ର ପରିଚୟପତ୍ର ମାଧ୍ୟମରେ ଏଥିପାଇଁ ପଞ୍ଜୀକରଣ କରିପାରିବେ ବୋଲି ଡ. ଶର୍ମା କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, ୧୨ ବର୍ଷରୁ ଅଧିକ ବୟସର ପିଲାଙ୍କୁ କୋଭାକ୍ସିନ ଟିକା ପ୍ରଦାନ ନେଇ ଡିସିଜିଆଇ ଅନୁମତି ଦେଇଛି। ଦେଶର ଏକମାତ୍ର ଟିକା ଭାବେ ଭାରତ ବାୟୋଟେକର କୋଭାକ୍ସିନ ଟିକାକୁ ଏଭଳି ଅନୁମତି ମିଳିଛି। ପରୀକ୍ଷଣ ସମୟରେ ପିଲାଙ୍କ ଠାରେ ଉତ୍ତମ ରୋଗପ୍ର‌ତିରୋଧକ ଶକ୍ତି ଏହି ଟିକା ସୃଷ୍ଟି କରୁଥିବା ଜଣାଯାଇଛି। ନୂଆ ବୟସ ବର୍ଗଙ୍କୁ କରୋନା ଟିକା ଦେବା ପାଇଁ କୋୱିନ ଆପ୍‌ରେ ଆବଶ୍ୟକୀୟ ପରିବର୍ତ୍ତନ କରାଯାଉଥିବାବେଳେ କେତେକ ରାଜ୍ୟ ଏହି ଅଭିଯାନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। କର୍ଣ୍ଣାଟକ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ଟିକାକରଣ ଅଭିଯାନ ଆରମ୍ଭ ହେବ ବୋଲି ମୁଖ୍ୟମନ୍ତ୍ରୀ ବାସବରାଜ ବୋମାଇ କହିଛନ୍ତି। ସେହିଭଳି ତାମିଲନାଡ଼ୁ ସରକାର ପିଲାଙ୍କୁ ବିଦ୍ୟାଳୟରେ ଏବଂ ସ୍ବତନ୍ତ୍ର ଶିବିର କରି ଟିକା ଦେବେ ବୋଲି କହିଛନ୍ତି। ସେହିଭଳି ଆପଣଙ୍କ ବୟସ ଯଦି ୬୦ ବର୍ଷରୁ ଅଧିକ ହୋଇଥିବ ଏବଂ ଆପଣ ଦୁଇଟି ଯାକ ଡୋଜ୍ ଟିକା ନେଇଥିବେ ଏବଂ ଦ୍ବିତୀୟ ଡୋଜ୍ ଟିକା ନେବା ଠାରୁ ବୁଷ୍ଟର ଡୋଜ୍ ପଞ୍ଜୀକରଣ କରିବା ଲାଗି ସମୟ ସମୀ ୯ ମାସ (୩୯ ସପ୍ତାହ)ରୁ ଅଧିକ ହୋଇଥିବା ଆବଶ୍ୟକ। ପଞ୍ଜୀକରଣ ସମୟରେ ବରିଷ୍ଠ ନାଗରିକମାନଙ୍କ ଠାରେ କୌଣସି ଜଟିଳ ରୋଗ ରହିଛି ନାହିଁ ତାହାର ସୂଚନା କୋୱିନ ଆପ୍ ମାଗିବ।